ଦେବଗଡ଼ : ଅବକାରୀ ଓ ପୁଲିସ ବିଭାଗର ଦୁର୍ନୀତିଖୋର ମନୋଭାବ ଯୋଗୁଁ ଦେବଗଡ ଜିଲ୍ଲାରେ ବେଆଇନ ଦେଶୀ ଓ ବିଦେଶୀ ମଦ ଏବଂ ଗଞ୍ଜେଇ କାରବାର ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ସେହିପରି ବିନା ଲାଇସେନ୍ସରେ ହଜାର ହଜାର କ୍ୱିଣ୍ଟାଲ ମହୁଲ ଗଚ୍ଛିତ ରଖାଯାଇ ପରବର୍ତ୍ତୀ ସମୟରେ ବିଭିନ୍ନ ଜିଲ୍ଲାକୁ ଚୋରାଚାଲାଣ କରାଯାଉଥିବାରୁ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଛନ୍ତି । ଗତ କିଛି ମାସ ହେଲା ଅବକାରୀ ବିଭାଗ ଓ ପୁଲିସର ଜ୍ଞାତସାରରେ ଦେବଗଡ ଜିଲ୍ଲାର ପ୍ରତ୍ୟେକ ଗାଁ ଗଣ୍ଡାରେ ଦେଶୀ ଓ ବିଦେଶୀ ମଦ ସହ ବେଆଇନ ଗଞ୍ଜେଇର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଏହି କାରଣରୁ ସମ୍ପୃକ୍ତ ଅଂଚଳରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟି ରକ୍ତପାତ ମଧ୍ୟ ହେଉଛି । ଏନେଇ ସମ୍ପୃକ୍ତ ଅଂଚଳବାସୀ ପୁଲିସ ଓ ଅବକାରୀ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ମୋଟା ଅଙ୍କର ବଟି ନେଇ ଚୋରା ବେପେରୀମାନଙ୍କୁ ଅଧିକ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି ।
ଏପରିକି ମଦ ମାଫିଆମାନଙ୍କୁ ଅଭିଯୋଗକାରୀ/ସୂଚନାଦାତାମାନଙ୍କର ନାମ ଜଣାଇଦେଉଥିବାରୁ ସୂଚନାଦାତାମାନେ ବେଆଇନ ମଦ ବେପାରୀଙ୍କର ଆକ୍ରୋଶର ପରିସ୍ଥିତି ଏଭଳି ହୋଇପଡିଛି ଯେ, ଜିଲ୍ଲାର ସହ ସହ ଗ୍ରାମରେ ଥିବା ପାନ ଦୋକାନ ଓ ତେଜରାତି ଦୋକାନ ସମେତ ଦେବଗଡ ସହର ଓ ରାସ୍ତାକଡମାନଙ୍କରେ ରହିଥିବା ବିଭିନ୍ନ ଢାବା ହୋଟେଲମାନଙ୍କରେ ପ୍ରତ୍ୟହ ହଜାର ହଜାର ବୋତଲ ବିୟର, ବିଦେଶୀ ମଦ ଓ କିଲୋ କିଲୋ ଗଞ୍ଜେଇ ଖୋଲମ୍ ଖୋଲା ଭାବେ ବିକ୍ରୀ ହେଉଛି । ଏପରିକି ଖୋଦ ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟର ଅନତି ଦୂରରେ ଥିବା ଜନଗହଳି ପୂର୍ଣ୍ଣ ଦୈନିକ ବଜାର ଓ ଘରୋଇ ବସଷ୍ଟାଣ୍ଡ ଅଂଚଳରେ ମଧ୍ୟ ବେଆଇନ ମଦ ବିକ୍ରୀ ହେଉଛି । ସେହିପରି ଗାଁ ଗହଳିରେ ନଦୀ ନାଳ ଏବଂ ଏପରିକି ପୋଖରୀ ହୁଡାମାନଙ୍କରେ ମଧ୍ୟ ବେଆଇନ ଦେଶୀ ମହୁଲି ମଦ ପ୍ରସ୍ତୁତ କରାଯାଉଛି । ଅବକାରୀ ଓ ପୁଲିସ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ଏହା ଦିନ ଦ୍ୱିପ୍ରହରେ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି ।
ଏନେଇ ବାରମ୍ବାର ଅଭିଯୋଗ ହେଲେ ବାଧ୍ୟ ବାଧକତାରେ ବିଭାଗ ପକ୍ଷରୁ ଲୋକ ଦେଖାଣିଆ ଭାବେ ସମ୍ପୃକ୍ତ ଦୋକାନ ଓ ଢାବାମାନଙ୍କରେ କାଁଭାଁ ଚଢାଉ କରାଯାଉଛି ସତ, ମାତ୍ର ପ୍ରକୃତ ପକ୍ଷେ ଆନ୍ତରିକତାର ଅଭାବ ଯୋଗୁ ଯେଉଁ ପରିମାଣର ମଦ ଜବତ ହେବା କଥା ତାହା ଜବତ କରାଯାଉ ନାହିଁ । ସେହିପରି ଏହି ଚୋରା ମଦ କେତେକ ନିର୍ଦ୍ଦିଷ୍ଟ ସରକାରୀ ସ୍ୱୀକୃତି ପ୍ରାପ୍ତ ଦୋକାନରୁ ଯୋଗାଇ ଦିଆଯାଉଥିବାରୁ ବିଭାଗ ପକ୍ଷରୁ ବେଆଇନ ମଦ ବେପାରୀମାନଙ୍କୁ ଦଣ୍ଡିତ କରାଯିବା ପରିବର୍ତ୍ତେ ଅଧିକ ଉତ୍ସାହିତ କରାଯାଉଥିବା ଅଭିଯୋଗ ହେଉଛି । ବାରକୋଟ ଓ କୁଣ୍ଢେଇଗୋଳା ସ୍ୱୀକୃତି ପ୍ରାପ୍ତ ଦେଶୀ ମଦ ଭାଟି ସମ୍ପ୍ରତି ବନ୍ଦ ରହିଥିବା ବେଳେ ଏହା ଦ୍ୱାରା ମଦକାରବାର ହ୍ରାଶପାଇବା ପରିବର୍ତ୍ତେ ଅଧିକରୁ ଅଧିକ ବୃଦ୍ଧିପାଇବରେ ଲାଗିଛି । ଏହାର ସୁଯୋଗ ନେଇ ଅନତି ଦୂରରେ ରହିଥିବା ଜିଲ୍ଲାର ଅନ୍ୟାନ୍ୟ ଦେଶୀ ମଦଭାଟି ସମେତ ପଡୋଶୀ ଅନୁଗୁଳ ଜିଲ୍ଲାର ପାଳଲହଡା, ବାଗଡିଆ, ଛେଣ୍ଡିପଦା, ଡେରେଙ୍ଗ ଓ ସୁନ୍ଦରଗଡ ଜିଲ୍ଲାର ବଣେଇଁ ସମେତ ଦେବଗଡ ସହରରୁ ମଧ୍ୟ ଉକ୍ତ ଅଂଚଳକୁ ପ୍ରତ୍ୟହ ବିପୁଳ ପରିମାଣର ଦେଶୀମଦ ଚୋରାଚାଲାଣ ହେଉଛି । ଏପରିକି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡିକରୁ ପ୍ରତ୍ୟହ ଶହଶହ ପେଟି ବିଦେଶୀ ମଦ ମଧ୍ୟ ଚୋରାଚାଲାଣ ହେଉଛି ।
ସେହିପରି କେତେକ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ଦର ଠାରୁ ଢେର ଅଧିକ ମୂଲ୍ୟରେ ବିଦେଶୀ ମଦ ବିକ୍ରୀ ହେଉଥିବା ଜଣାପଡିଛି । ଏ ସମ୍ପର୍କରେ ସବୁ ଜାଣିଶୁଣି ମଧ୍ୟ ପୁଲିସ୍ ଓ ଅବକାରୀ ବିଭାଗ କର୍ତ୍ତୃପକ୍ଷ ହାତବାନ୍ଧି ବସିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ସେହିପରି ଦେବଗଡ ପୌରାଂଚଳ, ତିଲେଇବଣି ବ୍ଲକ ସଦର ମହକୁମା ସମେତ ବ୍ଲକର ସୁଗୁଡା, କେନ୍ଦଇଜୁରୀ ଏବଂ ବାରକୋଟ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଥିବା ବହୁ ଲାଇସେନ୍ସ ପ୍ରାପ୍ତ ଅସାଧୁ ମହୁଲ ବେପାରୀ ନିଜନିଜ ଗୋଦାମରେ ଅନୁମୋଦିତ ପରିମାଣ ଠାରୁ ଢେର ଅଧିକ ମହୁଲ ଗଚ୍ଛିତ ରଖିବା ସହ ଟ୍ୟାକ୍ସ ଫାଙ୍କି ଚୋରାଚାଲାଣ କରୁଛନ୍ତି । ଏହି ଅସାଧୁ ବ୍ୟବସାୟୀମାନେ କାର୍ଯ୍ୟରେ ଅବହେଳା ପାଇଁ ଅତୀତରେ ନିଲମ୍ବିତ ହୋଇଥିବା (କନେଷ୍ଟବଳ ଥିବା ବେଳେ) ଅବକାରୀ ବିଭାଗର ଜଣେ ନିର୍ଦ୍ଦିଷ୍ଟ ଅସାଧୁ ଏ.ଏସ୍.ଆଇ.ଙ୍କୁ ହାତକରି ଏଭଳି ବେଆଇନ କାର୍ଯ୍ୟ କରୁଥିବା ଜଣାପଡିଛି । ଏହା ସତ୍ୱେ ଅବକାରୀ ବିଭାଗ, ପୁଲିସ ବିଭାଗ ଓ ବାଣିଜ୍ୟକର ବିଭାଗ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ବିଭାଗୀୟ କାର୍ଯ୍ୟଶୈଳୀ ଏବଂ ସାଧୁତା ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଚୋରାମଦ କାରବାର ସମ୍ପର୍କରେ ବିଭିନ୍ନ ସମୟରେ ଅଭିଯୋଗ ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ କର୍ମଚାରୀ ଅଭାବ ଥିବା ଦର୍ଶାଇ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେବାକୁ ପରାମର୍ଶ ଦେଉଥିବା ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏସବୁ ଅଭିଯୋଗ ସମ୍ପର୍କରେ ଦେବଗଡ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ମତ ଲୋଡିବାରୁ ସେ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହ ଯଦି ଏଭଳି ହେଉଥାଏ ତେବେ ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରକାଶ କରିଛନ୍ତି । ଏଣୁ ରାଜ୍ୟ ଅବକାରୀ ବିଭାଗ କମିଶନର, ଦେବଗଡ ଜିଲ୍ଲାର ନୂତନ ଜିଲାପାଳ, ଜିଲ୍ଲା ପୁଲିସ ଏସ୍.ପି. ଓ ବାଣିଜ୍ୟକର ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।
