ବଲାଙ୍ଗୀର : ଅପାରଗତାରୁ ସାର ସଙ୍କଟ । ସରକାରୀ ନିୟନ୍ତ୍ରଣ ବାହାରେ ସାର ବିକ୍ରି ବ୍ୟବସ୍ଥା । ଖରିଫ୍ ଚାଷ ନିମନ୍ତେ ବଲାଙ୍ଗୀର ଜିଲ୍ଲାରେ ପ୍ରାୟ ୨୨ ହଜାର ମେଟ୍ରିକ୍ ଟନ୍ ୟୁରିଆ ଆବଶ୍ୟକ । ଜିଲ୍ଲାରେ ପହଞ୍ଚି ସାରିଛି ୩୦ ହଜାର ମେଟ୍ରିକ୍ ଟନ୍ । ୟୁରିଆ ସାର ବସ୍ତା ପିଛା ଦର ୨୬୬ ଟଙ୍କା ୫୦ ପଇସା । କିନ୍ତୁ ଜିଲ୍ଲାରେ ବିକ୍ରି ହେଉଛି ୪୭୦ ରୁ ୫୫୦ ଟଙ୍କା । ଏପରି ଦୃଶ୍ୟ କେବଳ ବଲାଙ୍ଗିରର ନୁହେଁ ରାଜ୍ୟର ଅନେକ ସ୍ଥାନରେ ଏପରି ଚିତ୍ର । ରାଜ୍ୟର ସମସ୍ତ ଜିଲ୍ଲାରେ ୟୁରିଆ ମହଜୁଦ ଅଛି ।
ଠିକ ସମୟରେ ସାର ପହଞ୍ଚାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ୟୁରିଆ ସାର ବାବଦରେ ରାଜ୍ୟ ସରକାର ମାଗିଥିଲେ ୮୦ ହଜାର ମେଟ୍ରିକ ଟନ୍ ୟୁରିଆ ସାର । ଆଉ କେନ୍ଦ୍ର ସରକାର ଯୋଗାଇଦେଉଛନ୍ତି ୨ ଲକ୍ଷ ୪ ହଜାର ମେଟ୍ରିକ ଟନ୍ ୟୁରିଆ ସାର । ମାତ୍ର ତାହା ମଧ୍ୟରୁ ରାଜ୍ୟ ସରକାର ଚାଷୀମାନଙ୍କୁ ମାତ୍ର ୭୮ ହଜାର ମେଟ୍ରିକ ଟନ୍ ସାର ଯୋଗାଇଦେଇଛନ୍ତି । ସେହିପରି ରାଜ୍ୟର ଦାବି ଥିଲା ୩୦ ହଜାର ମେଟ୍ରିକ ଟନ୍ ଡିଏପି ସାର । ୫ ୨ ହଜାର ମେଟ୍ରିକ ଟନ୍ ଡିଏପି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ।
ଯାହା ମଧ୍ୟରୁ ରାଜ୍ୟ ସରକାର ଚାଷୀମାନଙ୍କୁ ମାତ୍ର ୨୧ ହଜାର ମେଟ୍ରିକ ଟନ୍ ସାର ଯୋଗାଇଦେଇଛନ୍ତି । ରାଜ୍ୟ ସରକାର ଏମଓପି ସାର ବାବଦରେ ୨୫ ହଜାର ଟନ୍ ଏମଓପି ସାର ମାଗିଥିବା ବେଳେ ମିଳିଛି ୪୫ ହଜାର ମେଟ୍ରିକ ଟନ୍ । ତେବେ ତାହା ମଧ୍ୟରୁ ବି ରାଜ୍ୟ ସରକାର ଚାଷୀମାନଙ୍କୁ ମାତ୍ର 9 ହଜାର ମେଟ୍ରିକ ଟନ୍ ସାର ଯୋଗାଇଦେଇଛନ୍ତି ।
ସେହିପରି ୪୦ ହଜାର ମେଟ୍ରିକ ଟନ୍ ଏନ୍ ପିକେ ସାର ରାଜ୍ୟ ସରକାର ମାଗିଥିବା ବେଳେ ୧ ଲକ୍ଷ ୩୭ ହଜାର ମେଟ୍ରିକ ଟନ୍ ରାଜ୍ୟକୁ ମିଳିଛି । ଆଉ ଏଥିରୁ ବି ରାଜ୍ୟ ସରକାର ଚାଷୀମାନଙ୍କୁ ମାତ୍ର ୫୧ ହଜାର ମେଟ୍ରିକ ଟନ୍ ସାର ଯୋଗାଇ ଦିଆଯାଇଥିବା କହିଥିଲେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ।
