ଯାଜପୁର : ଆହାର କେନ୍ଦ୍ରରୁ ଖାଦ୍ୟ ନପାଇ ଗୀତ ମାଧ୍ୟମରେ ଆହାର ଯୋଜନାକୁ କଟାକ୍ଷ କଲେ କିଛି ଦିବ୍ୟାଙ୍ଗ । ଏଭଳି ଏକ ଦୃଶ୍ୟ ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଦେଖିବାକୁ ମିଳିଛି । ସହରର ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ର ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଖବର ଅନୁସାରେ କୋରାଇ ଥାନା ରଗଡ଼ି ଅଞ୍ଚଳର ୨ ଜଣ ଦୃଷ୍ଟିବାଧିତ ବ୍ୟକ୍ତି ଓ ଅନ୍ୟ ଜଣେ ଦିବ୍ୟାଙ୍ଗ ବ୍ୟାସନଗର ସହର ଓ ଏହାର ଆଖପାଖ ଅଞ୍ଚଳରେ ଦୈନିକ ଭିକ୍ଷାବୃତ୍ତି କରନ୍ତି ।
ହେଲେ ଗତ ସୋମବାର ଦିନ ତଳେ ମଧ୍ୟାହ୍ନ ଗୋଟାଏ ବେଳେ ସମୟରେ ଖାଦ୍ୟ ଖାଇବାକୁ ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ରରେ ପହଞ୍ଚିଥିଲେ । ହେଲେ ଖାଦ୍ୟ ସରିଯାଇଥିବା କହି ସେଠାରୁ ତାଙ୍କୁ ଫେରାଇ ଦିଆଯାଇଥିଲା । ପରେ ସେମାନେ ଆହାର କେନ୍ଦ୍ର ଆଗରେ ଗୀତ ଗାଇ ଆହାର ଯୋଜନାକୁ କଟାକ୍ଷ କରିଥିଲେ । ତେବେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ସେପଟେ ଆହାର କେନ୍ଦ୍ର କର୍ମଚାରୀଙ୍କ ପ୍ରତିକ୍ରିୟା ନେବାରୁ, ସେଦିନ ସମୟ ପୂର୍ବରୁ ଖାଦ୍ୟ ସରିଯାଇଥିବା ସେ କହିଛନ୍ତି ।
