ଅତିଥି ଡାକ୍ତରରେ ଚାଲିଛି ଚିକିତ୍ସା, ମିଳୁନାହିଁ ଚିକିତ୍ସା ସେବା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ହେଉଛି ଫୁଲବାଣୀ ସ୍ଥିତ ଚିକିତ୍ସାଳୟ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ, ଡାକ୍ତରଖାନା ପରିସରରେ ଥିବା ବିଭିନ୍ନ ବିଭାଗ ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ପ୍ରସୂତିଙ୍କ ଆଖିରୁ ଝରୁଛି ଲୁହ । ଜଣେ ମାତ୍ର ଅତିଥି ଡାକ୍ତରଙ୍କ ଦ୍ୱାରା ଚାଲିଛି ସେବା । ଫୁଳବାଣୀ ମୁଖ୍ୟ ଚିକିତ୍ସାଳୟ ହୋଇଥିବା ଯୋଗୁଁ ଏଠାକୁ ସମଗ୍ର ଜିଲାର ୧୨ଟି ବ୍ଲକର ଗର୍ଭବତୀଙ୍କ ସମେତ ଆଖ ପାଖ ଜିଲାର ଗର୍ଭବତୀମାନେ ମଧ୍ୟ ବହୁ ଆଶା ରଖି ଆସିଥାନ୍ତି । କିନ୍ତୁ ଡାକ୍ତରଙ୍କ ଅଭାବ ଏବେ ପ୍ରସୂତିଙ୍କ ପରିବାର ଓ ଅଭିଭାବକମାନଙ୍କୁ ଚିନ୍ତାର କାରଣ ହୋଇଛି ।

ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ସରକାର ଯୋଜନା ଉପରେ ଯୋଜନା କରିବା ସହିତ ଏନେଇ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ଡାକ୍ତରଖାନାରେ ଯେଭଳି ଭାବେ ଗର୍ଭବତୀମାନେ ପିଲା ଜନ୍ମ କରିବେ ସେ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ବେଳେ, ଏବେ ଡାକ୍ତରଙ୍କ ଅଭାବ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଓ ଶିଶୁ କେନ୍ଦ୍ରରେ ୬ ଜଣ ଡାକ୍ତର ରହିବାର ଥିଲେ ମଧ୍ୟ ବର୍ତ୍ତମାନ ମାତ୍ର ୩ ଜଣ ଡାକ୍ତର ରହିଛନ୍ତି । ସେହିମାନଙ୍କ ମଧ୍ୟରୁ ଜଣେ ଡାକ୍ତର ଲମ୍ବା ଛୁଟିରେ ଯାଇଥିବା ବେଳେ, ଅନ୍ୟଜଣେ ଡାକ୍ତର କିଛିଦିନ ପାଇଁ ଏବେ ଛୁଟିରେ ଯାଇଛନ୍ତି । ଏଭଳି ସ୍ଥଳେ ବର୍ତ୍ତମାନ କର୍ପୋସ ଫଣ୍ଡରେ ନିୟୋଜିତ ହୋଇଥିବା ଜଣେ ଅତିଥି ଡାକ୍ତରଙ୍କ ଭରସାରେ ଚାଲିଛି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ । ଜଣେ ମାତ୍ର ଡାକ୍ତରରେ ଗୋଟିଏ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ପ୍ରକାର ସେବା ଯୋଗାଇବା କେତେଦୂର ସମ୍ଭବ ହେବ ତାହା ସହଜେ ଅନୁମେୟ । ଅନ୍ୟପକ୍ଷରେ ନିକଟରେ ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞାପନ ପ୍ରକାଶ ହୋଇଥିଲେ ମଧ୍ୟ କେହି ମଧ୍ୟ ଆବଦେନ କରିନଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଡାକ୍ତର ନିଯୁକ୍ତି ପାଇଁ ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସମ୍ଭବ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *