ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଆଦିବାସୀ ଓ ହରିଜନ ବିଭାଗ ଦ୍ଵାରା ପରିଚାଳିତ କେଶଡ଼ିହା ସେବାଶ୍ରମରେ ଦେଖିବାକୁ ମିଳିଛି ବିଭିନ୍ନ ସମସ୍ୟା । ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟା ଦେଇ ପାଠ ପଢୁଛନ୍ତି । ଏନେଇ ବିଦ୍ୟାଳୟ ପରିଚାଳନା କମିଟିର ଚ୍ୟାୟାରମେନ୍ ଶ୍ରୀରାମ ବଦରା ଓ ସଦସ୍ୟ ଗଣେଶ୍ବର ମହାନ୍ତ, ଆଦିକନ୍ଦ ନାଏକ ଓ ଦିବ୍ୟସିଂ କାଣ୍ଡିଆନ୍ ଆଜି ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କେଶଡ଼ିହା ସେବାଶ୍ରମରେ ୧ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୨୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ସେଥି ମଧ୍ୟରୁ ୩୨୦ ଜଣ ଛାତ୍ରଛାତ୍ରୀ ସେବାଶ୍ରମ ପରିସରରେ ଥିବା ହଷ୍ଟେଲରେ ରହି ପାଠ ପଢୁଛନ୍ତି । ଏ ସମସ୍ତଙ୍କ ପାଇଁ ମାତ୍ର ୧୧ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ସରକାର ବିଦ୍ୟାଳୟରେ ଶ୍ରେଣୀ ଓ ହଷ୍ଟେଲ ଗୃହ ସହ ବିଜୁଳି, ପାଣି, ଖାଦ୍ୟ ଆଦିର ବ୍ୟବସ୍ଥା କରୁଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନାଗତ ତ୍ରୁଟି କାରଣରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସମସ୍ୟାରେ ପଡୁଛନ୍ତି । ଯାହାକି ଏହି ଆଶ୍ରମ ବିଦ୍ୟାଳୟରେ ଏବେ ଦେଖିବାକୁ ମିଳିଛି । ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକରେ ବର୍ଷା ଦିନେ ପାଣିଗଳୁ ଥିବାରୁ ବର୍ତ୍ତମାନ ୧ମ ଶ୍ରେଣୀ ରୁ ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଗୋଟିଏ କୋଠରୀରେ ବସାଇ ପାଠପଢା ଯାଉଛି । ସେହିପରି ବାଳିକାମାନେ ରହୁଥିବା ହଷ୍ଟେଲ ଛାତରୁ ମଧ୍ୟ ପାଣି ଗଳୁଛି । ବିଦ୍ୟାଳୟ ହଷ୍ଟେଲରେ ଲାଗିଥିବା ସୋଲାର ପ୍ଲେଟ ଓ ଇନଭେଟର ଖରାପ ଥିବାରୁ ବିଜୁଳି ଗଲେ ପିଲା ରାତିରେ ଅନ୍ଧକାରରେ ରହୁଛନ୍ତି । ସେହିପରି ବିଦ୍ୟାଳୟରେ ଥିବା ବୋରଏଲଟି ଖରାପ ଥିବାରୁ ୨ଟି ନଳକୂପରେ ପିଲାଙ୍କୁ ପାଣି ପାଈବାକୁ ଲାଇନରେ ରହିବାକୁ ପଡୁଛି । ପିଲାମାନେ ଅପରିଷ୍କାର ପରିବେଶ ମଧ୍ୟରେ ହଷ୍ଟେଲରେ ରହୁଛନ୍ତି । ଏଥିସହିତ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତିଦିନ ପାଇଁ ଥିବା ଖାଦ୍ୟ ତାଲିକା ଅନୁଯାୟୀ ଖାଦ୍ୟ ଦିଆ ଯାଉନାହିଁ ବୋଲି ପରିଚାଳନା କମିଟିର ସଦସ୍ୟମାନେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ପରିଚାଳନା କମିଟି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଉଥିଲେ ମଧ୍ୟ ସେ ଏ ଦିଗରେ ପଦକ୍ଷପ ଗ୍ରହଣ ନକରି ତାଙ୍କ କଥାକୁ କର୍ଣ୍ଣପାତ କରୁ ନଥିବାର ସେ ଅଭିଯୋଗ ଆଣିଛନ୍ତି । ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ମୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦେଇଛି । ଏ ସମ୍ପର୍କରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ ପଚାରିବାରୁ ନୂଆ ହଷ୍ଟେଲ ନିର୍ମାଣ ସରିଥିବାରୁ ସେ ଦିଗରେ ଧ୍ୟାନ ଦିଆଯାଇ ନାହିଁ । ଆସନ୍ତାକାଲି ମୁଁ ବିଦ୍ୟାଳୟ କୁ ଯାଇ କ’ଣ ହୋଇଛି ଦେଖିବା ପରେ ଏ ସମ୍ୱନ୍ଧରେ କହି ପାରିବି ବୋଲି କୁହନ୍ତି । ତେବେ ଏପରି ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଛାତ୍ରଛାତ୍ରୀମାନେ ରହିଥିବାବେଳେ ବିଭାଗୀୟ ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକ ଏ ଦିଗରେ କୌଣସି ପଦକ୍ଷେପ ନେଉ ନଥିବାରୁ ଆଗାମୀ ଦିନରେ ଅଭିଭାବକ ଏବଂ ପରିଚାଳନା କମିଟି ସ୍କୁଲ ବନ୍ଦ କରି ସମସ୍ୟା ସମାଧାନ କରିବା ଦିଗରେ ଏପରି ଚରମ ପଦକ୍ଷେପ ଗ୍ରହଣ କରିବେ ବୋଲି ମତ ଦେଇଛନ୍ତି ।
