ଡିଜିଟାଲ ଯୁଗରେ ଅପରାଧିଙ୍କୁ ଧରି ପାରୁନି ପୁଲିସ

ହରଭଙ୍ଗା : ସମୟ ବଦଳିଛି । ଡିଜିଟାଲ ଯୁଗରେ ଅପରାଧିଙ୍କୁ ଧରିବା ପାଇଁ ପୁଲିସ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ନୂତନ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ବଡ ବଡ ଅପରାଧିଙ୍କୁ ପୁଲିସ ଧରିବାରେ ସକ୍ଷମ ହେଉଛି । ଏଭଳି ସୁବିଧା ସତ୍ୱେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୁଲିସ ୨୦ ରୁ ଅଧିକ ଚୋରି ଏବଂ ଡକାୟତି ଭଳି ଅପରାଧିକ ମାମଲାରେ ଅପରାଧିଙ୍କୁ ଧରିବାରେ ଫେଲ ମାରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ ସାଧାରଣ ଲୋକେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି ?

ପ୍ରକାଶ ଯେ, ଗତ ୪ ତାରିଖ ରାତିରେ ପୁରୁଣାକଟକ ଥାନାଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଜିଆଁକଟା ଗ୍ରାମର ମାଗିରାମ ବେହେରାଙ୍କ ଘରୁ ଏକ ସଶସ୍ତ୍ର ଡକାୟତି ଘଟଣା ଘଟିଥିଲା । ଡକାୟତି ଦଳ ମାରଣାସ୍ତ୍ର ଦେଖାଇ ମାଗିଙ୍କ ଘରୁ ନଗଦ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନାଗହଣା ଲୁଟ୍‍ କରିଥିଲେ । ଗାଁ ଲୋକଙ୍କ ଉପସ୍ଥିତିରେ ଡକାୟତି ଦଳ ବନ୍ଧୁକ, ଭୁଜାଲି, ବୋମା ଭଳି ମାରଣାସ୍ତ୍ର ଦେଖାଇ ଏକ ବଡଧରଣର ଡକାୟତି କରିବାରେ ସକ୍ଷମ ହୋଇଥିଲେ । ଅପରାଧିମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ସବୁ ଲୁଟ୍‍ କରି ଚମ୍ପଟ ମାରିଥିଲେ । ଘଟଣାର ୧୨ ଦିନ ପରେ ପୁଲିସ ଅପରାଧିଙ୍କୁ ଧରିବାରେ ବିଫଳ ହୋଇଛି ।

ଏହା ପୂର୍ବରୁ ଥାନା ଠାରୁ ୨ ଶହ ମିଟର ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା ଘଟିବା ପରେ ମଧ୍ୟ ପୁଲିସ ଏହି ମାମଲାରେ ମଧ୍ୟ କାହାକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ । ଏଭଳି ଛୋଟ ବଡ ୨୦ ରୁ ଅଧିକ ମାମଲା ପୁରୁଣାକଟକ ଥାନା ଅଂଚଳରେ ଘଟିସାରିଛି । କେବଳ ମାଧପୁର ବ୍ୟାଙ୍କରୁ ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ମାମଲାରେ ଅପରାଧିଙ୍କୁ ଧରିବାରେ ବିଫଳ ହୋଇଛି । ଅପରାଧିମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜା ଦେଇ ବଡ ବଡ ଅପରାଧ ପୁରୁଣାକଟକ ଥାନା ଅଂଚଳରେ ଘଟାଇ ଚାଲିଛନ୍ତି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ମାତ୍ର ବିଭାଗୀୟ ଉଚ୍ଚ କତୃପକ୍ଷ ଏହି ଘଟଣାରେ ଦକ୍ଷ ପୁଲିସ ଅଧିକାରୀଙ୍କୁ ନିୟୋଜିତ ନକରିବା ପଛରେ କଣ ରହସ୍ୟ ରହିଛି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଥାଉ କି, ଜିଆଁକଟା ଡକାୟତି ଘଟଣାର ୪/୫ ଦିନ ପରେ ହରଭଙ୍ଗା ଥାନା ଅର୍ନ୍ତଗତ ବୁକେଶିଙ୍ଗା ଗ୍ରାମରେ କିଛି ଅଜଣା ଅଚିହ୍ନା ଫିକା ମିଲିଟାରୀ ପୋଷାକ ପିନ୍ଧିଥିବା ଅଣଓଡିଆ ଲୋକଙ୍କୁ ଦେଖି ଗାଁ ଲୋକଙ୍କ ମନରେ ଭୟଭୀତ ହୋଇଥିଲେ । ଏ ନେଇ ସ୍ଥାନୀୟ ପୁଲିସକୁ ମଧ୍ୟ ଅବଗତ କରିଥିଲେ ।

ସେହିପରି ଗତ ବୁଧବାର ତିଲେଶ୍ୱର ଅଂଚଳରେ ମଧ୍ୟ କିଛି ଅଣଓଡିଆ ଯୁବକ ମାରଣାସ୍ତ୍ର ଧରି ବୁଲୁଥିବା ଘଟଣା ସର୍ମ୍ପକରେ ଲୋକେ ପୁଲିସକୁ ସୂଚନା ଦେଇଥିବା ଜଣାପଡ଼ିଛି । ଅପରାଧିମାନେ ବିନା ଭୟରେ ଅଂଚଳରେ ମାରଣାସ୍ତ୍ର ଧରି ଚକର କାଟୁଥିବାବେଳେ ଏ ସର୍ମ୍ପକରେ ପୁଲିସ କୌଣସି ସୂଚନା ନପାଇବା ଏବଂ ନୀରବତା ପଛରେ ଲୁକାୟିତ ରହସ୍ୟକୁ ଇଙ୍ଗିତ କରୁଛି । ତୁରନ୍ତ ଏ ଦିଗରେ ପୁଲିସ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ଉଠୁଛି । ଏ ସର୍ମ୍ପକରେ ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କୁ ପଚାରିବାରୁ ସେ କହିଲେ ଏ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି । ଅପରାଧିଙ୍କୁ ପୁଲିସ ଧରିବାରେ ନିଶ୍ଚୟ ସଫଳ ହେବ ବୋଲି କହିଛନ୍ତି । ଅନ୍ୟପଟେ ତିଲେଶ୍ୱର ଅଂଚଳର ଖବର ଆମ ପାଖରେ ନାହିଁ ।

Leave a Reply

Your email address will not be published. Required fields are marked *