ବିପୁଳ ପରିମାଣର ଦେଶୀ ଓ ବିଦେଶୀ ନକଲି ମଦ ଜବତ

କଲମପୁର : ମଦ ଭାଟିରେ ପ୍ରସ୍ତୁତ ହେଉଥିଲା ନକଲି ବିଦେଶୀ ମଦ । ଦୀର୍ଘ ଦିନ ଧରି ବେଧଡ଼କ ଭାବରେ ନକଲି ମଦ ସାମ୍ରାଜ୍ୟ ବିସ୍ତାର କରିଥିଲେ ମଦ ମାଫିଆ । ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବରପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ନକଲି ମଦ ଜବତ କରିବା ସହ ଜଣେ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଅମଠାଗୁଡା ଗାଁରେ ଦେଶୀ ମଦ ଭାଟି ଭିତରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ଦୁର୍ଗମ ଅଞ୍ଚଳର ବିଭିନ୍ନ ଗ୍ରାମକୁ ମଦ ଚାଲାଣ କରାଯାଉଥିଲା । ଆଉ ସେଇ ମଦକୁ ଅସଲି କହି ବିକ୍ରି କରି ନିଜର ନକଲି ମଦ ସାମ୍ରାଜ୍ୟ ବିସ୍ତାର କରି ଆସୁଥିଲେ ମଦ ମାଫିଆ ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଅମଠାଗୁଡା ଦେଶୀ ମଦ ଭାଟିରେ ଚଢ଼ାଉ କରି ୯ ଲିଟର ନକଲି ବିଦେଶୀ ମଦ, ବିଅର ୬୦ ଲିଟର, ନକଲି ଦେଶୀ ମଦ ୧୦୦ ପ୍ୟାକେଟ, ୨୧୬ ଗୋଟି ଇଏଲ, ମଦ ପୋଚ ଜବତ କରିବା ସହ ମଦ ଭାଟି ମ୍ୟାନେଜର ଭଗବାନ ପ୍ରସାଦ ସାହୁକୁ ଗିରଫ କରି ଦଫା ୫୨(ଏ) ୫୫,୫୬ ଓଡିଶା ଅବକାରୀ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରିଥିବା ନେଇ କଳାହାଣ୍ଡି ଅତିରିକ୍ତ ଅବକାରୀ ଅଧିକ୍ଷକ ଲଳିତ ମୋହନ ମିଶ୍ର ସୂଚନା ଦେଇଛନ୍ତି । ଏହି ନକଲି ମଦ କେଉଁ କେଉଁ ମଦ ଦୋକାନକୁ ଯୋଗାଣ ହେଉଥିଲା ଓ ଭାଟି ମାଲିକ ନକଲି ମଦ କାରବାରରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଇନ୍ସପେକ୍କର ସୁଶାନ୍ତ ପ୍ରଧାନ, ସଦର ଇନ୍ସପେକ୍ଟର ତିଲକରାମ ନାୟକ, ଭାନୁଚନ୍ଦ୍ର ମାଝୀ, ଦୁଲେଶ୍ୱର ପ୍ରଧାନ, ସୀମାଞ୍ଚଳ ମାଝୀ, ପ୍ରଦ୍ୟୁମ୍ନ ନାୟକ, ମେଘନାଦ ବେହେରା, ବାଞ୍ଛାନିଧି ନାୟକ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *