ସାକୁଶିଙ୍ଗା ମହାନଦୀ ଘାଟରୁ ଥମିବାରେ ନାଁ ଧରୁନି ବାଲି ଚୋରାଚାଲାଣ

ହରଭଙ୍ଗା : ହରଭଙ୍ଗା ତହସିଲ ଅର୍ନ୍ତଗତ ସାକୁଶିଙ୍ଗା ମହାନଦୀ ଘାଟରୁ ବାଲି ଚୋରାଚାଲାଣ ଥମିବାରେ ନାଁ ଧରୁନି । ଗତ ଦେଢବର୍ଷ ମଧ୍ୟରେ ଏହି ଘାଟରୁ ବାଲି ଚୋରି ଯୋଗୁ ସରକାରଙ୍କ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କାର ରାଜସ୍ୱହାନୀ ଘଟିଲାଣି । ତଥାପି ବଡ ବଡିଆ ସରକାରୀ ବାବୁଙ୍କ ବାଲି ମାଫିଆଙ୍କ ଉପରେ ଅହେତୁକ ଅନୁକମ୍ପା ଯୋଗୁଁ  ଉକ୍ତ ବାଲି ଖାଦାନରୁ ବେନିୟମଭାବେ ମେସିନ ସାହାଯ୍ୟରେ ଲଗାତାର ବାଲି ଉତ୍ତୋଳନ ଚାଲିଛି । ଏହି ଘଟଣା ଧଳପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରୁ ମାତ୍ର ୫ ଶହ ମିଟର ଦୂରରେ ଚାଲିଥିବା ବେଳେ ରାଜସ୍ୱ ବିଭାଗ ସବୁ ଜାଣି ନଜାଣିଲା ପରି ହାତ ଉପରେ ହାତବାନ୍ଧି ବସିଛି । ଅନ୍ୟପଟେ ହାଇୱା ଭଳି ଭାରିଯାନରେ ଉକ୍ତ ଘାଟରୁ ଧଳପୁର ରାଜସ୍ୱ କାର୍ଯ୍ୟାଳୟ ଏବଂ ହରଭଙ୍ଗା ତହସିଲ ଅଫିସ ଦେଇ ବାହାର ଜିଲ୍ଲା ଫୁଲବାଣୀ, ବ୍ରହ୍ମପୁରକୁ ବାଲି ଚୋରାଚାଲାଣ ଚାଲିଥିବା ଦେଖିବାକୁ ମିଳିଛି ।

ଏହାସତ୍ୱେ ରାଜସ୍ୱ ଅଧିକାରୀ ବାଲି ଚୋରାଚାଲାଣ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ଦିଗରେ ରାଜସ୍ୱ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ବର୍ଷା ପୂର୍ବରୁ ବେନିୟମଭାବେ ଉତ୍ତୋଳନ ହୋଇଥିବା ବାଲିର ଆକଳନ କରାଯାଇ ରାଜସ୍ୱ ଆଦାୟ କରିବାକୁ ଦାବି ହେଉଛି । ସୂଚନା ଥାଉ କି ତହସିଲ ପକ୍ଷରୁ ସାକୁଶିଙ୍ଗା ମହାନଦୀ ବାଲିଘାଟ ଟେଣ୍ଡର ବୌଦ୍ଧର ଜଣେ ନିଲାମଧାରୀଙ୍କୁ ମିଳିଥିଲା । ମାତ୍ର ଟେଣ୍ଡରଧାରୀଙ୍କ ଅନ୍ୟ ତହସିଲରେ ରାଜସ୍ୱ ପାଉଣା ବକେୟା ଥିବା ଦର୍ଶାଇ ଦ୍ୱିତୀୟ ସ୍ଥାନରେ ଥିବା ଆଠମଲ୍ଲିକ ଅଂଚଳର ନିଲାମଧାରୀ ହାଇକୋର୍ଟର ଆଶ୍ରୟ ନେଇଥିଲେ । ପରେ ହରଭଙ୍ଗା ତହସିଲଦାରଙ୍କୁ ଏହାର ବିଚାର କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ତହସିଲଦାର ଏହାର ଶୁଣାଣି କରି ଉକ୍ତ ଘାଟର ଟେଣ୍ଡର ରଦ୍ଦ କରିଥିଲେ । ଏହାପରେ ନିଲାମଧାରୀ ଏହା  ଉପରେ କୋର୍ଟରେ ଆଶ୍ରୟ ପରେ ବୌଦ୍ଧ ଉପଜିଲ୍ଲାପାଳଙ୍କ ପାଖରେ ଏହି ମାମଲା ୬ ମାସ ହେଲା ବିଚାରଧୀନ ଅବସ୍ଥାରେ ରହିଛି । କୌଣସି ନିଷ୍କର୍ଷ ବାହାରିପାରିନଥିବା ବେଳେ ଟେଣ୍ଡରଧାରୀ ବିନା ସରକାରୀ କାଗଜପତ୍ରରେ ଏଠାରୁ ଦୀର୍ଘ ଦେଢବର୍ଷ ହେଲା ମନଇଛା ବାଲି ଉତ୍ତୋଳନ ଚଳାଇଛି । ଫଳରେ ବିନା ରାଜସ୍ୱରେ ବାଲି ଚୋରାଚାଲାଣ ଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ସହୁଥିବା ବେଳେ ଏହାର ଫାଇଦା ବାଲି ମାଫିଆ ଉଠାଇବା ପଛରେ ବଡ ବଡ ସରକାରୀ ବାବୁଙ୍କ ପ୍ରଚ୍ଛଦ ହାତଥିବା କୁହାଯାଉଛି । ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମାଜସେବୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *