ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମରେ ଗତ କିଛି ବର୍ଷ ହେଲା ମାଙ୍କଡ଼ମାନଙ୍କ ଉପଦ୍ରବ ବୃଦ୍ଧି ପାଇଛି ।ସେମାନଙ୍କ ଉପଦ୍ରବରେ ଲୋକମାନେ ବିଭିନ୍ନ ବାଟରେ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିବାବେଳେ ମାଙ୍କଡ଼ କାମୁଡ଼ାରେ ରକ୍ତାକ୍ତ ହୋଇ ଆହତ ହେଉଛନ୍ତି । ଆଜି ସିକୋସ୍ଥିତ ପଣ୍ଡିତ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ପ୍ରଭାସିନୀ କର ବିଦ୍ୟାଳୟ କାର୍ୟ୍ୟାଳୟରୁ ବାହାରି ଶ୍ରେଣୀ ପ୍ରକୋଷ୍ଠକୁ ଯାଉଥିବାବେଳେ ଏକ ମାଙ୍କଡ଼ ବିଦ୍ୟାଳୟ ପରିସର ଭିତରେ ପଶି ଶିକ୍ଷୟତ୍ରିଙ୍କ ଡାହାଣ ହାତକୁ କାମୁଡି ରକ୍ତାକ୍ତ କରିଦେଇଥିଲା । ଆହତ ଅବସ୍ଥାରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ଏହା ପୂର୍ବରୁ ଚନ୍ଦ୍ରଶେଖରପୁର ମୌଜାର ଜଣେ ମହିଳାଙ୍କୁ କାମୁଡି ଆହତ କରିଥିଲା । ସିକୋ ଥିବା ବନବିଭାଗ ବିଟ ହାଉସରେ ବର୍ଷ ତମାମ ତାଲା ପଡିରହୁଥିବାବେଳେ ଲୋକମାନେ ଖୋର୍ଦ୍ଧା ବନବିଭାଗ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
