ଭୁବନେଶ୍ବର : ରାଜ୍ୟର ତାପମାତ୍ରା ଗତ ୩ ଦିନ ଅପେକ୍ଷା ଗୁରୁବାର ଦିନ ଅପେକ୍ଷାକୃତ କମ୍ ରହିଛି । ଗୁରୁବାର ଦିନ ରାଜ୍ୟର ଅଧିକାଂଶ ସହରରେ ପାଗ ମେଘୁଆ ରହିଥିବା ବେଳେ ଅପରାହ୍ଣ ଆଡ଼କୁ ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଥିଲା । ଗୁରୁବାର ଦିନ ମାତ୍ର ୩ଟି ସହରର ତାତି ୪୦ ଅତିକ୍ରମ କରିଛି । ରାଜ୍ୟର ଉତ୍ତପ୍ତ ସହର ଭାବେ ବୌଦ୍ଧରେ ୪୨ ଡିଗ୍ରି ତାତି ଅନୁଭୂତ ହୋଇଥିବା ବେଳେ ମାଲକାନଗିରିରେ ୪୧ ଡିଗ୍ରି ଓ ସୁନ୍ଦରଗଡ଼ରେ ୪୦ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ୨ ଦିନରେ ତାପମାତ୍ରା ୨ ରୁ ୪ ଡିଗ୍ରି ଯାଏ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଥିସହ ସମଗ୍ର ଉପକୂଳରେ ଆଜି ଦିନତମାମ୍ ପାଗ ମେଘୁଆ ରହିଥିଲା । ଉପକୂଳର ଅଧିକାଂଶ ସହରର ଦିନ ତାପମାତ୍ରା ୩୪ ଡିଗ୍ରି ପାଖାପାଖି ରହିଥିଲା ।
ପାଣିପାଗ କେନ୍ଦ୍ର କହିଛି, ଆସନ୍ତା ୨ ଦିନରେ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳ ତଥା ଦକ୍ଷିଣ ଆରବ ସାଗରର କିଛି କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ । ଫଳରେ କେରଳରେ ଖୁବ୍ଶୀଘ୍ର ମୌସୁମୀ ପହଞ୍ଚିବ । ଅନ୍ୟପଟେ ରାଜ୍ୟରେ ଏବେ କାଳବୈଶାଖୀଜନିତ ବର୍ଷା ଜାରି ରହିଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ୨୧ ତାରିଖ ଦିନ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ଝଡ଼ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଜାରି ହୋଇଛି । ଆଜି ମଧ୍ୟ ଉପକୂଳର ପାଗ ଶୀତଳ ରହିବ । ଗୁରୁବାର ଦିନ ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୪.୬ ଡିଗ୍ରି ଓ କଟକର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ରହିଥିଲା । ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳେର ଅପରାହ୍ଣ ଆଡ଼କୁ ଝଡ଼ବର୍ଷାର ସମ୍ଭାବନା ରହିଛି ।
