ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ; ମନରେଗା ଯୋଜନାରେ ଶ୍ରମିକଙ୍କ ଜାଗାରେ କାମ କରୁଛି ମେସିନ୍‌

ଜଳେଶ୍ୱର : ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକଙ୍କ ଜାଗାରେ ମେସିନ ଦ୍ୱାରା ଖୋଳାଯାଉଛି ପୋଖରୀ । ଖବର ଅନୁସାରେ, ସରକାର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ୧୦୦ ଦିନର କାମ ଯୋଗେଇ ଦେଉଥିବା ବେଳେ ଠିକାଦାର ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ବିନା ଫଳକ ଓ ଶ୍ରମିକଙ୍କ ବଦଳରେ ମେସିନରେ କାମ କରି ଲୁଟ୍‌ ହେଉଛି ଲକ୍ଷ ଲକ୍ଷ ଟଙ୍କା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅଧୀନସ୍ଥ ଖୁଆଡ଼ ପଞ୍ଚାୟତର ମହୁଡୁମା ଗାଁରେ ।

ଏହି ଗାଁଟି ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଲୋକମାନଙ୍କୁ କାମ ଦେବା ପାଇଁ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ୨୦ ଫୁଟ ଲମ୍ବ ଓ ୨୦ ଫୁଟ ଓସାରରେ ପୋଖରୀ ଖୋଳିବା ପାଇଁ ବେନିଫିସାରୀ ନାମରେ ୧ ଲକ୍ଷ ୭୭ ହଜାର ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଥିବାବେଳେ ଠିକାଦାର ଏହି ଜାଗାରେ ବିନା ଫଳକ ଓ ଶ୍ରମିକଙ୍କ ବଦଳରେ ମେସିନ ସାହାଯ୍ୟରେ ପୋଖରୀ ଖୋଳୁଥିବାର ଦେଖିବାକୁ ମିଳିଛି । ତା’ସହିତ ଟ୍ରିପ୍‌ ଟ୍ରିପ୍‌ ମୋରମ ବିନା ରୟାଲ୍ଟିରେ ବାହାରକୁ ଚାଲାଣ ହେଉଛି ଯାହା ଫଳରେ ରାଜ୍ୟ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ନିରୀହ ଆଦିବାସୀମାନଙ୍କୁ ଠକେଇ ଲକ୍ଷ ଲକ୍ଷ ଟଙ୍କା ହଡପ ହେଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ତଦନ୍ତ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *