ଅଙ୍ଗନୱାଡି ଗୃହ ନିର୍ମାଣ ସରିଲା; ଦୀର୍ଘ ୬ ବର୍ଷ ମଧ୍ୟରେ ହସ୍ତାନ୍ତର ନୋହିଲା, ବାର ଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି କୋମଳମତି ପିଲା

ଧାମରା :  ସଭିଏ ପଢନ୍ତୁ- ସଭିଏ ବଢନ୍ତୁ । ସର୍ବଶିକ୍ଷା ଅଭିଯାନରେ ସରକାର କୌଣସି ପରିସ୍ଥିତିରେ ଅଙ୍ଗନୱାଡି ଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ କାହାରିଙ୍କୁ ପାତର ଅନ୍ତର କରାଯିବ ନାହିଁ । ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଶିକ୍ଷା ଦିଆଯିବ, ଶିକ୍ଷା ପାଇଁ ଭିତ୍ତିଭୂମିର ବିକାଶ କରାଯିବ ବୋଲି ସରକାର ଦେଉଥିବା ପ୍ରତିଶ୍ରୁତି ଆଜି ଏକ ପ୍ରହସନ ପାଲଟିଛି । ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଚାନ୍ଦବାଲି ପଂଚାୟତ ସମିତି ଅଧିନ ଧାମରା ପଂଚାୟତ ଅଧିନସ୍ଥ ଗୁଆଁଳ ଗ୍ରାମର ୧୩ ନଂ ଓାର୍ଡଟି ହରିଜନ ଶ୍ରେଣୀର ଲୋକଙ୍କୁ ନେଇ ଗଠିତ । ଦୀର୍ଘ ଦିନ ହେବ ଏହି ଓାର୍ଡରେ ଅଙ୍ଗନୱାଡି ଗୃହ ନଥିବା ବେଳେ ଅଙ୍ଗନୱାଡି କର୍ମୀ ୩୮ ଜଣ ଶିଶୁମାନଙ୍କୁ ନେଇ ବାର ଦୁଆର ଶୁଣ୍ଡି ପିଣ୍ଡା ହୋଇ ଶିକ୍ଷା ଦାନ କରାଉଛନ୍ତି । ୨୦୧୭ ମସିହାରେ ଏହି ହରିଜନ ଲୋକଙ୍କ ପାଇଁ ଚାନ୍ଦବାଲି ବିଡିଓ ଏକ ଅଙ୍ଗନୱାଡି ଗୃହ ନିର୍ମାଣ କରିବାକୁ ଆଦେଶ ଦେଲେ । ୫ ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ବରାଦରେ ଏହି ଗୃହ ନିର୍ମାଣ କରାଗଲା । ୨୦୧୮ରେ ଏହି ଗୃହ ନିର୍ମାଣ ସରିଥିଲା । ଦୀର୍ଘ ୫ ବର୍ଷ ହେବ ଏହି ଅଙ୍ଗନୱାଡି ଗୃହ ଆଜି ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତରିତ ହୋଇ ପାରି ନାହିଁ । ଫଳରେ ଆଜି ପର୍ଯ୍ୟନ୍ତ ୩୮ ଜଣ କୋମଳମତି ଶିଶୁ ଗୁଆଁଳ ଗ୍ରାମରେ ଦୀର୍ଘ ଦିନ ହେବ ଭାଙ୍ଗିରୁଜି ଯାଇ ଅବହେଳିତ ହୋଇ ପଡିଥିବା ଭାବେଶ୍ୱର ନୋଡାଲ ବିଦ୍ୟାଳୟର ବାରଣ୍ଡାରେ ବସି ଅଧ୍ୟୟନ କରି ଆସୁଛନ୍ତି । ଏହି ବିଦ୍ୟାଳୟର ଛାତ ଭାଙ୍ଗି ଯାଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଏବଂ କେତେବେଳେ ଅଘଟଣ ନ ଘଟିବ ତାହା କହିବା ଅବଶମ୍ଭାବୀ ହୋଇ ପଡିଛି ।

କେଉଁ ପରିସ୍ଥିତିରେ ଏହା ହସ୍ତାନ୍ତରିତ ହୋଇପାରିନାହିଁ ଏବଂ ବିଭାଗୀୟ ଅଧିକାରୀ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଚାନ୍ଦବାଲି ଠାରେ ଅବସ୍ଥାପିତ ସିଡିପିଓଙ୍କୁ ପଚାରିବାରୁ ସେ କୁହନ୍ତି ଗୃହ ନିର୍ମାଣ କାର୍ଯ୍ୟ ଚାନ୍ଦବାଲି ବିଡିଓଙ୍କର ସେ ନିର୍ମାଣ କରିସାରିବା ପରେ ଆମକୁ ହସ୍ତାନ୍ତରିତ କରିବା ଜରୁରୀ ,ଏଥିପାଇଁ ସେ ବିଡିଓଙ୍କୁ ବହୁବାର ଚିଠି କରିବା ପରେ ମଧ୍ୟ ଫଳ ଶୂନ ବୋଲି ଉତ୍ତର ରଖିଥିଲେ । କେଉଁ ପରିସ୍ଥିତିରେ ଏକ ବିଦ୍ୟାଳୟର ଭଙ୍ଗା ବାରଣ୍ଡାରେ ୩୮ ଜଣ କୋମଳମତି ଶିଶୁଙ୍କୁ ନେଇ ଶିକ୍ଷାଦାନ ଚାଲିଛି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ କ’ଣ ପଦକ୍ଷେପ ନେଇଛନ୍ତ ବୋଲି ପଚାରିବାରୁ ସେ ଏହି ପ୍ରଶ୍ନକୁ ଏଡାଇ ଯାଇଥିଲେ । ଅନ୍ୟ ପକ୍ଷରେ ଚାନ୍ଦବାଲି ବିଡିଓ ଜ୍ୟୋତି ବିକାଶ ଦାସଙ୍କୁ ପଚାରିବାରୁ ସେ ସବୁ ସମୟରେ ଆସନ୍ତା ଦିନ ମଧ୍ୟରେ ଏହି ଅଙ୍ଗନୱାଡି ଗୃହ ନିର୍ମାଣ ଶେଷ କରି ହସ୍ତାନ୍ତରିତ କରିବେ ବୋଲି କହିବା ସହ ଏ ବିଷୟରେ ସଂପୃକ୍ତ ଜେଇ ଅମୀୟ କୁମାର ପଲେଇଙ୍କ ସହ ଯୋଗାଯୋଗ କରିବା ପାଇଁ କହିଥିଲେ । ଅନ୍ୟ ପକ୍ଷରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଏହି ଖବର ୨୦୨୧ ଜୁଲାଇ ୨୭ ତାରିଖରେ ପ୍ରସାରଣ ପରେ ବିଭାଗୀୟ ଯନ୍ତ୍ରୀ କେବଳ ଏହି ଅଙ୍ଗନୱାଡି କେନ୍ଦ୍ରର ତଳ ମେଜିଆ ନିର୍ମାଣ କରିବା ସହ ଏହି କେନ୍ଦ୍ରରେ ୨ଟି ଗୃହରେ ଝରକା ଏବଂ କବାଟ ଲଗାଇ ଥିଲେ । ମାତ୍ର ଏହି କାର୍ଯ୍ୟକୁ ଦୀର୍ଘ ୮ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଅଙ୍ଗନବାଡି କେନ୍ଦ୍ରରେ ରଙ୍ଗ ଦିଆଯାଇ ପାରୁନାହିଁ  କି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇ ପାରୁନାହିଁ । ସୋମବାର ସଂପୃକ୍ତ ଓାର୍ଡର ବହୁ ହରିଜନ ମହିଳା ଏବଂ କୋମଳମତି ଶିଶୁ ଆସି ଏହାର ପ୍ରତିବାଦ ସ୍ୱରୂପ ଏହି ଗୃହ ନିର୍ମାଣ ଶେଷ କରି କୋମଳମତି ଶିଶୁଙ୍କ ଭାଗ୍ୟ ସହ ନ ଖେଳି ସଂପୃକ୍ତ ଗୃହକୁ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତରିତ କରିବା ପାଇଁ ଦାବୀ ଜଣାଇଛନ୍ତି । ଏଥିସହ ଏକ ଦାବୀ ପତ୍ର ଭଦ୍ରକରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ପତ୍ର ଲେଖି ଏହାର ତୁରନ୍ତ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ ଚାନ୍ଦବାଲି ବିଡିଓ ଏବଂ ଧାମରା ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ କଥାରେ ତାଳମେଳ ରହୁ ନଥିବା ବେଳେ କୌଣସି ଭରଷା ଏବଂ ବିଶ୍ୱାସ ନାହିଁ ବୋଲି କ୍ଷୋଭର ସଂପୃକ୍ତ ୧୩ ନଂ ଓାର୍ଡ ହରିଜନ ଶ୍ରେଣୀର ମହିଳାମାନେ ମତ ପ୍ରକାଶ କରିଥିବା ବେଳେ ଜିଲ୍ଲପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅବଗତ ନିମନ୍ତେ ଲିଖିତ ଅଭିଯୋଗ ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *