ଝାରସୁଗୁଡ଼ା : ଖବର ଲେଖାହେଲା ବେଳକୁ ୫୦ ଘଣ୍ଟା ବିତିସାରିଲାଣି । ଏବେ ବି ୮୦ ଫୁଟର ଗର୍ତ୍ତ ଭିତରେ ରହିଯାଇଛନ୍ତି ୧୦ ବର୍ଷର ନାବାଳକ ରାହୁଲ ସାହୁ । ଛତିଶଗଡ଼ ରାଜ୍ୟ ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନ ପରହ୍ରିଡ଼ ଗାଁରେ ରାହୁଲଙ୍କ ଘର । ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଗର୍ତ୍ତ ଭିତରେ ରାହୁଲ ଅବସ୍ଥା କିଭଳି ରହିଛି, ତାହା ଅନୁଧ୍ୟାନ କରିବା ପାଇଁ ଗୁଜରାଟରୁ ଏକ ରୋବୋଟ ଆସି ପହଞ୍ଚିଛି । ଏହି ରୋବୋଟକୁ ଗର୍ତ୍ତ ଭିତରକୁ ପଠାଯାଇ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ।
ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ପୁଲିସ ଷ୍ଟେସନ ଅଧୀନରେ ରହିଛି ପିରହ୍ରିଡ ଗାଁ । ଗତ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ରାହୁଲ ଏକ ବୋରୱେଲ ଗର୍ତ୍ତରେ ଖସି ପଡ଼ିଥିଲେ । ନିଜ ଘର ବାରିପଟେ ଥିବା ଜମିରେ ପାଣି ମଡ଼ାଇବାକୁ ରାହୁଲଙ୍କ ବାପା ଏହି ବୋରୱେଲ ଖୋଳାଇଥିଲେ । ପାଣି ନବାହାରିବାରୁ ତାକୁ ଖୋଲା ଛାଡ଼ି ଦେଇଥିଲେ । ରାହୁଲ ସେଠାରେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡ଼ିଥିବା ଜଣାଯାଇଛି । ସେବେ ଠାରୁ ସେ ସେହି ଗର୍ତ୍ତ ଭିତରେ ରହି ଜୀବନ ସହିତ ସଂଘର୍ଷ କରିଆସୁଛନ୍ତି । ଅପରପକ୍ଷେ, ତାଙ୍କୁ ଉଦ୍ଧାର କରିବା ପାଇଁ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ଗର୍ତ୍ତ ନିକଟରେ ଛତିଶଗଡ଼ ସରକାରଙ୍କ ବଛାବଛା ପଦସ୍ଥ ଅଫିସର ଉପସ୍ଥିତ ଥିବାବେଳେ ଦେଶର ବିଭିନ୍ନ ସ୍ଥାନରୁ ଏନ୍ଡିଆର୍ଏଫ୍ର କର୍ମଚାରୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ଉଦ୍ଧାର କାର୍ଯ୍ୟକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରୁଥିବାବେଳେ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର ପାଇଁ ଯାହା କୌଶଳ ଆବଶ୍ୟକ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସ୍ଥଳରେ ପ୍ରବଳ ଜନଗହଳି ହୋଇଥିବାରୁ ଗହଳି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି । ଏକାଧିକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସହିତ ଡାକ୍ତରୀ ଦଳ ସେଠାରେ ଉପସ୍ଥିତ ଅଛନ୍ତି । ଜିଲ୍ଲାପାଳ, ଏସ୍ପି ଦିନରାତି ଏକ୍ କରି ଦେଇଛନ୍ତି ଏବଂ ରାହୁଲଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତେ ବ୍ୟାକୁଳ ହୋଇପଡ଼ିଥିବା ଦେଖାଯାଇଛି ।
ଏହି ସୁରକ୍ଷିତ କାର୍ଯ୍ୟରେ ସହାୟତା କରିବା ପାଇଁ ଗୁଜରାଟରୁ ଯେଉଁ ରୋବଟ୍ ଅଣାଯାଇଛି; ତାହା ଚତୁରତାର ସହିତ ଉକ୍ତ ଶିଶୁର ଶାରୀରିକ, ମାନସିକ ସ୍ଥିତି ଅନୁଧ୍ୟାନ କରିବା ସହିତ ଏହାର ସୂଚନା କମ୍ପ୍ୟୁଟର ମାଧ୍ୟମରେ ଉଦ୍ଧାରକାରୀ ଦଳକୁ ପ୍ରେରଣ କରୁଛି । ରୋବୋଟର ସୂଚନା ମୁତାବକ ଶିଶୁଟି କିଛି ସମୟ ଛିଡ଼ା ହୋଇ ପୁଣି ଶୋଇପଡ଼ିଛି । ବର୍ତ୍ତମାନ ଶିଶୁର ସ୍ବାସ୍ଥ୍ୟରକ୍ଷା ଜରୁରୀ ହୋଇପଡ଼ିଛି । ଗର୍ତ୍ତ ବାହାରେ ଏକାଧିକ ମେସିନ ଦ୍ବାରା ଏକ ଟନେଲ ଖୋଳାଚାଲିଛି । କାଳେ ଗର୍ତ୍ତଟି ଭୁଶୁଡ଼ି ପଡ଼ିବ, ସେ ନେଇ ସମସ୍ତେ ଆତଙ୍କିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଫଳରେ, ଅତି ସତର୍କତାର ସହିତ ଟନେଲ ଖୋଳା ଚାଲିଥିବା ଜଣାଯାଇଛି । ଏବେ ରାହୁଲଙ୍କ ସୁରକ୍ଷିତ ଉଦ୍ଧାରକୁ ସମସ୍ତଙ୍କ ଅପେକ୍ଷା ।
