ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବଧୀ ପାର୍କ, ଆଲୋକିକରଣ ପାଇଁ ଦାବି

ଚୌଦ୍ୱାର : ଭାରତ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ଦ୍ୱାରା ସଂରକ୍ଷିତ ଐତିହାସିକ ପର୍ଯ୍ୟଟନସ୍ଥଳ ଭାବେ ଘୋଷଣା କରାଯାଇଥିବା ତଥା ଚୌଦ୍ୱାରର ଐତିହ୍ୟର ସ୍ମାରକୀ ବହନ କରୁଥିବା ବଧୀ କୁଦ ଏବଂ ଏଥି ସଂଲଗ୍ନ ପାର୍କ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳୁଛି । ଶହଶହ ବର୍ଷଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ମାଟି କୁଦକୁ ଭାରତ ପ୍ରତ୍ନତତ୍ୱ  ବିଭାଗ ଦ୍ୱାରା ଖନନ କରାଯିବା ପରେ ପଥର ନିର୍ମିତ ଏକ ସୁଦୃଶ୍ୟ ବୌଦ୍ଧ ଉପାସନାସ୍ଥଳ ଆବିସ୍କୃତ ହୋଇଥିଲା । ଏହି ସ୍ଥଳକୁ ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳ ଭାବେ ଘୋଷଣା କରାଯାଇ ଏହା ଚତୁଃର୍ପାଶ୍ୱରେ ସୁନ୍ଦର ପାର୍କ ତିଆରି କରାଯାଇଛି । ଏହି ପୀଠକୁ ଦେଖିବାପାଇଁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ମାନେ ଆସୁଛନ୍ତି । ଏଥି ସହିତ ସକାଳେ ଓ ସଂଧ୍ୟାରେ ସ୍ଥାନୀୟ ବରିଷ୍ଠ ନାଗରିକ, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ଓ ପିଲାମାନେ ବହୁ ସଂଖ୍ୟାରେ ଆସି ଭ୍ରମଣକରିବା ସହିତ ପୀଠ ଓ ପାର୍କର ସୌନ୍ଦଯ୍ୟ ଉପଭୋଗ କରିଥାନ୍ତି ।

ଚୌଦ୍ୱାର ଜେଲ, ଓଟିଏମ୍‌ ସ୍କୁଲ, ୟୁଏମ୍‌ଏସ୍‌ଏଲ କାରଖାନାର ମଧ୍ୟ ସ୍ଥଳରେ ଏକ ବିସ୍ତିର୍ଣ୍ଣ ପଡ଼ିଆର ମଧ୍ୟ ଭାଗରେ ଥିବା ଏହି ପର୍ଯ୍ୟଟନସ୍ଥଳୀରେ ଆଲୋକ ବ୍ୟବସ୍ଥା ନଥିବାରୁ ସଂଧ୍ୟାପରେ ଏହା ଭିତରେ ଅସାମାଜିକଙ୍କ ଭିଡ଼ ଜମୁଛି । ପାର୍କରେ ନିଶା ସେବନ ଠାରୁ ଆରମ୍ଭ କରି ବିଭିନ୍ନ ଅନୈତିକ କାର୍ଯ୍ୟ ହେଉଥିବା ନିତିଦିନିଆ ଘଟଣା ହେଲାଣି । ପାର୍କ ଭିତରେ ଜରି, ଛିଡ଼ା ଲୁଗା, କାଚ ବୋତଲ ଆଦି ଏଠିସେଠି ପଡ଼ିବାଦ୍ୱାରା ଏହାର ପରିବେଶ ବିଶେଷ ଭାବେ ନଷ୍ଟ ହେଉଛି । ଏଥି ସହିତ ପାର୍କ ଚାରିପଟେ ଲଗା ଯାଇଥିବା ତାରଜାଲିବାଡ଼କୁ ଅସାମାଜିକମାନେ ଅନେକ ସ୍ଥାନରେ କାଟିନେଇଥିବାରୁ ପାର୍କ ଭିତରକୁ ଦିନରେ ଗୋରୁଗାଈ ପଶିବା ସହିତ ରାତିରେ ଅସାମାଜିକମାନେ ଅବାଧରେ ପ୍ରବେଶ କରୁଛନ୍ତି । ଫଳରେ ଏହି ପ୍ରସିଦ୍ଧକ୍ଷେତ୍ରଟିର ସୌନ୍ଦର୍ଯ୍ୟ କ୍ରମେକ୍ରମେ ନଷ୍ଟ ହେବା ସହିତ ପର୍ଯ୍ୟଟନସ୍ଥଳିର ମହତ୍ୱ ନଷ୍ଟ ହେବାରେ ଲାଗିଛି ।

ପାର୍କଟିର ଉନ୍ନତିକରଣ, ଏହା ଚାରିପଟେ ଉଚ୍ଚ ପାଚେରୀ ନିର୍ମଣ, ଚତୁଃପାର୍ଶ୍ୱ ତଥା ପାର୍କ ଭିତରେ ଆଲୋକୀକରଣ, ଶୌଚାଳୟ ନିର୍ମାଣ, ପାନୀୟ ଜଳ ଯୋଗାଣ ସହିତ ଏହି ପର୍ଯ୍ୟଟନସ୍ଥଳିର ସୁରକ୍ଷା ପାଇଁ ଜଗୁଆଳି ନିଯୁକ୍ତି କରିବା ପାଇଁ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍‌ ତରଫରୁ ଭାରତ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗ ନିକଟରେ ଦାବି କରାଯାଇଛି । ଫାଉଣ୍ଡେସନ୍‌ ସଭାପତି ନରୋତ୍ତମ ଦାସ, ଉପ ସଭାପତି ଦୀଲ୍ଲିପ ସାହୁ, କାହ୍ନୁ ସେଠୀ, ଜୟ ପ୍ରକାଶ ସାହୁ ପ୍ରମୁଖ ସର୍ଭେକ୍ଷଣ ବିଭାଗ ଯନ୍ତ୍ରୀ ସୁମନ୍ତ ବିଶ୍ୱାସଙ୍କୁ ଭେଟି ଭୁବନେଶ୍ୱସ୍ଥିତ ଏଏସ୍‌ଆଇ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *