ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲାଞ୍ଜିଵେର୍ଣ୍ଣା ଚୁନଖଣି, ଵଣାଇ ଉପଖଣ୍ଡର କୋଇଡା ଖଣି, ଖାଦାନ ଠାରୁ ନେଇ କପଣ୍ଡ (କାଇ) କାରଖାନା ପ୍ରତିଷ୍ଠାର ଜନଶୁଣାଣୀ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଜନ ସାଧାରଣଙ୍କ ବିରୋଧର ସ୍ଵରକୁ ଚାପିଦେଇ କମ୍ପାନୀ ସପକ୍ଷରେ ମତ ପ୍ରକାଶ କରି ପ୍ରଶାସନ ଜନଶୁଣାଣୀକୁ ଏକ ପ୍ରହସନରେ ପରିଣତ କରାଯାଉଥିବା ବର୍ତ୍ତମାନ ବଣାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତକାଲି ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ପୁରୁଣା ପାଣି ପଞ୍ଚାୟତର କପଣ୍ଡ ଠାରେ ( କାଇ) କମ୍ପାନୀ ପକ୍ଷରୁ କାରଖାନା ପ୍ରତିଷ୍ଠା ନିମନ୍ତେ ହେଉଥିବା ଜନଶୁଣାଣୀରେ ସ୍ଥାନିୟ ଲୋକଙ୍କ ଉପରେ ପୋଲିସର ନାଲି ଆଖି ଓ ଦମନ ଲୀଳା ଦେଖିବାକୁ ମିଳିଛି ।

ଶହ ଶହ ସଂଖ୍ୟାରେ ଆଦିବାସୀ ପୁରୁଷ ଓ ମହିଳା ଜନଶୁଣାଣୀ ଶିବିରରେ ନିଜର ମତ ସାବ୍ୟସ୍ତ କରିବା ନିମନ୍ତେ ଆସିଥିବା ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଅଟକାଇବା ସହିତ ଜନଶୁଣାଣୀ ସ୍ଥାନରେ ଗେଟ୍ ବନ୍ଦ କରି ସେମାନଙ୍କୁ ଭିତରେ ପ୍ରବେଶ କରିବା ନିମନ୍ତେ ଅନୁମତି ନଦେବା, ଧମକ ଚମକ ଦେଇ ଗିରଫ କରିବା ନିମନ୍ତେ ପୋଲିସର ଆଭିମୁଖ୍ୟକୁ ନେଇ ବର୍ତ୍ତମାନ ଜନସାଧାରଣରେ ପ୍ରଶ୍ନ ଉଠିଛି । ସକାଳୁ କମ୍ପାନୀ ଦ୍ଵାରା କିଣାଯାଇଥିବା ଜନତାକୁ ପ୍ରବେଶ କରାଇ ସ୍ଥାନ ପୂରଣ ହୋଇଯାଇଥିବା ପ୍ରକାଶ କରିବା କେତେ ଦୂର ଯୁକ୍ତିଯୁକ୍ତ ? ବଣାଇର ବିଧାୟକ ମହୋଦୟ ଭିତରେ ଉପସ୍ଥିତ ଥାଇ ମଧ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କ ଉପରେ ଏପ୍ରକାର ଆଚରଣକୁ ଜାଣିପାରିଲେ ନାହିଁ କେମିତି ? ନାଁ ଏସବୁ ଜନ ସାଧାରଣ ତାଙ୍କ ନିର୍ବାଚନ ମଣ୍ଡଳୀର ନୁହନ୍ତି । ନାଁ କାରଖାନା ପ୍ରତିଷ୍ଠା ହେଲେ ଆଗକୁ ନିଜର ଶ୍ରମିକ ସଂଗଠନ ତିଆରି ନିଶାରେ ଆପଣ ମୁଁହ ବନ୍ଦ କରିଦେଲେ । ସାଂସଦଙ୍କ କଥା ନକହିବା ଭଲ, ଯେଉଁଠି ଶହ ଶହ ଲୋକ ସ୍ପଞ୍ଜ ଆଇରନ କାରଖାନା ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି ସେ ସମୟରେ ଆପଣମାନେ ଲୋକଲୋଚନକୁ ନ ଆସିବା ଆପଣଙ୍କ ପାରିବା ପଣିଆ ଉପରେ ସ୍ପଷ୍ଟ ଇଙ୍ଗିତ କରୁଛି । ବିଧାୟକ, ସାଂସଦ ଥାଇ ମଧ୍ୟ ଵଣାଇର ଜନସାଧାରଣ ଆଜି କମ୍ପାନୀ ଦ୍ଵାରା ନିର୍ଯାତିତ । ଆପଣମାନେ ଆଗକୁ ନ ଆସିବା ଯୋଗୁ ପ୍ରଶାସନ ଆଜି ମନ ଇଚ୍ଛା ଶାସନ ଚଳେଇବାରେ ସକ୍ଷମ ହେଉଛି । ଗତ କାଲି କମ୍ପାନୀ ସପକ୍ଷରେ ନିଶ୍ଚିତ ଭାବରେ ପ୍ରଶାସନ ରିପୋର୍ଟ ପ୍ରଦାନ କରିଥିବ ଏଥିରେ ସଂନ୍ଦେହ ନାହିଁ । କେତେ ଦିନ ଵଣାଇର ଜନସାଧାରଣ ଏମିତି ନିଷ୍ପେସିତ ହୋଇ ଚାଲିଯିବେ ଓ ଏହାର ଅନ୍ତ କେଵେ ତାହା ଦେଖିବାକୁ ବାକି ରହିଲା ।
