ନିଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘର ଅଭିଯୋଗ : ସରକାରଙ୍କ ବହି କ୍ରୟ ନୀତିକୁ ନେଇ ଅସନ୍ତୋଷ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି ବା ଓସେପା ପକ୍ଷରୁ ବହି କ୍ରୟ ନୀତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଓସେପା କ୍ଷୁଦ୍ର ପ୍ରକାଶକଙ୍କୁ ଗୁରୁତ୍ବ ନଦେଇ ‘ତେଲିଆ ମୁଣ୍ଡରେ ତେଲ’ ଢାଳୁଥିବା ଅଭିଯୋଗ ଆଣିଛନ୍ତି ନିଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘ । ନିକଟରେ ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପାଠାଗାର ଉପଯୋଗୀ ପୁସ୍ତକ କ୍ରୟ କରିବାପାଇଁ ବିଜ୍ଞାପନ ପ୍ରକାଶ କରିଛନ୍ତି । ମାତ୍ର, ଏହି ବିଜ୍ଞାପନ ପଢ଼ିଲେ ମନେହୁଏ ଓଡ଼ିଶାର ୬୭ଟି ପୁସ୍ତକ ପ୍ରକାଶକଙ୍କ ସ୍ବାର୍ଥ ପାଇଁ ଏହା ଉଦ୍ଦିଷ୍ଟ । କାରଣ ଓସେପା ଏହି ପୁସ୍ତକ କେବଳ ସେହି ପ୍ରକାଶକଙ୍କଠାରୁ କିଣିବ, ଯାହାଙ୍କର ଗତ ବାର୍ଷିକ ବ୍ୟବସାୟ ୨୦ ଲକ୍ଷ ଟଙ୍କା ହୋଇଥିବ ଏବଂ ସର୍ବନିମ୍ନ ୨୦ ଖଣ୍ଡ ବହି ଦାଖଲ କରିପାରୁଥିବ । କରୋନା କାଳରେ ବହି ଛାପା ଓ ବିକ୍ରି ମାନ୍ଦା ଥିବାବେଳେ ଏତେ ବହି ବିକ୍ରି କରିବା କ୍ଷୁଦ୍ର ପୁସ୍ତକ ପ୍ରକାଶକମାନଙ୍କ ପକ୍ଷେ ସମ୍ଭବ ନୁହେଁ । ଏହାବ୍ୟତୀତ ଓସେପାର ଟେଣ୍ଡର ପ୍ରକ୍ରିୟା ୧୭ ପୃଷ୍ଠା ବିଶିଷ୍ଟ ଓ ଏତେ କ୍ଲିଷ୍ଟ ଯେ, ଏହାକୁ ଅନୁସରଣ କରି ପୁସ୍ତକ ଦାଖଲ କରିବା ସହଜ ନୁହେଁ । ଏଣୁ ସହଜ ପଦ୍ଧତି ଅବଲମ୍ବନ କରାଯାଇ ଏହି ପୁସ୍ତକ କିଣାଯାଉ ଯେପରିକି ଜଣେ କ୍ଷୁଦ୍ର ପୁସ୍ତକ ପ୍ରକାଶକ ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ । ବଡ଼ ବଡ଼ ପୁସ୍ତକ ପ୍ରକାଶକଙ୍କ ପାଖରେ ଭଲ ବହି ଅଛି ଏବଂ କ୍ଷୁଦ୍ର ପୁସ୍ତକ ପ୍ରକାଶକମାନଙ୍କ ପାଖରେ ଭଲ ବହିନାହିଁ ବୋଲି ଓସେପା ଭାବୁଛି । ଯାହାକୁ ଦୃଷ୍ଟିରେ ରଖି ଏହି କ୍ଲିଷ୍ଟ ଟେଣ୍ଡର ପ୍ରକାଶ କରିଥିବା ନଖିଳ ଉତ୍କଳ କ୍ଷୁଦ୍ର ପ୍ରକାଶକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ଆହୁରି ମଧ୍ୟ ସଂଘ ଅଭିଯୋଗ କରିଛି ଯେ, ଏହା ରୀତିମତ ଏକ ଷଡ଼୍‌ଯନ୍ତ୍ର । ଏଥିରେ କିଏ କେତେ ପିସି ନେବେ ପୂର୍ବରୁ ଦିଆସରିଛି । ସରକାର ଏହିଭଳି କେତେକ ପ୍ରକାଶକମାନଙ୍କ କଥାରେ ଭଳି ପୁସ୍ତକମେଳା ବନ୍ଦକଲେ । ଅଂଶୁଘାତ ହେବ, ଝଡ଼ ତୋଫାନ ହେବ, ପ୍ରଚଣ୍ଡ ରୌଦ୍ରତାପରେ ପାଠକମାନେ ଘରୁ ବାହାରିବା ସମ୍ଭବ ହେବନାହିଁ, କାଳବୈଶାଖୀରେ ବହି ସବୁ ନଷ୍ଟ ହୋଇଯିବା ଇତ୍ୟାଦି କାରଣ ଦର୍ଶାଇଲେ । ଫଳରେ, ବହି ବ୍ୟବସାୟ ବନ୍ଦକରିବା ଓ ଆୟ କମାଇଦେବା ପାଇଁ ଏହା ଏକ ଚକ୍ରାନ୍ତ ଥିଲା । ଏଣୁ, ଓସେପା ତେଲିଆ ମୁଣ୍ଡରେ ତେଲ ଢାଳିବା ବନ୍ଦ କରି ନଖରା ମୁଣ୍ଡରେ ଥିବା ଗରିବ କ୍ଷୁଦ୍ର ପୁସ୍ତକ ପ୍ରକାଶକ ଓ ବିକ୍ରେତାମାନଙ୍କ କଥା ବୁଝନ୍ତୁ । ନଚେତ୍‌ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ ହେବା ସୁନିଶ୍ଚିତ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *