ପୁରୀ : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ହଟହଟା ହୋଇଛନ୍ତି । ଶନିବାର ଏଭଳି ଘଟଣା ଘଟିଛି ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକରେ । ଶତାଧିକ ବିଜେଡି କର୍ମୀ ମନ୍ତ୍ରୀଙ୍କ ଗାଡ଼ି ଅଟକାଇବା ସହ ପ୍ରଚାର ସଭାରେ ପଡ଼ିଥିବା ଚୌକିଗୁଡ଼ିକୁ ଫିଙ୍ଗା ଫୋପଡ଼ା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରୀ ଶ୍ରୀ ଦାଶ ପଞ୍ଚାୟତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପାଇଁ ଯାଇଥିଲେ । ପ୍ରାର୍ଥୀ ଚୟନକୁ କେନ୍ଦ୍ର କରି ସ୍ଥାନୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ତେଣୁ ମନ୍ତ୍ରୀ ସେଠାରେ ପହଞ୍ଚିବା ମାତ୍ରେ ଶତାଧିକ କର୍ମୀ ତାଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । କିଛି କର୍ମୀ ଚୌକି ଫିଙ୍ଗା ଫୋପଡ଼ା କରିବା ଦେଖି ମନ୍ତ୍ରୀ ସେଠାରେ ସଭା କରିନପାରି ନିଜ ଗାଡ଼ିକୁ ଫେରି ଯାଇଥିଲେ । ତେବେ ଆପଣ ଟିକେ ଆସନ୍ତୁ ଆଜ୍ଞା ଆଲୋଚନା କରିବା ବୋଲି କେତେକ କର୍ମୀ ମନ୍ତ୍ରୀଙ୍କୁ କହିଥିଲେ । ମନ୍ତ୍ରୀ ସେମାନଙ୍କ କଥା ଗ୍ରହଣ କରିନଥିଲେ । ମୋତେ ଭଣ୍ଡମି ଆଦୌ ପସନ୍ଦ ନୁହେଁ, ବୋଲି ମନ୍ତ୍ରୀ ବାରମ୍ବାର କହୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସେଠାରେ ଉତେଜନା ବୃଦ୍ଧି ପାଇଥିଲା । ବହୁ ଲୋକ ମନ୍ତ୍ରୀଙ୍କ ଗାଡ଼ି ଚାରିପଟ ଘେରି ଯିବା ସହ ତାଙ୍କୁ ଯିବାକୁ ଦେଇ ନଥିଲେ । ଏଭଳି ହଟହଟା ହେବାପରେ ମନ୍ତ୍ରୀ ସେଠାରୁ ଚାଲି ଯାଇଥିଲେ । ଏହି ଘଟଣା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ହୋଇଛି । ମନ୍ତ୍ରୀଙ୍କୁ ଲୋକେ ଘେରାଉ କରି ରଖିବା ସହ ସଭାମଂଚ ଚୌକି ଫିଙ୍ଗା ଫୋପଡା କରୁଥିବା ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏ ସଂପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
