ତରାମାଳ ଗ୍ରାମ ନିକଟରେ ହାତୀ ଆତଙ୍କ

ଗୁଣପୁର : ରାୟଗଡା ଜିଲ୍ଲା ଗୁଣପୁର ରେଞ୍ଜ ତରାମାଳ ଗ୍ରାମ ନିକଟରେ ହାତୀ ଆତଙ୍କ । ଦୀର୍ଘ ୨୫ ଦିନରୁ ଉର୍ଦ୍ଧ୍ବ ହେଲା ନଦୀ ନିକଟରେ ୬ ଟିକିଆ ବଣୁଆ ହାତୀଙ୍କ ଉପଦ୍ରବ ଚାଲିଛି । ଶନିବାର ଅପରାହ୍ନରେ ଗ୍ରାମର ଜଗବନ୍ଧୁ ଶବର( ୫୨) ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୁଣ୍ଡରେ  ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ  ସ୍ଥାନାନ୍ତର କରାଯାଇଛି । ପଦ୍ମପୁର ବନପାଳ ମାଝୀ ମହାପାତ୍ର, ଗୁଣପୁରରୁ ବନରଖି ଶିବ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପହଁଚି ଆହତ ଜଗବନ୍ଧୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝି ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ହାତୀପଲ  ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଗୁଣପୁର ରେଞ୍ଜ ପଦ୍ମପୁର ବନାଞ୍ଚଳର ଝୁମ୍ପାପୁର, ଫୁଲପୁଟି ଏବଂ ତରାମାଲ ଜଙ୍ଗଲ ନିକଟରେ ହାତୀ ଅନୁକୂଳ ପରିବେଶ ଥିବା ଲାଗି ରହୁଥିବା ବନ ବିଭାଗ ସୂଚନା ଦେଇଛି । ହାତୀ ଚଳପ୍ରଚଳ ହେଉଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଲୋକେ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ଗଜପତି ଜିଲା ଲାଖରି ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଏହି ଅଞ୍ଚଳକୁ ଆସି ଉପଦ୍ରବ କରୁଥିବା ଜଣାପଡିଛି । ହାତୀ ଘଉଡାଇବା ପାଇଁ ବନ ବିଭଗକୁ ଏଠାକାର ଲୋକମାନେ ନିବେଦନ କରିଛନ୍ତି । ଅନ୍ୟପଟେ ତରାମାଳ ଗ୍ରାମ ନିକଟରେ ବହିଯାଉଥିବା ନଦୀ ପାର୍ଶ୍ଵରେ ଅନେକ ଆଦିବାସୀ ଚାଷୀଙ୍କ କାନ୍ଦୁଲ, କପା, ପନିପରିବା ଚାଷ ମଧ୍ୟ ହାତୀ ପଲ ନଷ୍ଟ କରିଛନ୍ତି । ଚାଷୀମାନେ ବ୍ୟାପକ ଫସଲ ନଷ୍ଟ ହେଇଥିବା ଅଭିଯୋଗ କରିଛନ୍ତି । ଏପଟେ ବନବିଭାଗର ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା କୁହାଯାଇଛି । ହାତୀପଲ ଅଞ୍ଚଳରେ କ୍ଷୟକ୍ଷତି କରିଥିବା ଚାଷୀଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ଶନିବାର ତରାମାଳ ଅଞ୍ଚଳରେ ଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଆହତ ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ଥିବାବେଳେ ଜଙ୍ଗଲରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *