୧୯୨ ଅବକାରୀ ଥାନାରେ ଗାଡ଼ି ନାହିଁ, ଚଢ଼ଉ ପାଇଁ ପାଳି କରି ନେଉଛନ୍ତି ଗାଡ଼ି

କଟକ : ରାଜ୍ୟରେ ଖଣି ବିଭାଗ ପରେ ଦ୍ବିତୀୟ ସର୍ବାଧିକ ରାଜସ୍ବ ଆଦାୟ କରୁଥିବା ଅବକାରୀ ବିଭାଗରେ କୌଣସି ଥାନାରେ ଖଣ୍ଡିଏ ବି ଚାରି ଚକିଆ ଗାଡ଼ି ନାହିଁ । ୨୦୨୧-୨୨ ଆର୍ଥିକ ବର୍ଷରେ ୮ ହଜାର କୋଟି ଟଙ୍କା ରାଜସ୍ବ ଆଦାୟ କରିଥିବା ଅବକାରୀ ବିଭାଗରେ ଏଭଳି ଚକିତ କଲା ଭଳି ସ୍ଥିତି ଉଦ୍‌ବେଗର କାରଣ ହୋଇଛି । ପୂର୍ବରୁ ଅବକାରୀ ବିଭାଗରେ ଅଫିସରଙ୍କ କଳଙ୍କି ଲଗା ବନ୍ଧୁକ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା । ଏବେ ବିନା ଗାଡ଼ିରେ ଅବକାରୀ ବିଭାଗ ଚାଲୁଥିବା ଘଟଣା ଉଦବେଗ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୫୮ ଟି ରେଞ୍ଜକୁ ଗୋଟିଏ ଲେଖାଏ ଗାଡ଼ି ମିଳିଥିବା ବେଳେ, ୧୯୨ଟି ଥାନା ପାଇଁ ସ୍ବତନ୍ତ୍ର ଭାବେ ଗାଡ଼ି ନାହିଁ । ରାଜ୍ୟରେ ପ୍ରତି ରେଞ୍ଜ ଅଧିନରେ ଥିବା ତିନୋଟି ଥାନାର ଅଧିକାରୀମାନେ ଏବେ ଚଢ଼ଉ ପାଇଁ ଗାଡ଼ି ପାଇବାକୁ ନିଜ ଭିତରେ ଟଣାଓଟରା ହେଉଛନ୍ତି । ଜିଲ୍ଲା ସ୍ତରରେ ଗୋଟିଏ ରେଞ୍ଜ ଓ ତିନୋଟି ଥାନା ପାଇଁ ଗୋଟିଏ ଚାରି ଚକିଆ ଗାଡ଼ି ଦିଆଯାଇଥିବାରୁ ଚଢ଼ଉ ପାଇଁ ଆଗୁଆ ପାଳି କରିବାକୁ ପଡୁଛି । କିନ୍ତୁ ହଠାତ୍ କୌଣସି ଅବକାରୀ ମାମଲାରେ ଚଢ଼ଉ କରିବାକୁ ହେଲେ ସମସ୍ୟା ସୃଷ୍ଟି ହେଉଛି । ଜିଲ୍ଲାର ରେଞ୍ଜ ସ୍ତରରେ ଗାଡ଼ି ଖାଲି ଥିଲେ ମିଳେ, ନଚେତ୍ ବାଧ୍ୟ ହୋଇ ଚଢ଼ଉ ବାତିଲ୍ କରିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି ।

୧୯୧୫ ରେ ବ୍ରିଟିସ୍ ଅମଳରୁ ଆରମ୍ଭ ହୋଇଥିବା ଅବକାରୀ ବିଭାଗକୁ ୧୦୭ ବର୍ଷ ପୁରିଲାଣି । ୨୦୨୦-୨୧ ବର୍ଷ ତୁଳନାରେ ୨୦୨୧-୨୨ ବର୍ଷରେ ୨୦ ପ୍ରତିଶତ ଅଧିକ ରାଜସ୍ବ ଆଦାୟ କରିଛି ଅବକାରୀ ବିଭାଗ । କିନ୍ତୁ ବିଭାଗ ଭିତର ସ୍ଥିତି ଏତେ ଶୋଚନୀୟ ହୋଇ ପଡ଼ିଛି ଯେ ଏହା ବିଭାଗୀୟ ଅଧିକାରୀଙ୍କ ଅସନ୍ତୋଷର ପ୍ରମୁଖ କାରଣ ହେଲାଣି । ମାସିକ ଥାନା ପିଛା ହାରାହାରି ୧୦ ରୁ ୧୫ଟି ମାମଲାର ତଦନ୍ତ ଦାୟିତ୍ବ ପଡ଼ୁଥିବା ବେଳେ ଗୋଟିଏ ଚାରି ଚକିଆ ଗାଡ଼ିରେ ରେଞ୍ଜ ଓ ଥାନାର ଅବକାରୀ ବାବୁ ଗ୍ରାମାଞ୍ଚଳରେ ଅପରାଧୀଙ୍କୁ ଧରିବାରେ ନାକେଦମ୍ ହେଉଛନ୍ତି । ୨୦୨୦-୨୧ ରେ ୨୫ ହଜାର ୪୬୬ ମାମଲା ଠାବ ହୋଇଥିବା ବେଳେ ୨୦୨୧-୨୨ ରେ ୪୦ ହଜାର ୪୨୭ ମାମଲାକୁ ବୃଦ୍ଧି ପାଇଛି । ପ୍ରତ୍ୟେକ ବର୍ଷ ଅଫିସରଙ୍କୁ ମାସିକ ମାମଲା ଠାବ ପାଇଁ ଟାର୍ଗେଟ୍ ଦିଆଯାଉଛି । ବିନା ଭିତ୍ତିଭୂମିରେ ଅଫିସରମାନେ ମାନସିକ ଚାପରେ ଏକ ପ୍ରକାର ରହୁଥିବା ପ୍ରକାଶ କରୁଛନ୍ତି ।

ପୂର୍ବରୁ ଜିଲ୍ଲାରେ ମାତ୍ର ଗୋଟିଏ ଗାଡ଼ି ସାରା ଜିଲ୍ଲାରେ ଥାନା ଓ ରେଞ୍ଜ ପାଇଁ ବ୍ୟବହାର ହେଉଥିଲା । ଏବେ ୩୩ ଅବକାରୀ ଜିଲ୍ଲାର ମୋବାଇଲ୍ ୟୁନିଟ, ତିନୋଟି ଅବକାରୀ ଗୁଇନ୍ଦା ଏବଂ ଏନଫୋର୍ସମେଣ୍ଟ ବ୍ୟୁରୋ ସହିତ ରାଜ୍ୟ ଫ୍ଲାଇଂ ସ୍କ୍ବାଡ, ରେଞ୍ଜରେ ଗାଡ଼ି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଏହା କିନ୍ତୁ ଥାନା ସ୍ତରର ଅଭାବକୁ ମେଣ୍ଟାଇବାରେ ଅକ୍ଷମ ହୋଇଛି । ଏବେ ନୟାଗଡ଼ ଜିଲ୍ଲାକୁ ମିଶାଇ ତିନିରୁ ଚାରିଟି ଜିଲ୍ଲାରେ ବି ଏସପିଙ୍କ ପାଇଁ ଗାଡ଼ି ଖଣ୍ଡେ ନାହିଁ । ମୋବାଇଲ୍ ୟୁନିଟ ନହେଲେ ରେଞ୍ଜରେ ଥିବା ଗାଡ଼ିରେ ଏସପି ଯିବା ଆସିବା କରୁଥିବା ଘଟଣା ବିଭାଗର ‌ଦୟନୀୟ ସ୍ଥିତିକୁ ଦର୍ଶାଉଛି ।

Leave a Reply

Your email address will not be published. Required fields are marked *