ବଣାଇ : ବଣାଇଗଡ ସହରସ୍ଥିତ ରାଜା ଧରଣୀ ଧର ବହୁମୁଖୀ ଖେଳ ପଡିଆ ଠାରେ ଶ୍ରୀ ଶ୍ରୀ କଦମ୍ବ କେଶରୀ ସାଂସ୍କୃତିକ କଳା ପରିଷଦର ବାର୍ଷିକ ଲୋକକଳା ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କଳାକାରମାନେ ଏକତ୍ରିତ ହୋଇ ଦେଓଗାଁ ସ୍ଥିତ ବାବା ବାଣେଶ୍ଵର ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବହୁମୁଖୀ ଖେଳ ପଡ଼ିଆରେ ଥିବା ମଞ୍ଚ ନିକଟରେ ପହଞ୍ଚିଥିଲେ । ପରବର୍ତୀ ସମୟରେ ବିଭିନ୍ନ କଳାକାରମାନେ ନିଜ ନିଜର କଳା ପରିବେଷଣ କରିଥିଲେ । ଏହି କଳାକାର ମହୋତ୍ସବରେ ଓଡିଶୀ, ପାଇକ ଆଖଡା, ଦାଶକାଠିଆ, କିସାନ ନୃତ୍ୟ, ଆଦିବାସୀ ନୃତ୍ୟ, କୃଷ୍ଣଗୁରୁ, ସଂପ୍ରଦା, ଲୋକ ନୃତ୍ୟ, କୀର୍ତ୍ତନ ମଣ୍ଡଳୀ, ପାଉଡି ଭୂୟାଁ ନୃତ୍ୟ ଆଦି ୩୦୦ ରୁ ଉର୍ଦ୍ଧ୍ବ ଦଳ ଏଠାରେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ ମୁଖ୍ୟ ବକ୍ତା ଭାବେ, ଆବାହକ ଓଡ଼ିଶା ସାଂସ୍କୃତିକ ସମନ୍ୱୟ ସାମୁଖ୍ୟ ରବି ନାରାୟଣ ନନ୍ଦ, ସମ୍ମାନୀତ ଅତିଥି ଭାବେ କୁଲଦୀପ ଖାଖା ସୁନ୍ଦରଗଡ଼ ଜିଲ୍ଲା ସାଂସ୍କୃତିକ ଅଧିକାରୀ, ରମେଶ ସୁନା ସଂଯୋଜକ ଓଡିଶା ସାଂସ୍କୃତିକ ସମନ୍ନୟ ସାମୁଖ୍ୟ ରାଉରକେଲା, ଫକୀର ବାଡ଼ା ଉପ ସଭାପତି ଜିଲ୍ଲା ସଂସ୍କୃତି ଓ କଳା ସଂଘ, ସୁନ୍ଦରଗଡ଼ ପ୍ରମୁଖ ଯୋଗଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇର ବରିଷ୍ଟ କଳାକାର ତଥା ବିକେଏସଏସ ସାଂସ୍କୃତିକ ସଂଘର ଉପ ସଭାପତି, କଦମ୍ବ କେଶରୀ କଳା ପରିଷଦର ଉପଦେଷ୍ଟା ଖଗେଶ୍ବର ବାରିକ, ଶ୍ରୀ ଶ୍ରୀ କଦମ୍ବ କଳା ପରିଷଦର ସଭାପତି ଦଶରଥ ସାହୁ ସୁନ୍ଦରଗଡ଼ ବିକେଏସଏସ ସାଂସ୍କୃତିକ ସଂଘର ଅନ୍ୟ ୧୭ ଗୋଟି ବ୍ଲକର ସମସ୍ତ ଉପ ସଭାପତିମାନେ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ କଳାର ଉନ୍ନତି ତଥା କଳାପ୍ରେମୀ କଳାକାରମାନଙ୍କ ଉନ୍ନତି ପାଇଁ ଉଚିତ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । କାର୍ଯ୍ୟକ୍ରମରେ ପଦ୍ମ ଚରଣ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ୫ ହଜାର ରୁ ଉର୍ଦ୍ଧ୍ବ କଳାକାର ଯୋଗଦେଇ ଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ହୃଦାନନ୍ଦ ବେହେରା, ଗଣତନ୍ତ୍ର ସାହୁ, ପ୍ରଫୁଲ୍ଲ ପଲେଇ, ଶ୍ରୀ ମନ୍ତ ମହାକୁଳ, ଭୁବନାନନ୍ଦ କିସାନ, ଋତୁରାଜ ରାୟ, ଭରତ ସାହୁ, ବେଣୁଧର ସାହୁ ପ୍ରମୁଖ ସହଯୋଗ କରିଥିଲେ ।
