ନୟାଗଡ଼ : ଶୁକ୍ରବାର ବିଳମ୍ବିତ ରାତ୍ରରେ ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ପୋଲରୁ ଏକ ତୈଳବାହୀ ଟ୍ୟାଙ୍କର୍ ଟ୍ରକ୍ ନଦୀକୁ ଖସି ପଡ଼ିବା ପରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ସ୍ଥାନୀୟ ଲୋକଙ୍କ ଠାରୁ ସଂଗୃହୀତ ସୂଚନା ଅନୁସାରେ, ପେଟ୍ରୋଲ୍ ନେଇ ଉକ୍ତ ଟ୍ୟାଙ୍କର୍ ଟ୍ରକ୍ଟି କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିଲା । କୌଣସି କାରଣରୁ ଟ୍ୟାଙ୍କର୍ ଟ୍ରକ୍ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ପୋଲ ଉପରୁ ଖସି ତଳେ ପ୍ରବାହିତ କୁସୁମୀ ନଈରେ ପଡ଼ିଯିବା ପରେ ଫାଟିଯିବାରୁ ସେଥିରେ ନିଆଁ ଲାଗିଯାଇଥିଲା ।

ନିଆଁ ଲାଗିଯିବା ହେତୁ ଟ୍ୟାଙ୍କର୍ ଟ୍ରକ୍ର ଡ୍ରାଇଭର, ହେଲ୍ପର ଏବଂ ଆଉ ୨ଜଣ ବକ୍ତି ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି । ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ପରିଚୟ ମିଳିଥିବା ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ ଜଣ ହେଲେ ଟ୍ୟାଙ୍କର୍ ଟ୍ରକ୍ର ଚାଳକ ତଥା ସାନପଣ୍ଡୁସରବାସୀ ସମୀର ନାୟକ ଏବଂ ତାଙ୍କ ଗାଁର ପଙ୍କଜ ନାୟକ । ଆଉ ୨ ଜଣ ମୃତବ୍ୟକ୍ତିଙ୍କ ପରିଚୟ ସଂକ୍ରାନ୍ତରେ ଅନୁସନ୍ଧାନ ଚାଲିଛି ।
