ଭୁବନେଶ୍ବର : ଓଡ଼ିଶାରେ ୮ ଶହରୁ ୧ ହଜାର ଟଙ୍କାରେ ବି ଧାନ ବିକ୍ରି କରୁଛନ୍ତି ଚାଷୀ । ଭୁବନେଶ୍ବର ଠାରୁ ମାତ୍ର କିଛି କିଲୋମିଟର ଦୂର ଆଦିବାସୀ ଚାଷୀଙ୍କ ସ୍ଥିତି ଏମିତି ଅଟେ । ତେଣୁ ଯଥାଶୀଘ୍ର ସ୍ବାମୀନାଥନ କମିସନଙ୍କ ସୁପାରିସ ଅନୁସାରେ ଏମ୍ଏସ୍ପି ନିର୍ଦ୍ଧାରଣ କରନ୍ତୁ କେନ୍ଦ୍ରସରକାର । ନିର୍ବାଚନ ଏଜେଣ୍ଡାରେ ଏହି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ବିଜେପି । ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରାଯାଉ । ଏଥିସହିତ ସମସ୍ତ ରାଜନୈତିକ ଦଳ ମଧ୍ୟ ନିଜ ଏଜେଣ୍ଟାରେ ଏହାକୁ ନେଇ କ’ଣ ନୀତି ରଖିଛନ୍ତି, ତାହା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ସଂଯୁକ୍ତ କିଷାନ ମୋର୍ଚାର ସଦସ୍ୟ ରାକେଶ ଟିକାୟତ । ତିନି କୃଷି ନୀତି ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ୧୩ ମାସ ଧରି ଚାଲିଥିବା ଚାଷୀ ଆନ୍ଦୋଳନର ସଫଳତା ପରେ ପ୍ରଥମ ଥର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାକେଶ ଟିକାୟତ । ଏଥିପୂର୍ବରୁ ବ୍ରହ୍ମପୁରରେ ତାଙ୍କର ମହାପଞ୍ଚାୟତ କରାଯିବାର ଥିଲା । କିନ୍ତୁ ବାତ୍ୟା କାରଣରୁ ତାହା ସ୍ଥଗିତ ହୋଇଛି । ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ନିକଟବର୍ତ୍ତୀ କିଛି ଚାଷୀଙ୍କୁ ଭେଟିବା ପରେ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଏମ୍ଏସ୍ପିର ଆଇନଗତ ମାନ୍ୟତା ନ ମିଳିବା, ମଣ୍ଡି ଅବ୍ୟବସ୍ଥା, ଚାଷକୁ ପାଣି ସଙ୍କଟ, ଏଥିପଛର ମୂଳ କାରଣ । ରାଜଧାନୀ ଠାରୁ କିଛି କିଲୋମିଟର ଦୂର ଗ୍ରାମାଞ୍ଚଳର ଆଦିବାସୀ ଚାଷୀ ସହର ଦେଖିନାହାନ୍ତି । ତାଙ୍କ ପକ୍ଷରେ ମଧ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସ୍ବପ୍ନ ହୋଇ ରହିଛି । ସ୍ବାମୀନାଥନ କମିସନଙ୍କ ସୁପାରିସ ଅନୁସାରେ ଏମ୍ଏସ୍ପିର ଆଇନଗତ ମାନ୍ୟତା ମିଳିଲେ ଆଦିବାସୀ, କ୍ଷୁଦ୍ର, ନାମମାତ୍ର ଏବଂ ମହିଳାଚାଷୀ ଯେଉଁମାନେ ପ୍ରକୃତ ପକ୍ଷରେ ଶୋଷିତ ହେଉଛନ୍ତି, ସେମାନଙ୍କୁ ନିଜ ଉତ୍ପାଦନର ଧାର୍ଯ୍ୟ ମୂଲ୍ୟ ମିଳିବ ନାହିଁ । ବର୍ତ୍ତମାନ ୨୩ ଟି ଫସଲରେ କେନ୍ଦ୍ରସରକାର ଏମ୍ଏସ୍ପି ଘୋଷଣା କରିଛନ୍ତି । ଆଗାମୀ ଦିନରେ ଅନ୍ୟ ଫସଲକୁ ଏଥିରେ ସାମିଲ କରିବା ପାଇଁ ଦାବି କରାଯିବ । ସମଗ୍ର ଦେଶର ସବୁ ବର୍ଗର ଚାଷୀଙ୍କ ହକ୍ ପାଇଁ ସ୍ବର ଉଠିବ ବୋଲି ଶ୍ରୀ ଟିକାୟତ କହିଛନ୍ତି । ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ପରେ ଜାନୁଆରି ୧୫ ରେ କେନ୍ଦ୍ର ସରକାରଙ୍କ ସହିତ ମୋର୍ଚାର ସମୀକ୍ଷା ବୈଠକ ହେବ । ଆନ୍ଦୋଳନ ପ୍ରତ୍ୟାହାର ବେଳେ ସରକାର ଏବଂ ମୋର୍ଚା ମଧ୍ୟରେ ହୋଇଥିବା ଚୁକ୍ତିନାମାର କାର୍ଯ୍ୟକାରିତା ବିଷୟରେ ଆଲୋଚନା ହେବ । ସେହି ଅନୁଯାୟୀ ଆଗାମୀ ଦିନରେ ଚାଷୀ ଆନ୍ଦୋଳନର ରଣନୀତି ମଧ୍ୟ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଟିକାୟତ ଉତ୍ତରପ୍ରଦେଶ ନିର୍ବାଚନ ସମ୍ପର୍କରେ କହିଥିଲେ ଯେ ଆଚାର ସଂହିତା ଲାଗୁ ହେବା ପରେ ନିର୍ବାଚନକୁ ନେଇ ଚାଷୀ ସଙ୍ଗଠନର ରଣନୀତି ଘୋଷଣା କରାଯିବ । ଲଖିମପୁର ଖିରିରେ ଚାଷୀଙ୍କୁ ଗାଡ଼ି ଦଳିଦେବା ଘଟଣାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି ଜାରି ରହିଛି ବୋଲି ସେ କହିଥିଲେ ।
