ଗୁଡଭେଲା : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗାଁରେ ନେତାଙ୍କ ଭିଡ଼ ସେତେ ଜମୁଛ । ଭୋଟ ହାତେଇବା ପାଇଁ କରୁଛନ୍ତି ମାରଥାନ ପ୍ରଚାର । ମନ୍ତ୍ରୀ ଗାଁ ଗାଁ ବୁଲି ନିଜ ଦଳିୟ ପ୍ରାର୍ଥୀ ଓ ସମର୍ଥକ ସହ ନିର୍ବାଚନୀ ସଭା କରି ମାଳ ମାଳ ସମସ୍ୟାର ସମାଧାନର ପ୍ରତିଶ୍ରୁତି ପାହାଡ଼ ଠିଆ କରି ଭୋଟ ହାତେଇବା ପାଇଁ ଲାଗି ପଡିଛନ୍ତି । ଶନିବାର ଦିନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଟୁକୁନି ସାହୁ ଗୁଡଭେଲା ବ୍ଳକ ୬ ନମ୍ବର ଜିଲ୍ଲା ପରିଷଦ ଜୋନର୍ ପାଇଁ ନିଜର ଦଳିୟ ପ୍ରାର୍ଥୀ ରାମନିବାସ ଅଗ୍ରୱାଲକୁ ନେଇ ଭୋଟ ଭିକ୍ଷା କରିଛନ୍ତି । ଗୁଡଭେଲା ବ୍ଳକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଗଣିତ ଗମ୍ଭାରିଗୁଡା ପଞ୍ଚାୟତର ଗଭାରସା ଓ ସିକେରପାଟ ଗାଁ ଯାଇ ମନ୍ତ୍ରୀ ଆଦିବାସୀ ବିକାଶର ମାଳମାଳ ପ୍ରତିଶ୍ରୁତି ଦେବା ସହ ବିଜେଡିର ପ୍ରାର୍ଥୀଙ୍କୁ ବହୁ ମାତ୍ରାରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ଗୁଡ଼ଭେଳା ବ୍ଳକର ଗଭାରସା ହେଉଛି ଜଙ୍ଗଲ ପର୍ବତ ଘେରା ଆଦିବାସୀ ବହୁଳ ଗାଁ । ପ୍ରତି ସମୟରେ ବନ୍ୟ ହିଂସ୍ର ଜନ୍ତୁକଙ୍କ ଭୟ କରି ଜୀବନ ଯାପନ କରୁଛନ୍ତି ଗାଁ ଲୋକେ । ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ସିମାନ୍ତବର୍ତ୍ତି ଗାଁ ହେଇଥିବାରୁ ଏଠାରେ ବିକାଶ ଯୋଜନା ଅପହଞ୍ଚ ହୋଇଛି । ବିଭିନ୍ନ ସମୟରେ ମାଓବାଦୀଙ୍କ ଗତିବିଧି ରହିଥିବା ପରିଲକ୍ଷିତ ହେଇଛି ।ସେମାନଙ୍କ ଜୀବିକ କହିଲେ ବନ୍ୟାଜାତ ଦ୍ରବ୍ୟ, ଶାଳ ପତ୍ର, କରଡୀ ହେଣ୍ଡୁଆ, ଚାହାର କୁଳିମି ସହ ଛେଳିମେଣ୍ଢା ବିକ୍ରି କରି ନିଜର ଜୀବିକା ଅର୍ଚ୍ଚନ କରିଥାନ୍ତି । ସେହିପରି ଗାଁକୁ ମନ୍ତ୍ରୀଙ୍କ ଆସିବା ପରେ ରାସ୍ତାଘାଟ, ପାଣିୟ ଜଳ, ଜୀବନ ଜୀବିକା, ଶିକ୍ଷା ସ୍ବାସ୍ଥ୍ୟର ଅନେକ ସମସ୍ୟା ବଖାଣିବା ପରେ ସବୁ ପ୍ରକାର ସମସ୍ୟାର ସମାଧାନ କରାଯିବ ବୋଲି ବିଭିନ୍ନ ସମୟରେ ଆସି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହାନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ସେହିପରି ସିକେଲପଦର ଗାଁକୁ ଆସି ନିର୍ବାଚନ ସଭା କରି ଭୋଟ ଭିକ୍ଷା କରିଥିଲେ । ସିକେଲପଦର ଓ ଠେଲକୋଭେଲା ଗାଁ ୧୯୫୪ ମସିହାରେ ପର୍ବତ ଉପରେ ଥିବା ଡୁଡୁଙ୍ଗରୁ ପ୍ରଶାସନ ଦୁଇଟି ସ୍ଥାନରେ ଥଇଥାନ କରିଥିଲା । ହେଲେ ଆଜକୁ ୬୫ ବର୍ଷରେ ବିତିଯାଇଥିଲେ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ନାହିଁ । ପ୍ରତି ନିର୍ବାଚନ ସମୟରେ ସର୍ଭେ କରିବା ସହ ବହୁତ ଶିଘ୍ର ଗାଁ ରାଜସ୍ୱ ମାନ୍ୟତା ପାଇବ ବୋଲ ପ୍ରତିଶ୍ରୁତି ଦିଅନ୍ତି ନେତାମାନେ, କିନ୍ତୁ ଜିତିଲା ପରେ ପାଶୋରୀ ଦିଅନ୍ତି ବୋଲି ଗାଁ ଲୋକେ ଶିଶୁ ବିକାଶ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଫଳରେ ମନ୍ତ୍ରୀ ବହୁତ ଶୀଘ୍ର ଦାବି ପୂରଣ ହେବ ବୋଲି ହଡ଼ ବଡେଇ ସେହି ପୁରୁଣା ପ୍ରତିଶ୍ରୁତି ଦୋହରାଇ ଥିଲେ । ଧନପୁରଠାରେ ମଧ୍ୟ ପାନୀୟଜଳ ସହ କୃଷି କାର୍ଯ୍ୟ ପାଇଁ ଉଠାଜଳସେଚନ ସ୍ଥାପନ କରିବା ପାଇଁ ମନ୍ତ୍ରୀଙ୍କ ଠାରେ ଗାଁ ଲୋକେ ଅଭିଯୋଗ କରିଥିଲେ । ଗମ୍ଭାରିଗୁଡାର ଲିମପଡା, ବେଲଗାଁ, କନେରସିଂହାକୁ ଯାଇ ପ୍ରଚାର କରିଥିଲେ । ସେଠାରେ ମଧ୍ୟ ରାସ୍ତାଘାଟ ସମସ୍ୟା ସହ ପଞ୍ଚାୟତକୁ ଯିବା ପାଇଁ କୋତକୋମୁହାଣ ପୋଲ କମ୍ ଉଚ୍ଚା ଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ପୋଲ ଲଙ୍ଘି ପାଣି ପ୍ରବାହିତ ହୋଇଥାଏ । ଏଣୁ ଏଠାରେ ଉଚ୍ଚ ପୋଲ ନିର୍ମାଣ କରିବା ପାଇଁ ମନ୍ତ୍ରୀଙ୍କୁ ଦାବି କରିଥିଲେ ଗାଁ ଲୋକେ । ହେଲେ ପ୍ରତେକ ବର୍ଷ ବିଭିନ୍ନ ଗଣମାଧ୍ୟମରେ ପୋଲ ଯୋଗୁ ବାହ୍ୟ ଜଗତରୁ ବିଛିନ୍ନ ୧୧ ଗାଁ ଶିର୍ଷକ ପ୍ରକାଶ ପାଉଥିବା ସହ ସେହିବାଟକୁ ବିଭିନ୍ନ ସମୟରେ ଜିଲ୍ଲାପାଳ ଦେଖି ଫେରିଛନ୍ତି ତଥାପି ମଧ୍ୟ ମନ୍ତ୍ରୀଙ୍କ କର୍ଣ୍ଣଗୋଚରକୁ ଆସିନଥିବାରୁ ନିଜ ନିର୍ବାଚନ ମଣ୍ଡଳୀରେ କିଭଳି ବିକାଶ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରି କି ଗମ୍ଭାରିଗୁଡାରେ ଅଭିଯୋଗ ପାଇଲା ପରେ କେଉଁ ପୋଲ କେଉଁଠାରେ ଅଛି ବୋଲି ଓଲଟା ପ୍ରଶ୍ନ କରିଥିଲେ ମନ୍ତ୍ରୀ । ତାପରେ ଜାମୁଟ ପଞ୍ଚାୟତର ଟିକ୍ରିପଡା, ରହେମାଳକୁ ଯାଇ ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ରଣାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ତାପରେ ଅପରାହ୍ନରେ ବିରାମୁଣ୍ଡା ପଞ୍ଚାୟତର ଦେମୁହାଣ, ଖଲିଆପାଲି, ଯୁଗିମରା ସହ ବିଭିନ୍ନ ଗାଁକୁ ଯାଇ ନିର୍ବାଚନ ପ୍ରଚାର କରି ଫେରି ଯାଇଥିଲେ । ପୁଲିସ ଓ ଦଲୀୟ କର୍ମୀଙ୍କୁ ସାଙ୍ଗରେ ନେଇ ଦୁର୍ଗମ ଅଞ୍ଚଳରେ ମନ୍ତ୍ରୀ ନିର୍ଵାଚନୀ ପ୍ରଚାର କରିଥିଲେ ।
