ଭୁବନେଶ୍ୱର : ରାଜ୍ୟରେ ବଦଳିପାରେ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି । ଏନେଇ ଆଜି ଡିଏମଇଟି ଡା. ରମାରମଣ ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବ ସ୍ଥିତି ଦେଖି ସରକାର ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ ଓମିକ୍ରନର ବୃଦ୍ଧି ନଥିବା ସହ ସଂକ୍ରମଣ ବଢିନଥିଲା । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ନିଷ୍ପତ୍ତି ବଦଳିପାରେ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଓ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟ ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଡିଏମଇଟି କହିଛନ୍ତି । ଗତକାଲି ଆସନ୍ତା ଜାନୁଆରୀ ୩ ରୁ ପ୍ରାଥମିକ ବିଦ୍ୟାଳୟ ଖୋଲା ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସକାଳ ୯ ରୁ ଦିନ ୧୨ ଯାଏଁ ପିଲାଙ୍କ ପାଠ ପଢା ପାଇଁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲା ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୨୯ ଓ ସ୍ଥାନୀୟ ସଂକ୍ରମିତ ୯୨ ଜଣ ରହିଛନ୍ତି । ରାଜ୍ୟରେ ଆଉ ଜଣେ ବ୍ୟକ୍ତି କୋଭିଡ-୧୯ ର ଓମିକ୍ରନ ପ୍ରକରଣରେ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟରେ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ୯ କୁ ବୃଦ୍ଧିପାଇଛି । ଏହି ବ୍ୟକ୍ତିଜଣ ସଂଯୁକ୍ତ ଆରବ ଏମିରେଟସରୁ ଫେରିଥିଲେ । ତାଙ୍କ ଘର କେନ୍ଦୁଝର ଜିଲାରେ ବୋଲି ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ ପକ୍ଷରୁ କୁହାଯାଇଛି ।
