ଜନତାଙ୍କ ରୋଷର ସମ୍ମୁଖୀନ ହେଲେ ବିଧାୟକ, ପ୍ରଚାର ପାଇଁ ଯାଇଥିଲେ ଅଟକ ରଖିଲେ ଗ୍ରାମବାସୀ

ବାସୁଦେବପୁର : ପଞ୍ଚାୟତ ନିର୍ବାଚନ ପ୍ରଚାରବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଜନତାଙ୍କ ରୋଷର ସମ୍ମୁଖୀନ ହୋଇଛନ୍ତି । ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଦେଇପୁର ପଞ୍ଚାୟତକୁ ପ୍ରଚାର କରିବାକୁ ଯିବା ସମୟରେ ବିଧାୟକ ଶ୍ରୀ ରାଉତରାୟଙ୍କୁ ଲୋକେ ଅଟକ ରଖିବା ସହ ଧାରଣାରେ ବସି ପ୍ରତିବାଦ ଜଣାଇଥିଲେ । କ୍ରବାର ଅପରାହ୍ନରେ ବିଧାୟକ ଶ୍ରୀ ରାଉତରାୟ ତାଙ୍କ ପ୍ରତିନିଧି ଅସିତ କୁମାର ଦାଶ ଓ ସମର୍ଥକମାନେ ବିଦେଇପୁର ପଞ୍ଚାୟତର ୧୬ ନମ୍ବର ୱାର୍ଡ ନାୟକ ସାହିରେ ପ୍ରଚାର କରିବାକୁ ଆସିଥିଲେ । ଏହି ସମୟରେ ଲୋକମାନେ ତାଙ୍କୁ ଘେରିଯାଇ ‘ବାତ୍ୟା ୟାସ୍‌’ ଓ କରୋନା ବେଳେ କୁଆଡ଼େ ଥିଲ ବୋଲି ପଚାରିଥିଲେ । ବିପତ୍ତି ସମୟରେ ତ ଆପଣଙ୍କର ଦେଖା ମିଳିଲାନି । ବିଧାୟକ ଭାବେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ବି ପାଳନ କଲେନି । ବାତ୍ୟାରେ ବେଘର ହୋଇଥିବା ଲୋକମାନେ ଆଜି ପର୍ଯ୍ୟନ୍ତ ଆବାସ ଘର ପାଇନାହାନ୍ତି ବୋଲି ଅଭିଯୋଗ କରି ଗାଁ ଲୋକେ ବିଧାୟକଙ୍କୁ ପ୍ରଶ୍ନ ବାଣରେ ପୋତି ପକାଇବା ସହ ଅଟକ ରଖିଥିଲେ । ଖବରପାଇ ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ, କଶିଆ ସାମୁଦ୍ରିକ ଥାନା ପୁଲିସ, ନାୟକାଣିଡ଼ିହି ଓ ବାସୁଦେବପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ବିଧାୟକଙ୍କୁ ଉଦ୍ଧାର କରିଥିଲେ । ପରେ ବିଧାୟକ ଶ୍ରୀ ରାଉତରାୟ ଜଣେ ସମର୍ଥକଙ୍କ ଘରେ ଆଶ୍ରୟ ନେଇଥିଲେ । ତେବେ ଏତିକିରେ ଗ୍ରାମବାସୀଙ୍କ ରୋଷ ଶାନ୍ତ ହୋଇନଥିଲା । ବିଧାୟକ ତୁରନ୍ତ ସେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ଗ୍ରାମବାସୀ ଘଟଣାସ୍ଥଳରେ ରାସ୍ତା ମଧ୍ୟ ଅବରୋଧ କରିଥିଲେ । ଏହି ଘଟଣାକୁ ନେଇ ସନ୍ଧ୍ୟାରେ ବିଧାୟକ ଓ ଗ୍ରାମବାସୀ ପରସ୍ପର ବିରୋଧରେ ବାସୁଦେବପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *