ମାଥିଲି : ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି ହଜାର ହଜାର କୋଟି ଟଙ୍କା । କିନ୍ତୁ ବାରମ୍ବାର ଅବହେଳାର ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ଡାକ୍ତରଖାନାରେ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ହେଉଛି ତ ଆଉ କେଉଁଠି ରାସ୍ତା ନଥିବାରୁ ରୋଗୀ ପାଖରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ପରିବାର ଲୋକେ ବାଧ୍ୟ ହୋଇ ଖଟିଆ ମାଧ୍ୟମରେ ରୋଗୀକୁ ବୋହି ଡାକ୍ତରଖାନା ଆଣିବାକୁ ପଡୁଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ।
ସୂଚନାନୁସାରେ, ମୁଦୁଲିପଡା ପଞ୍ଚାୟତର ବଣ୍ଡାଘାଟିର ବେଲଗୁଡା ଗ୍ରାମର ସମ୍ବାରି କୀର୍ସାନିଙ୍କ ଦେହ ଅସୁସ୍ଥ ହୋଇଥିଲା । ଧିରେ ଧିରେ ସମ୍ବାରିଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ମୋବାଇଲ ସେବା ନଥିବାରୁ ସ୍ବାସ୍ଥ୍ୟକର୍ମୀଙ୍କୁ ଯୋଗାଯୋଗ ହୋଇପାରିନଥିଲା । ଗାଁକୁ ରାସ୍ତା ନଥିବାରୁ ଘାଟି ରାସ୍ତାଦେଇ ଏକ ଝୁଡି ସାହାଯ୍ୟରେ କାଉଡି ତିଆରି କରି କାନ୍ଧେଇ କାନ୍ଧେଇ ଦୀର୍ଘ ୧୨ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ ପରିବାର ଲୋକେ । ଏହାପରେ ମୁଦୁଲିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବାରିଙ୍କୁ ମୁଦୁଲିପଡା ଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ପଠାଇ ଦେଇଥିଲେ । ସମ୍ବାରି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ଚିକିତ୍ସିତ ହେଉଛନ୍ତି ଓ ସୁସ୍ଥ ଥିବା ଜଣାପଡିଛି ।
