ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଆରଡିପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ କୂଳ ଲଂଘିବା ଫଳରେ ବିଳମ୍ବିତ ରାତିରେ ଦୁଇ ଦୁଇ ଥର ସୁରକ୍ଷାବନ୍ଧ ନଦୀ ମଧ୍ୟକୁ ଧସିଯାଇଛି । ନଦୀ କୂଳରେ ଥିବା ୬ଟି ପରିବାରର ୫ ବଖରା ଘର ଭୂସ୍ଖଳନ ଯୋଗୁଁ ୩\୪ ଫୁଟ ଦବିଯିବା ସହ ବଡ ଫାଟ ସୃଷ୍ଟି ହୋଇଛି । ଏହା ଦ୍ବାରା ପରିବାର ଲୋକ ନିଜର ଆସବାବପତ୍ର ଛାଡି ଛୁଆ ପିଲାଙ୍କୁ ଧରି ଗାଁ ମଧ୍ୟକୁ ପଳାଇଯାଇଥିଲେ ।
ଏପରିକି ଗୁହାଳଘରର ବଡ ଫାଟ ଦେଖା ଦେବା ସହ ଢଳି ପଡିବାରୁ ଗୋରୁଗାଈଙ୍କୁ ଫିଟାଇ ଦେଇଥିଲେ ଗ୍ରାମବାସୀ । ନଦୀର ଅନ୍ୟ ସ୍ଥାନରେ ସୁରକ୍ଷାବନ୍ଧର ଏବେ ବଡ ଫାଟ ହେବାରେ ଲାଗିଛି । ଏହି ବନ୍ଧରେ ଦୈନନ୍ଦିନ ଗାଁ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟତ କରୁଥିବା ବେଳେ ବିଦ୍ୟାଳୟକୁ ଛୋଟଛୋଟ ପିଲା ଯାଇଥାନ୍ତି। ଏପରିକି କୁମ୍ଭୀର ଅନେକ ସମୟରେ ଏହି ନଦୀବନ୍ଧରେ ଶୋଇ ରହିଥାଏ । ଏବେ ବନ୍ଧ ନଦୀକୁ ଧସିଯାଇଥିବାରୁ ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି। ନଦୀବନ୍ଧର ମରାମତି ଆଳରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଓ ଠିକ କାର୍ଯ୍ୟକାରୀ ହେଉନଥିବାରୁ ବାରମ୍ବାର ଏହି ସ୍ଥାନରେ ନଦୀବନ୍ଧ ଧସୁଛି ।
