ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଆରଡି ନିକଟସ୍ଥ ବୋଡକ ଖେଳପଡିଆ ପାର୍ଶ୍ୱବର୍ତ୍ତୀରେ ପ୍ରବାହିତ ହେଉଥିବା ବୈତରଣୀନଦୀ ପୁଣି କୂଳ ଖାଇଛି । ଗତକିଛିଦିନର ବ୍ୟବଧାନ ପରେ ଆଜି ସକାଳୁ ବୈତରଣୀନଦୀର ପ୍ରାୟ ୩ ଶହ ଫୁଟର ସୁରକ୍ଷାବନ୍ଧରେ ନଦୀକୁ ଧସିଯାଇଥିଲା । ଫଳରେ କୂଳକୁ ଲାଗି ଥିବା ଶହଶହ ବର୍ଷର ୨ଟି ତାଳଗଛ ନଦୀଗର୍ଭକୁ ଭାସି ଯାଇଛି । ଏପରି ବାରମ୍ବାର ନଦୀ କୂଳ ଖାଉଥିବାରୁ ସୁରକ୍ଷାବନ୍ଧକୁ ଲାଗିଥିବା ଆଖଣ୍ଡଳମଣି କୁଆଖିଆ ୨୦ନଂ ଜାତୀୟ ରାଜପଥର ବିପଦ ଦେଖାଦେଇଛି । ଏହାସହ ଅନ୍ୟ ଏକ ସ୍ଥାନରେ ରାସ୍ତା ଦବିଯିବାରୁ ଫାଟ ସୃଷ୍ଟି ହୋଇଛି । ଏହି ରାସ୍ତା ୨ଟି ପର୍ଯ୍ୟଟନ ସ୍ଥଳ ଆଖଣ୍ଡଳମଣିପୀଠ ଓ ମା ବିରଜାକ୍ଷେତ୍ରକୁ ସଂଯୋଗ କରୁଥିବା ବେଳେ ସ୍ଥାନୀୟ ୩୦\୩୫ ଖଣ୍ଡ ଗାଁର ଲୋକ ପ୍ରତିଦିନ କଟକ ଭୂବନେଶ୍ବର ଆଦି ସ୍ଥାନକୁ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି ।

ରାସ୍ତା କ୍ରମଃଶ ନଦୀ ଆଡକୁ ଢଳୁଥିବାରୁ ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହି ୨୦ନଂ ଜାତୀୟ ରାଜପଥର ସୁରକ୍ଷା ପାଇଁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିବା ବେଳେ ବୈତରଣୀ ନଦୀର ସୁରକ୍ଷାବନ୍ଧ ନିର୍ମାଣ ଜଳସେଚନ ବିଭାଗ ପକ୍ଷରୁ କରାଯାଉଛି । ହେଲେ ଉଭୟ ବିଭାଗର ନିମ୍ନମାନର କାର୍ଯ୍ୟ ଯୋଗୁ ବାରମ୍ବାର ଏହି ସ୍ଥାନରେ ସୁରକ୍ଷାବନ୍ଧ ଧସିବା ସହ ରାସ୍ତା ଓ ଖେଳପଡିଆ ନଦୀରେ ଲିନ ହେବାକୁ ବସିଲାଣି । ଫଳରେ ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ ପର୍ଯ୍ୟଟକମାନେ ନାନା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି ।
