ସଙ୍କଟରେ ଜିଲ୍ଲାର ୭ ଟି ଜିନିଂ ପ୍ଲାଣ୍ଟ

କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ କପାର ଉତ୍ପାଦନକୁ ଦେଖି ଗୋଟିଏ ସରକାରୀ ଓ ୬ ଟି ବେସରକାରୀ ଜିନିଂ ମିଲ ଗଢ଼ିଉଠିଛି । ହେଲେ ପ୍ରାଶାସନିକ ଅବହେଳାରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ଅନ୍ୟପଟେ ଜିଲ୍ଲାର ୭ ଟି ଜିନିଂ ପ୍ଲାଣ୍ଟ ସଙ୍କଟରେ ପଡ଼ିଛି । ଜିଲ୍ଲାରୁ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ କପା ଅନ୍ୟ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲିଯିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କପାର ଉତ୍ପାଦନ କ୍ଷମତା ଦେଖି ଜିଲ୍ଲାରେ ଏହି କାରଖାନାର ବୃଦ୍ଧି ଘଟିଥିଲା । ଯାହା ଦ୍ୱାରା କାରଖାନା ଅଞ୍ଚଳରେ ବେକାର ଯୁବକ ଯୁବତୀ ଏବଂ ଶ୍ରମିକମାନେ ବର୍ଷସାରା ପାଉଥିଲେ । ଏବେ ସେମାନେ ନିଯୁକ୍ତି ହରାଇବା ସ୍ଥିତି ସୃଷ୍ଟି ହେଲାଣି । ଜିଲ୍ଲାରେ ଏ ବର୍ଷ ପ୍ରାୟ ୫ ଲକ୍ଷ କୁଇଣ୍ଟାଲ କପା ଉତ୍ପାଦନ ହୋଇଛି । ଏହି ଜିନିଂ ପ୍ଲାଣ୍ଟମାନଙ୍କ ପାଖରେ ମାତ୍ର ୧ ଲକ୍ଷ ୫୦ ହଜାର କୁଇଣ୍ଟାଲରୁ ୨ ଲକ୍ଷ କୁଇଣ୍ଟାଲ ମଧ୍ୟରେ କପା ଜିନିଂ ପାଇଁ ରହିଛି । ବଳକା ସବୁ ଅନ୍ୟ ଅଞ୍ଚଳକୁ ଯାଇଛି । ରାଜସ୍ୱ ହରାଉଥିଲେ ବି ପ୍ରଶାସନ ଚୁପ୍‌ ହୋଇ ବସିଛି । ଜିଲ୍ଲାରେ ଥିବା ୭ ଟି ଜିନିଂ ପ୍ଲାଣ୍ଟ୍‌ର ଜିନିଂ କ୍ଷମତା ୮ ଲକ୍ଷ କୁଇଣ୍ଟାଲ ରହିଛି । ମାତ୍ର ଏବେ ଯେତିକି ଅଛି ତାହା ସମୁଦ୍ରକୁ ଶଙ୍ଖେ । ଏଣୁ ଏହି ସବୁ ମିଲ୍‌ ଅସୁବିଧା ସ୍ଥିତିରେ ଅଛନ୍ତି । ସବୁଠୁ ବେଶି ସରକାରୀ ସହାୟତାରେ ଗଢ଼ି ଉଠିଥିବା କୋଣାର୍କ ଜିନିଂ ମିଲ୍‌ ଅବସ୍ଥା ଅନ୍ଧକାର ମଧ୍ୟକୁ ଠେଲି ହୋଇଛି । ଏଠାରେ କାର୍ଯ୍ୟ କରୁଥିବା ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ଭବିଷ୍ୟତ ଦୋ-ଛକିରେ ପଡ଼ିଯାଇଛି । ଏମାନେ ଅନ୍ୟ ବର୍ଷମାନଙ୍କରେ ବର୍ଷକୁ ୮ ମାସ କାର୍ଯ୍ୟ ପାଇଥାନ୍ତି । ଏଥର ୩ ମାସ ଚାଲିବା କଷ୍ଟକର ହୋଇପଡ଼ିଛି ।କୋଣାର୍କ ସୂତାକଳ ୩୯ ବର୍ଷ ପରେ ସରକାରୀ ଉଦାସୀନତା ଯୋଗୁଁ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଯେଉଁ ଜିନିଂ ମିଲ୍‌ ଚାଲୁଛି ତାହା ବି ଏବେ ଦୋ-ଛକିରେ ପଡ଼ିଯାଇଛି । କୋଣାର୍କ ସୂତାକଳ, ବଂଶଲ, ଦାଦାଗୁରୁ, ଭାଗ୍ୟଲକ୍ଷ୍ମୀ, ନେଚୁରାଲ, ସାବିତ୍ରୀ ଓ ଦ୍ୱାରକା ମାଇ ନାମକ ଜିନିଂ ମିଲ୍‌ ରହିଛି । ଗୋଟିଏ ଗୋଟିଏ ଜିନିଂ ମିଲ୍‌ରେ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି । କିନ୍ତୁ କପା ଅନ୍ୟ ରାଜ୍ୟକୁ ଚାଲିଯିବା ଫଳରେ ଏମାନଙ୍କ ଅବସ୍ଥା ବେହାଲ ହେଉଛି । କପା ଚାଷ ଆରମ୍ଭ ହୋଇ ୪୦ ବର୍ଷ ବିତିଗଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ମାର୍କେଟିଂ ବ୍ୟବସ୍ଥା ହୋଇନାହିଁ । ଆର୍‌ଏମ୍‌ସି କପାରୁ ଏତେବର୍ଷ ମଧ୍ୟରେ କୋଟି କୋଟି ଟଙ୍କା କମିସନ ପାଇଥିଲେ ମଧ୍ୟ କୃଷକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ । ଫଳ ସ୍ୱରୂପ ମଣ୍ଡି ବ୍ୟବସ୍ଥା ହୋଇପାରୁ ନାହିଁ । ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏବର୍ଷ ମହାରାଷ୍ଟ୍ରରେ କପା ଉତ୍ପାଦନ କମ୍‌ ହେବା ଏବଂ ଆନ୍ତର୍ଜାତିକ ବଜାରରେ ଚାହିଦା ହେବାରୁ ଚାଷୀ ସହାୟକ ମୂଲ୍ୟରୁ ୧୨/୧୫ ଶହ ଟଙ୍କା ଅଧିକ ପାଇଛି । ହେଲେ ପ୍ରଶାସନ ତଦାରଖ ନକରିବାରୁ ଦଲାଲମାନେ ଫାଇଦା ପାଇଲେ । ତଦାରଖ କରିଥିଲେ ଚାଷୀ ଓ ଜିନିଂ ମିଲ୍‌ ଉଭୟ ଲାଭ ପାଇଥାନ୍ତେ । କପା ବିକ୍ରିର ଅବ୍ୟବସ୍ଥା ଆଗକୁ ଜିଲ୍ଲାରେ ଜିନିଂ କାରଖାନାକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ । ଚାଷୀ ପାଇଁ ବିପଦ ଆଣିବ ବୋଲି ଚାଷୀ ସଂଗଠନ କହିଛି ।

Leave a Reply

Your email address will not be published. Required fields are marked *