ବାଲିଗୁଡ଼ା : ପ୍ରବଳ ବର୍ଷାରେ ବାଲିଗୁଡ଼ା ବେହାଲ । ବାଲିଗୁଡ଼ା ବସ୍ ଷ୍ଟାଣ୍ଡ ନିକଟବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଛି । ବର୍ଷା ପାଣି ଘର ଭିତରେ ପଶି ପ୍ରବଳ କ୍ଷୟକ୍ଷତି ହୋଇଛି । ବସ୍ ଷ୍ଟାଣ୍ଡ ପାଖରୁ ଚେକ୍ ଗେଟ୍ ପର୍ଯ୍ୟନ୍ତ ଜଳମଗ୍ନ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡାର ସ୍ଥିତି ବେହାଲ । ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଦୁଇଟି ପୋଖରୀରେ ପାଣି ଭର୍ତ୍ତି ହେବା ସହିତ ବସଷ୍ଟାଣ୍ଡ ସନ୍ନିକଟ ପୋଖରୀର ହୁଡା ଭାଙ୍ଗି ଯାଇଛି ।
ଜାତୀୟ ରାଜପଥ ଏନଏଚ ୫୯ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରୁଛି । ଫଳରେ ଗାଡି ମୋଟର ଯାତାୟତରେ ବାଧା ହୋଇଛି । ନିମ୍ନମାନର କାମ ଯୋଗୁଁ ତଳ ପୋଖରୀର ହୁଡା ଭାଙ୍ଗିଥିବା ଅଭିଯୋଗ ହେଉଛି । ଉପର ପୋଖରୀର ନିର୍ମାଣରେ ତ୍ରୁଟି ଅଭିଯୋଗ ହେଉଛି । ଜଳ ନିଷ୍କାସନ ହେଉନଥିବାରୁ ରାସ୍ତା ଉପରେ ପାଣି ଜମିଥିବା ଦେଖିବାକୁ ମିଳିଛି । ବର୍ଷା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
