ବାଲେଶ୍ୱର : ନିଜ ପେଟରୁ କାଟି ଯେଉଁ ପୁଅକୁ ଦିନେ ବଡ଼ ମଣିଷ କରିଥିଲେ, ଆଜି ସେହି ପୁଅ ବୃଦ୍ଧ ବୟସରେ ବାପା, ମା’ଙ୍କୁ ପଚାରିଲାନି । ଓଲଟା ଘରେ ତାଲା ପକାଇ ଘରୁ କାଢ଼ିଦେଲା । ବର୍ଷା ଆଉ ପ୍ରବଳ ଥଣ୍ଡାରେ ଅସହାୟ ବାପା, ମା’ ଘର ଆଗରେ ରାତି କାଟିଲେ । ପୁଅର ଏଭଳି ବ୍ୟବହାରରେ ବ୍ୟଥିତ ହୋଇ ବୃଦ୍ଧ ଦମ୍ପତି ନିଜ ଭାଗ୍ୟକୁ ଧିକାରିଛନ୍ତି । ରକ୍ତ ସମ୍ପର୍କକୁ ତୁଚ୍ଛ କରି ପୁଅର ଏପ୍ରକାର ଅମାନବୀୟ କାର୍ଯ୍ୟକୁ ଗ୍ରାମବାସୀ ମଧ୍ୟ ସହିନପାରି ଅସନ୍ତୋଷ ଝାଡ଼ିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ସଦର ବ୍ଲକ ଦହପଡ଼ା ପଞ୍ଚାୟତ କଣ୍ଟାବଣିଆ ଗାଁରେ । ସୂଚନା ଅନୁସାରେ, ସେଖ ଆନିସୁଦ୍ଦିନ୍ ଓ ଜମିଲା ବିବିଙ୍କର ତିନି ପୁଅ ଓ ୬ ଝିଅ । ବଡ଼ପୁଅ ସେଖ ନାସିମ୍ଉଦ୍ଦିନ୍ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ୍ କୋଷ୍ଟଗାର୍ଡ)ରେ ଅଧିକାରୀ ଭାବେ କଲିକତାରେ କାର୍ଯ୍ୟରତ । ମଝିଆ ପୁଅ ହମିଉଦ୍ଦିନ୍ ଗ୍ୟାରେଜ୍ ମେକାନିକ୍ ଓ ସାନପୁଅ ଗଉସୁଦ୍ଦିନ୍ ବାହାର ରାଜ୍ୟର ଏକ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି । ଆନିସୁଦ୍ଦିନଙ୍କର ସମସ୍ତ ଝିଅ ବିବାହିତ । ବଡ଼ପୁଅ ନାସିମ୍ଉଦ୍ଦିନ୍ ମାନସିଂବଜାର ଅଞ୍ଚଳରେ ଘର କରି ପରିବାର ସହ ରହୁଥିବାବେଳେ, ତାଙ୍କ ସହିତ ଭାଇ ହମିଉଦ୍ଦିନ୍ ମଧ୍ୟ ରହୁଛନ୍ତି । ତେବେ ଜମିଜମା ବିବାଦକୁ କେନ୍ଦ୍ର କରି ବାପା, ମା’ଙ୍କ ସହ ନାସିମ୍ଉଦ୍ଦିନ୍ଙ୍କର ପଡ଼ୁନଥିଲା । ୫ ବର୍ଷ ହେଲା ବାପା, ମା’ଙ୍କ କଥା ନାସିମ୍ଉଦ୍ଦିନ ବୁଝୁନାହାନ୍ତି । ଗାଁରେ ଯେଉଁ ଘରେ ବୃଦ୍ଧ ବାପା, ମା’ ରହୁଛନ୍ତି ତାକୁ ମଧ୍ୟ ନାସିମ୍ଉଦ୍ଦିନ୍ ବିକ୍ରି କରିଦେଇଛନ୍ତି । ବହୁଦିନରୁ ଘର ଖାଲି କରିବାକୁ ନାସିମ୍ଉଦ୍ଦିନ୍ ବାପା, ମା’ଙ୍କୁ କହି ଆସୁଥିଲେ, ହେଲେ ଘର ଛାଡ଼ି ସେମାନେ କୁଆଡ଼େ ଯିବେନାହିଁ ବୋଲି କହିବାରୁ ଗତକାଲି ରାତିରେ ନାସିମ୍ଉଦ୍ଦିନ୍ ବାପା, ମା’ଙ୍କୁ ଘରୁ ଘୋଷାରି ବାହାର କରିଦେଇଥିଲେ । ଆଉ ଗେଟ୍ରେ ତାଲା ପକାଇ ଚାଲି ଯାଇଥିଲେ । ଗାଁ ଲୋକେ ବିରୋଧ କରିଥିଲେ ବି କାହା କଥା ଶୁଣିନଥିଲେ ନାସିମ୍ଉଦ୍ଦିନ୍ । ରାତିସାରା ବାପା, ମା’ ଶୀତକାକରରେ ଅଖିଆଅପିଆ ରହିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଖାଇବାକୁ ଦେବା ସହ ଶୀତବସ୍ତ୍ର ଦେଇଥିଲେ । ଏ ନେଇ ସହଦେବଖୁଣ୍ଟା ଥାନାରେ ନାସିମ୍ଉଦ୍ଦିନଙ୍କ ମା’ ଜମିଲା ବିବି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି । ତେବେ ନାସିମ୍ଉଦ୍ଦିନ୍ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଥିଲେ ବାପା, ମା’ଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛି, ହେଲେ ସେମାନେ ମୋ ପାଖରେ ରହିବାକୁ ଚାହୁଁନାହାନ୍ତି । ଭଉଣୀ-ଭିଣୋଇଙ୍କ ସହ ବାପା, ମା’ ରହିବାକୁ ଚାହୁଁଥିବା ବେଳେ ଜମିବାଡ଼ି ମଧ୍ୟ ସେମାନଙ୍କ ନାମରେ କରିବାକୁ ଚାହୁଁଛନ୍ତି । ଏହାକୁ ବିରୋଧ କରିବାରୁ ବାପା, ମା’ କିଛି ଶୁଣିନଥିଲେ । ମୋ ନାମରେ ରହିଥିବା ଘରକୁ ମୁଁ ବିକ୍ରି କରିଦେଇଥିଲି । ସଂପୃକ୍ତ ଘର ମାଲିକ ଘର ନେବାକୁ ଚାହିଁବାରୁ ମୁଁ ସେ ଘରକୁ ଖାଲି କରିବାକୁ ବାପା, ମା’ଙ୍କୁ କହିଥିଲି । କିନ୍ତୁ ସେମାନେ ଶୁଣିନଥିଲେ । ମୁଁ ବିକ୍ରି କରିଥିବା ଘରକୁ ବାପା, ମା’ ଭଉଣୀଙ୍କୁ ଦେବାକୁ ଚାହିଁଛନ୍ତି, ଯାହା ସମ୍ଭବ ନୁହେଁ ବୋଲି କହିଛନ୍ତି ନାସିମ୍ଉଦ୍ଦିନ୍ । ସବିଶେଷ ସୂଚନା ଅନୁସାରେ, ଘରେ ପଡ଼ିଥିବା ତାଲାକୁ ଭାଙ୍ଗି ସେଠାରେ ନାସିମ୍ଉଦ୍ଦିନ୍ଙ୍କ ବାପା, ମା’ ରହିଥିବା ଜଣାପଡ଼ିଛି ।
