କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି ‘ନିଦାନ’ କେନ୍ଦ୍ର। ଏହି କେନ୍ଦ୍ରରେ ନିଶୁଳ୍କ ଭାବେ ବିଭିନ୍ନ ପରୀକ୍ଷା କରାଯାଇ ରୋଗ ନିରୂପଣ କରାଯାଇଥାଏ । କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲାର ଗରିବ ରୋଗୀମାନେ ଏହା ଦ୍ବାରା ଉପକୃତ ହେଉଥିଲେ । ହେଲେ ପରିଚାଳନାଗତ ସମସ୍ୟା ଏବଂ କୌଣସି ଅଦୃଶ୍ୟ କାରଣରୁ ଏବେ ଏହି କେନ୍ଦ୍ର ଏକପ୍ରକାର ବନ୍ଦ ହୋଇଯାଇଛି । ଯଦିଓ କେନ୍ଦ୍ରର ଦରଜା ଖୋଲା ରହୁଛି, ମାତ୍ର ଏଠାରେ କୌଣସି ପରୀକ୍ଷା ହେଉନାହିଁ । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଅବଗତ ଥିଲେ ବି କୌଣସି ପଦକ୍ଷେପ ନେଉନାହାନ୍ତି । ‘ନିଦାନ’ କେନ୍ଦ୍ର ପରିଚାଳନା ଦାୟିତ୍ବ ଏକ ଘରୋଇ ସଂସ୍ଥା ‘ଟେକ୍ ମେଡ୍’କୁ ଦିଆଯାଇଛି । ତିନି ମାସରୁ ଊର୍ଦ୍ଧ୍ବ ହେବ ଏଠାରେ ସମସ୍ତ ପରୀକ୍ଷା ବନ୍ଦ ରହିଛି । ପ୍ରଥମେ ପ୍ରଥମେ ଏଠାରେ ଥିବା କର୍ମଚାରୀ ଜଣଙ୍କ ପ୍ରିଣ୍ଟିଂ ମେସିନ ଅଚଳ ଥିବା କହି ଲୋକଙ୍କୁ ଭୂଆଁ ବୁଲାଉଥିଲେ । ଏବେ ଅନ୍ୟ ବାହାନା ଦେଖାଇ ଆଉ ପରୀକ୍ଷା କରୁନାହାନ୍ତି ।
ଥାଇରଏଡ୍ ପରୀକ୍ଷା ପାଇଁ ଘରୋଇ ପାଥୋଲ୍ୟାବ୍ ଗୁଡ଼ିକ ୬୦୦ ଟଙ୍କା ନେଉଥିବା ବେଳେ ବାୟୋପ୍ସି ପାଇଁ ୧୦୦୦ ଟଙ୍କା, ଥାଲାସେମିଆ, ସିକଲସେଲ୍ ପରୀକ୍ଷା ପାଇଁ ୮୦୦ ଟଙ୍କା ଦେବାକୁ ପଡ଼ୁଛି। ‘ନିଦାନ’ କେନ୍ଦ୍ରରେ ଏସବୁ ପରୀକ୍ଷା ହେଉ ନଥିବାରୁ ଗରିବ ରୋଗୀମାନେ ଘରୋଇ ପାଥୋଲ୍ୟାବ୍କୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ‘ନିଦାନ’ କେନ୍ଦ୍ରରେ ପରୀକ୍ଷା ହେଉନଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ସମ୍ପୃକ୍ତ ସଂସ୍ଥାକୁ ବାହାର କରି ଅନ୍ୟ କୌଣସି ସଂସ୍ଥାକୁ ଦାୟିତ୍ବ ଦେବା କଥା । ନଚେତ୍ ଏ ଦିଗରେ ସରକାରଙ୍କୁ ଜଣାଇ ସମ୍ପୃକ୍ତ ସଂସ୍ଥାକୁ କଳାତାଲିକା ଭୁକ୍ତ କରିବା କଥା । ମାତ୍ର ତାହା ନକରି ଡାକ୍ତରଖାନା କର୍ତ୍ତୃପକ୍ଷ ଚୁପ୍ ବସିଛନ୍ତି ।
