ଭୁବନେଶ୍ବର : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଓଡ଼ିଶାକୁ ଏକ ହଜାରରୁ ଊର୍ଧ୍ବ କୋଟି ଟଙ୍କା ଦେଇନାହାନ୍ତି କେନ୍ଦ୍ର ସରକାର । ଏଥି ଯୋଗୁଁ ମହାମାରୀ ବର୍ଷରେ ଯୋଜନା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟି ହେଉଛି । ସ୍ଥିତି ଏଭଳି ହୋଇଛି ଯେ, ମଜୁରି ପ୍ରଦାନ ଏବଂ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବାକୁ ବିଳମ୍ବ ହେବାରୁ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୫୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି । ମହାମାରୀ ବର୍ଷରେ ମନରେଗାକୁ ଗୁରୁତ୍ବ ଦିଆଯିବ । ୨୦୨୦ ଭଳି ୨୦୨୨ରେ ମଧ୍ୟ ବ୍ୟାପକ ଅର୍ଥ ବ୍ୟବସ୍ଥା ହେବ । ଯେପରିକି ଗାଁର ଗରିବ ଲୋକଙ୍କ ପାଇଁ ରୋଜଗାରର ଅଭାବ ସୃଷ୍ଟି ହେବନାହିଁ ବୋଲି ଆଶା କରାଯାଉଥିଲା । ମାତ୍ର ଏହି ବଜେଟ୍ ନିରାଶ କରିଥିବା ଅନେକ ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି । ସେମାନଙ୍କ ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ପାଇଁ ୭୩ ହଜାର କୋଟି ଟଙ୍କା ବଜେଟ୍ରେ ବ୍ୟବସ୍ଥା ହୋଇଛି । ଯାହାକି ସଂଶୋଧିତ ଅଟକଳ ଠାରୁ ୨୫ ପ୍ରତିଶତ କମ ରହିଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମନରେଗାରେ କମ ବ୍ୟୟବରାଦ ଗରିବ ଲୋକଙ୍କୁ ସାହାଯ୍ୟ କରିବ ନାହିଁ ବୋଲି କହିଛନ୍ତି ।
ବିଶେଷଜ୍ଞ ଏବଂ ଅଧିକାରୀଙ୍କ ଅନୁସାରେ, କମ ବ୍ୟୟ ବରାଦ ଅପେକ୍ଷା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁଦାନ ଟଙ୍କା ଠିକ ଭାବରେ ନଆସିବା ଚିନ୍ତାର କାରଣ ହେଉଛି । କେବଳ ଚଳିତ ବର୍ଷ ନୁହେଁ ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଅବସ୍ଥା ହେଉଛି । ଶ୍ରମିକଙ୍କୁ ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତିର ପ୍ରତିଶ୍ରୁତି ନେଇ ମନରେଗାର ସୃଷ୍ଟି । କାର୍ଯ୍ୟ କରି ପ୍ରତିଦିନ ମଜୁରି ଆଶା କରୁଥିବା ଶ୍ରମିକଙ୍କୁ ୩ ମାସରୁ ଊର୍ଧ୍ବ ସମୟ ଧରି ମଧ୍ୟ ମଜୁରି ଦିଆନଯିବା ଯୋଗୁଁ ସେମାନଙ୍କ ସମସ୍ୟାର ସମାଧାନ ହେଉନାହିଁ । ଅପରପକ୍ଷରେ ସେମାନେ ଏହି କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି । ସରକାରୀ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟର ୪୭ ହଜାର ୩୦୫ ଟି ଅର୍ଥପୈଠ ବିଳମ୍ବିତ ହୋଇଛି । ସେଥିରୁ ୨୩୮ ଅର୍ଥ ପୈଠ ୩ ମାସରୁ ଊର୍ଧ୍ବ ସମୟ ଧରି ବିଳମ୍ବିତ ହୋଇଛି । ୨୦୨୧-୨୨ର ରିପୋର୍ଟ ଅନୁଯାୟୀ ରାଜ୍ୟର ସମୁଦାୟ ୧ ଲକ୍ଷ ୫୫ ହଜାର ୫୦୦ ଶ୍ରମିକଙ୍କ ମଧ୍ୟରୁ ୬୬ ହଜାର ୬୨୪ ଜଣ କାର୍ଯ୍ୟ କରୁଛନ୍ତି । ଅଦ୍ୟାବଧି ରାଜ୍ୟର ୬୮୦୧ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୫୬୩୮ଟି ଗ୍ରାମପଞ୍ଚାୟରେ ଏହି ପ୍ରକଳ୍ପ କାମ କରୁଛି । ୨୦୨୦ କୋଭିଡ୍ ସମୟରେ ଅନେକ ପ୍ରବାସୀ ଶ୍ରମିକ ଏଥିରେ ନିଯୁକ୍ତି ହୋଇଥିଲେ । ଏପରିକି ଅନେକ ଉଚ୍ଚଶିକ୍ଷିତ ମଧ୍ୟ ଏଥିରେ କାର୍ଯ୍ୟ କରି ଦୈନନ୍ଦିନ ଆବଶ୍ୟକତା ପୂରଣ କରିଥିଲେ । ସାଧାରଣ ସମୟରେ ଗାଁର ମଜୁରିଆ ସହିତ ଛୋଟ ଏବଂ ନାମମାତ୍ର ଚାଷୀ ଏଥିରେ କାର୍ଯ୍ୟ କରିଥାଆନ୍ତି । ଅର୍ଥନୈତିକ ସର୍ଭେ ଅନୁସାରେ, ମହାମାରୀ ଯୋଗୁଁ ଗ୍ରାମ୍ୟ ଅର୍ଥନୈତିକ ଅବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସେମାନଙ୍କୁ ମଜୁରି ଟଙ୍କା ଯଥାଶୀଘ୍ର ମିଳିବା ଉଚିତ। ଏହାକୁ କେନ୍ଦ୍ର ଦୃଷ୍ଟି ଦେଉ ବୋଲି ଦାବି ହୋଇଛି ।
