ବାରିପଦା : ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଜନଜାତିଙ୍କ ବିକାଶ ନାଁରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଏହି ବର୍ଗର ଲୋକ ବହୁ ପଛରେ ଅଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍କରଣ, ମୋବାଇଲ୍ ସେବା ଏବେ ବି ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ବପ୍ନ ହୋଇ ରହିଛି । କେବଳ ସେତିକି ନୁହେଁ, ବନବାସୀମାନେ ଆଜି ଦିନରେ ମଧ୍ୟ ଚିରାଚରିତ ଭାବେ ବଣଜଙ୍ଗଲରୁ ମହୁଲ, ଟୋଲ, ମହୁ, ଲାଖ, ଶାଳପତ୍ର, ଜାଳେଣି କାଠ ଆଦି ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି । ଶିକ୍ଷା ଓ ସଚେତନତାର ଅଭାବରୁ ସରକାରଙ୍କ ଯୋଜନା ସମ୍ପର୍କରେ ସେମାନେ ଅଜ୍ଞ । ଝାଟିମାଟି ଘରେ ରହୁଥିବା ବେଳେ ଆବାସ ଯୋଜନାରେ ଘର ମିଳୁନି । ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ହେଉ କିମ୍ବା ରାଜନେତାଙ୍କ ଆନ୍ତରିକତାର ଅଭାବ; ସ୍ବାଧୀନତାର ୭୫ ବର୍ଷ ପରେ ଜିଲ୍ଲାରେ ଜନଜାତିଙ୍କ ବିକାଶ ଅତ୍ୟନ୍ତ ନିରୁତ୍ସାହ ଜନକ ।
୨୦୧୧ ଜନଗଣନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାରେ ୧୪ ଲକ୍ଷ ୭୯ ହଜାର ୫୭୬ ଜନଜାତି ସଂପ୍ରଦାୟର ଲୋକ ବସବାସ କରୁଛନ୍ତି । ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୭ ଲକ୍ଷ ୩୦ ହଜାର ୪୮୭ ଓ ମହିଳାଙ୍କ ସଂଖ୍ୟା ୭ ଲକ୍ଷ ୪୯ ହଜାର ୮୯ । ତେବେ ଜିଲ୍ଲାରେ ବର୍ତ୍ତମାନ ଜନଜାତି ସଂପ୍ରଦାୟର ଲୋକଙ୍କ ସଂଖ୍ୟା ୨୦ ଲକ୍ଷ ଟପିଯିବ । ଜନଜାତିଙ୍କ ବିକାଶ ପାଇଁ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାରେ କାମ କରୁଛି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା । ବର୍ଷକୁ ୧୫ କୋଟି ହିସାବରେ ଏହି ୪ଟି ସଂସ୍ଥା ୬୦ କୋଟି ଟଙ୍କା ପାଉଛନ୍ତି । ଏହାବାଦ୍ ଜନଜାତିଙ୍କ ପାଇଁ ଖୋଲିଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ, ଲୋଧା ଉନ୍ନୟନ ସଂସ୍ଥା ଓ ଏଚ୍କେଏମ୍ଡିକୁ ବର୍ଷକୁ ୪୦ କୋଟିରୁ ଅଧିକ ଟଙ୍କାର ଅନୁଦାନ ଆସୁଛି । ମୋଟ୍ ଉପରେ ଜନଜାତିର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆସୁଥିବା ବାର୍ଷିକ ଅନୁଦାନ ରାଶି ୧୦୦ କୋଟି ଟପିଯିବ । ଏହା ସତ୍ତ୍ବେ ଜନଜାତିଙ୍କ ବିକାଶ ଯେଉଁ ତିମିରେକୁ ସେଇ ତିମିରେ । ସରକାରୀ ରିପୋର୍ଟ ଅନୁଯାୟୀ, ଏବେ ବି ଜିଲ୍ଲାର ୨୧୧ ଗାଁକୁ ଭଲ ରାସ୍ତା ନାହିଁ । ଲୋକମାନେ ଜଙ୍ଗଲ ପାହାଡ଼ ଡେଇଁ ଯାତାୟାତ କରୁଛନ୍ତି । ବେସରକାରୀ ରିପୋର୍ଟ ଅନୁସାରେ, ଜିଲ୍ଲାରେ ରାସ୍ତା ନଥିବା ଗାଁ ସଂଖ୍ୟା ୫୦୦ ରୁ ଅଧିକ ହେବ । ସେହିପରି ୧,୩୫୦ ଗାଁକୁ ଏଯାଏ ବିଜୁଳି ସଂଯୋଗ ହୋଇନାହିଁ । ସବୁ ପରିବାରକୁ ବିଜୁଳି ଆଲୁଅ ଯୋଗାଇ ଦିଆଯିବ ବୋଲି ସରକାର କହୁଥିବା ବେଳେ ମୟୂରଭଞ୍ଜର ଏତେ ସଂଖ୍ୟକ ଜନଜାତି ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ନ ପାରିବା ବିଡ଼ମ୍ବନାର ବିଷୟ । ଜନଜାତିଙ୍କ ପାଖରେ କଲ୍ୟାଣମୂଳକ ଯୋଜନା ପହଞ୍ଚାଇବା ଲାଗି ସରକାରୀସ୍ତରରେ ନିରନ୍ତର ଉଦ୍ୟମ କରାଯାଉଥିବା କୁହାଯାଉଛି । ହେଲେ ବାସ୍ତବତା କିଛି ଭିନ୍ନ କଥା ବୟାନ କରୁଛି ।
ଏସବୁ ଭିତରେ ମୟୂରଭଞ୍ଜ ମାଟିର ରତ୍ନ, ଆଦିବାସୀ ନେତ୍ରୀ ଦୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି । ଏକ ଜନଜାତି ବହୁଳ ଗାଁରୁ ଆସି ରାଷ୍ଟ୍ରପତି ଦୌଡ଼ରେ ରହିବାଯାଏ ସେ ନିଜେ ଅନେକ ପ୍ରତିବନ୍ଧକର ସାମ୍ନା କରିଛନ୍ତି । କ୍ଷମତା ରାଜନୀତିରେ ଥିଲା ବେଳେ ଜନଜାତିଙ୍କ ବିକାଶ ପାଇଁ ନିରନ୍ତର ଉଦ୍ୟମ ମଧ୍ୟ କରିଛନ୍ତି । ହେଲେ ରାଜନେତ୍ରୀ ଭାବରେ ସେ ନିଜ ଜିଲ୍ଲା ପାଇଁ ଯାହା କରିପାରିନଥିଲେ ହୁଏତ ରାଷ୍ଟ୍ରପତି ହେଲା ପରେ ନିଜର ଅଖଣ୍ଡ କ୍ଷମତା ବଳରେ ଜନଜାତିଙ୍କ ଭାଗ୍ୟ ବଦଳାଇବାରେ ସଫଳ ହେବେ ବୋଲି ସାଧାରଣରେ ଏବେ ଆଶା ଉଜ୍ଜୀବିତ ହୋଇଛି । ତେବେ ଦୌପ୍ରଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲା ପରେ ମୟୂରଭଞ୍ଜ ଜିଲ୍ଲାରେ ଜନଜାତିଙ୍କ ଭାଗ୍ୟ ବଦଳୁଛି କି ନାହିଁ, ତାହା ଆଗାମୀ ସମୟ କହିବ ।
