ବାଲେଶ୍ୱର : ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖାରେ ବିପଦ ସଂକେତ ଟପିଛି ଜଳସ୍ତର । ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ଏବେ ୧୦.୩୮ ମିଟର ଉପରେ ପ୍ରଭାବିତ ହେଉଛି ବନ୍ୟାପାଣି । ଜଳକା ନଦୀବି ଉଛୁଳୁଛି । ଜଳକାର ମଥାନୀ ବିପଦ ସଂକେତ ୫.୫୦ ମିଟର ଥିଲାବେଳେ, ଏବେ ୬.୪୬ ମିଟର ଉପରେ ପ୍ରଭାବିତ ହେଉଛି ।
ତେବେ ବନ୍ୟାପାଣି ବସ୍ତା ବ୍ଲକର ୧୩ଟି ପଞ୍ଚାୟତର ୨୦ ରୁ ଅଧିକ ଗାଁ ଓ ସଦର ବ୍ଲକର ଦୁଇଟି ପଞ୍ଚାୟତକୁ ମାଡ଼ିଯାଇଛି । ବନ୍ୟାପାଣି ପଶି ଯିବାରୁ ୧୦ ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସୁବର୍ଣ୍ଣରେଖାରେ ବଡ଼ଧରଣର ବନ୍ୟା ବିପତ୍ତି ଟଳିଯାଇଥିଲେ ମଧ୍ୟ ଉବୁଟୁବୁ ବାଲେଶ୍ବର । ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଳକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ୪ଟି ବ୍ଳକ୍ ସହିତ ବାଲେଶ୍ବର ସଦର ଓ ରେମୁଣା ବ୍ଳକର ମୋଟ୍ ୧୫୧ ଗାଁ ପାଣି ଘେରରେ ରହିଥିବା ସରକାରୀ ଭାବେ ଦର୍ଶାଯାଇଛି ।
ତେବେ ଏହାଠାରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଥିବା ବେସରକାରୀ ଭାବେ ଆକଳନ କରାଯାଇଛି । ଝାଡ଼ଖଣ୍ଡରେ ବର୍ଷା କମୁଥିବାରୁ ଗାଲୁଡ଼ିହି ଡ୍ୟାମ୍ ର ୧୬ଟି ଗେଟ୍ ବନ୍ଦ କରି ଦିଆଯାଇଛି । ସୁବର୍ଣ୍ଣରେଖାର ବନ୍ୟା ଯୋଗୁଁ ତଳିଆ ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨ ରୁ ୩ ଦିନ ଯାଏ ବନ୍ୟା ସ୍ଥିତି ଲାଗିରହିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ବନ୍ୟା ପାଇଁ ବାଲିଆପାଳ ବ୍ଲକରେ ହାଇ ଆଲର୍ଟ ଜାରି ହୋଇଛି । ୨ ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଲୋକଙ୍କୁ ଉଦ୍ଧାର ଓ ରିଲିଫ ପହଞ୍ଚାଇବା ଲାଗି ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଲାଗିଛନ୍ତି । ୪୦ ହଜାର ୧୨୪ ଜଣ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି ।
ସେପଟେ ବୈତରଣୀ ନଦୀର ଜଳସ୍ତର କମିବାରେ ଲାଗିଛି । ତଳମୁଣ୍ଡରେ ଥିବା ଦଶରଥପୁର ବ୍ଲକ୍ ରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୈତରଣୀର ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ଏଠାରେ ଜଳସ୍ତର ୧୭.୮୧ ମିଟର ରହିଛି । ବନ୍ୟାଜଳ ନିଷ୍କାସନ ହୋଇନପାରି ମୁକୁଳା ଘାଇ ଦେଇ ବିଭିନ୍ନ ଗ୍ରାମାଞ୍ଚଳକୁ ମାଡ଼ିଚାଲିଛି ।
