ଗାଁ କୁ ନାହିଁ ଭଲ ରାସ୍ତା, ଗମନାଗମନର ସାହାରା ପାଲଟିଛି ଝୁଲା ଦଉଡି

ଚାନ୍ଦିପୁଟ : ସରକାର ଗାଁ-ଗାଁକୁ ଗମନଗମନ ସୁବିଧା ପାଇଁ ମାଳ ମାଳ ଯୋଜନାରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା, ହେଲେ ଅନେକ ସ୍ଥାନରେ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ କେଉଁଠି ଉଚ୍ଚୁଳା ନାଳ ଉପରେ କାଠ ଗଣ୍ଡି ସାହାଯ୍ୟରେ ଲୋକେ ଯାତାୟତ କରୁଛନ୍ତି ତ ଅନ୍ୟ କେଉଁଠି ଚିରସ୍ରୋତା ନାଳ ପାର ହେବା ପାଇଁ ସାହାରା ପାଲଟିଛି ଝୁଲା ଦଉଡି ।

ଉଛୁଳା ନଦୀ ଉପରେ ଗାଁକୁ ଗମନାଗମନର ମାଧ୍ୟମ ପାଲଟିଛି ପ୍ଲାଷ୍ଟିକ ଝୁଲା ଦଉଡି । ନାଳର ଦୁଇ ପାର୍ଶ୍ବରେ ଥିବା ଗଛକୁ ଗଛରେ ପ୍ଲାଷ୍ଟିକ ଦଉଡି ବନ୍ଧାଯାଇଥିବା ବେଳେ ଗମନାଗମନ ପାଇଁ ବାଜିରେ ଲଗୁଛି ଅଞ୍ଚଳବାସୀଙ୍କ ଜୀବନ । ପାହଡିଆ ଝରଣାରେ ମିଶ୍ରିତ ଖରସ୍ରୋତା ନାଳର ଉଛୁଳା ଜଳରାଶିରେ କୁନି କୁନି ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଦଉଡି ଧରି ଧରି ଦୌନିକ ଯାତାୟତ କରୁଛନ୍ତି । ତେବେ ଏଭଳି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହଁ ବରଂ ମୋହନା ବ୍ଲକ ସଦର ଠାରୁ ମାତ୍ର ୧୦ କିମି ମଧ୍ୟରେ ଅବସ୍ଥିତ ମେରାପଲ୍ଲି ପଞ୍ଚାୟତର ଚାମକୁଣ୍ଡା ଗ୍ରାମ ନିକଟରେ ଥିବା ଭୁତନାଳରେ । ବିଶେଷ କରି ବର୍ଷା ଦିନରେ ନାଳରେ ଯାତାୟତ ବେଳେ ଭାସିଯିବା ସମ୍ଭାବନା ହେତୁ ବିଦ୍ୟାଳୟ ଓ ଅଙ୍ଗନୱାଡି ଛାତ୍ରଛାତ୍ରୀମାନଙ୍କୁ ଗ୍ରାମର ଯୁବକମାନେ କାନ୍ଧେଇ ଦଉଡି ସାହାଯ୍ୟରେ ନାଳ ପାର କରୁଛନ୍ତି ।

ଗଜପତି ଜିଲ୍ଲା ମୋହନା ବ୍ଲକର ମେରାପଲ୍ଲୀ ଗ୍ରାମ ପଞ୍ଚାୟତର ୫ ନମ୍ବର ୱାର୍ଡରେ ରହିଛି ଚାମକୁଣ୍ଡା ଗ୍ରାମ। ଗାଁରେ ୧୫ଟି ଆଦିବାସୀ ପରିବାର ଆଜକୁ ପ୍ରାୟ ୮୦ ବର୍ଷ ଧରି ଚାଷ ବାସ କରି ରହିଆସୁଥିବା ବେଳେ ଗାଁ କୁଖଣ୍ଡିଏ ଭଲ ରାସ୍ତା ନାହିଁ  । ଗାଁକୁ ଯିବାକୁ ହେଲେ କାଦୁଅ ଭରା ମାଟି ରାସ୍ତାରେ ଅଞ୍ଚଳବାସୀ ନିର୍ଭରଶୀଳ ହେଉଥିବା ବେଳେ ଗାଁ ଦୁଇ ପାର୍ଶ୍ବରେ ରାସ୍ତା ମଧ୍ୟରେ ରହିଛି ଦୁଇଟି ଖରସ୍ରୋତା ନାଳ । ମୋହନା ସଦର ମହକୁମାକୁ ଯାତାୟତ ବେଳେ ଗୋଟିଏ ପଟେ ଭୁତନାଳ ଏବଂ ପଞ୍ଚାୟତକୁ ଯାତାୟତ ବେଳେ ପିମ୍ପୁଡିନାଳ ରାସ୍ତା ଉପରେ ବାଧକ ସାଜିଛି । ତେବେ ଦୁଇ ଚିରସ୍ରୋତା ନାଳ ଉପରେ କୌଣସି ପୋଲ କିମ୍ବା କଲଭର୍ଟ ନଥିବା ହେତୁ ଦୈନିକ ବିପଦପୂର୍ଣ୍ଣ ଭାବେ ନାଳ ଦେଇ ପ୍ରବାହିତ ଉଚ୍ଚୁଳା ଜଳରାଶିକୁ ଦଉଡି ସାହାଯ୍ୟରେ ପାର ହେଉଛନ୍ତି ଅଞ୍ଚଳବାସୀ । ଉପରମୁଣ୍ଡରେ ଅସରାଏ ବର୍ଷା ହେଲେ  ପାହାଡିଆ ଝରଣା ପାଣିର ସମିଶ୍ରଣରେ ନାଳ ଜଳସ୍ଥର ବୃଦ୍ଧି ପାଇଥାଏ ।

ଯାହ। ଫଳରେ ଚାମକୁଣ୍ଡା ଗ୍ରାମଟି ବାହ୍ୟଜଗତରୁ ସମ୍ପୁର୍ଣ୍ଣ ବିଚ୍ଚିନ୍ନ ହୋଇପଡେ । ଗାଁ ଠାରୁ ଚାରିକିମି ଦୁରରେ ଥିବା ଭାଲିଆସାହି ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ପାଇଁ ୫ କିମି ଦୁର କେରାଖାଲ ଗ୍ରାମକୁ ଯିବାକୁ ପଡୁଛି କୁନି କୁନି ପିଲାଙ୍କୁ । ସ୍ଥାସ୍ଥ୍ୟ କେନ୍ଦ୍ର ପାଇଁ ଗୋବିନ୍ଦପୁର ଓ ମୋହନା ଯିବାକୁ ପଡୁଥିବା ବେଳେ ଖରସ୍ରୋତା ନାଳ ରାସ୍ତାରେ ବାଧକ ସାଜୁଛି । ବିଶେଷ କରି ବର୍ଷାଦିନରେ ଗ୍ରାମବାସୀଙ୍କୁ ଅତି ଦୁର୍ଦ୍ଧଶାରେ ସମ୍ମୁଖୀନ ହେବା ସହ ଚିକିତ୍ସା ସୁବିଧା ନପାଇ ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି । ଦୁଇ ବର୍ଷ ତଳେ ହୋଇଥିବା ବାତ୍ୟା ସମୟରେ ଜରୁରୀକାଳିନ ଚିକିତ୍ସା ସୁବିଧା ନପାଇ ଗ୍ରାମର ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ନାଳର ପ୍ରଖର ସ୍ରୋତରେ ଅନେକ ଥର ଗୋରୁଗାଈ ଭାସି ପ୍ରାଣ ହରାଇଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଏହି ରାସ୍ତା ନିର୍ମାଣ ହେଲେ ଚାମକୁଣ୍ଡା ସମେତ ବଲଡାପଙ୍କା, ବେଣୀପଦର, ଭାଲିଆସାହି, ପଦାସାହି, ମେରାମା, କୁଂକୁଣୀ, ପିଟିପୁର ଛକର ଅଞ୍ଚଳବାସୀ ଯାତାୟତର ସୁବିଧା ପାଇପାରିବେ । ଚାମକୁଣ୍ଡା ଗ୍ରାମକୁ ପକ୍କା ସଡକ ନିର୍ମାଣ ସହ ଅତି ଆବଶ୍ୟକୀୟ ଭୁତନାଳରେ ପୋଲଟିଏ ନିର୍ମାଣ କରିବାକୁ ବାରମ୍ବାର ବହୁ ବିଭାଗୀୟ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇ ଆସିଛନ୍ତି । ଆଜକୁ ତିନିବର୍ଷ ତଳେ ଖୋଦ ମୋହନା ବିଧାୟକ ଦାସରଥି ଗମାଙ୍ଗ ଚାମକୁଣ୍ଡା ଗ୍ରାମକୁ ଗସ୍ତ ସମୟରେ ତୁରନ୍ତ ଛୋଟ ସେତୁ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବା ଗ୍ରାମର ଧର୍ମେନ୍ଦ୍ର ରଇତ, ଷଣ୍ଡ ରଇତ, ଏବଲ ମଣ୍ଡଳ, ରାଇକ ମଣ୍ଡଳ, ଲଳିତ ରଇତ ଅଭିଯୋଗ କରିଛନ୍ତି । ତେବେ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ବିକାଶ ଅଞ୍ଚଳବାସୀଙ୍କ ପାଇଁ ସାତସପନ ପାଲଟିଥିବା ବେଳେ ସରକାରଙ୍କ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଉନ୍ନତି ମୂଳକ ଯୋଜନାକୁ ଉପହାସ କରୁଛି । ତୁରନ୍ତ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପକ୍କା ସଡକ ଓ ସେତୁ ନିର୍ମାଣ କରିବାକୁ  ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *