ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କଳା ପତାକା ପ୍ରଦର୍ଶନ, ୧୮ ଯୁବ କଂଗ୍ରେସ କର୍ମୀ ଥାନାରେ ଅଟକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ରେ ମଙ୍ଗଳବାର ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି । ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ଯାଇଥିବାବେଳେ ବ୍ଲକ୍‌ ଅନ୍ତର୍ଗତ କନକପୁରଠାରେ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି । ସୂଚନା ଅନୁସାରେ, ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ କେନ୍ଦ୍ରକରି ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ସମୟରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଉଛି । ଆଜି ଏହାର ଏକ ପୁନରାବୃତ୍ତି ଘଟିଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ ସହିତ ‘ମନ୍ତ୍ରୀ ଗୋ-ବ୍ୟାକ୍‌’ର ସ୍ଲୋଗାନ୍‌ ଦେଇଥିଲେ । ବିରୋଧ ସମୟରେ ଯୁବ କଂଗ୍ରେସର ଲମ୍ବୁଧର ଜାଲ, ସୁରଥ ତାଣ୍ଡି, ମଣ୍ଟୁ ମଙ୍ଗରାଜ, ରମେଶ ସାହୁ, ଦୁଃଖୀ ବାଗ, ଉମାକାନ୍ତ ପହରିଆ, ବିରଞ୍ଚି ଦୀପ, ଅଶୋକ ବଗର୍ତ୍ତି, ପ୍ରମୋଦ ମାଝୀ, ସୁନୀଲ ମାଝୀ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଘଟଣାସ୍ଥଳରେ କେଗାଁ ଥାନା ପୁଲିସ ପହଞ୍ଚି ୧୮ ଜଣ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । କିଛି ଦିନର ବ୍ୟବଧାନ ପରେ ମନ୍ତ୍ରୀଙ୍କୁ ଏଭଳି ବିରୋଧ କରାଯିବା ଜିଲ୍ଲାସାରା ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *