ନୀଳଗିରି : ନୀଳଗିରିରେ ମଦକୁ ନେଇ ମହାଭାରତ । ସତ କିଏ କହୁଛି ଏନେଇ ଚାଲିଛି ତର୍କ ବିତର୍କ । ଘଟଣା ଯାଇ ଥାନାରେ ପହଁଚିବା ପରେ ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ଦୁଇଦିନ ଧରି ସରକାରୀ ମଦ ଦୋକାନରେ ତାଲା ଝୁଲୁଥିବା ଜଣାପଡିଛି । ସୂଚନାଯୋଗ୍ୟ ଗତ ବୁଧବାର ରାତି ୧୧ଟା ସମୟରେ ଘାଟଘର ସାହି ଅଞ୍ଚଳରେ ମଦ କିଣାବିକାକୁ ନେଇ ତୁମ୍ବିତୋଫାନ ଉଠିଛି ।
ବିଭାଘର ଶୋଭାଯାତ୍ରା ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ମଦଖୋଜା । କଚେରି ଛକ ନିକଟରେ ସରକାରୀ ମଦ ଦୋକାନ ଥିବାବେଳେ କିଛି ଯୁବକ ମଦ ଆଣିବାକୁ ଯାଇଥିଲେ । ଯୁବକଙ୍କ କହିବା କଥା ମଦ କିଣିବା ପରେ ବୋତଲ ଠିପି ଘୁରୁଥିବା ପାଇଁ ତାହାକୁ ଫେରାଇବାକୁ ଚାହ୍ନିବାରୁ ଦୋକାନ ବନ୍ଦ ହୋଇଥିଲା । ପରେ ଘଟଘରସାହି ସ୍ଥିତ ସେଲସମ୍ୟାନ ରହୁଥିବା ବାସଭବନକୁ ଯାଇ କହିବାରୁ ସେମାନେ କିଛି ବୁଝିନଥିଲେ ।
ମଦ ଏଠାରେ ରୁହେନି କହିବାରୁ କିଛି ବିହାରୀ ଯୁବକ ଗାଳିଗୁଲଜ ପରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ପରେ ସେମାନେ ଆକ୍ରମଣ କରିବାରୁ ଉତ୍ତମ ସ୍ୱାଇଁ ନାମକ ଯୁବକ ଆହତ ହୋଇଥିବା ଅଭିଯୋଗ ଉଠିଛି । ପରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ସେପଟେ ବାସଭବନରେ ରହୁଥିବା ଲୋକ ଅଲଗା କଥା କହିଛନ୍ତି ।
ଦୋକାନ ବନ୍ଦ ହେବାପରେ ଏଠାକୁ ଆସି ମଦ ମାଗିଥିବା ବେଳେ ଏତେ ରାତିରେ ମଦ କୁଆଡୁ ଆସିବ ଦୋକାନରେ ମିଳିବ ବୋଲି କହିବାରୁ କିଛି ଯୁବକ ଅଶାଳୀନ ଗାଳିଗୁଲଜ କରିବା ସହ ପାଚେରୀ ଭାଙ୍ଗିଦେଇଥିଲେ । ବାହାରେ ଥିବା ଗାଡିକୁ ମଧ୍ୟ ଭଙ୍ଗାରୁଜା କଲେ । ସେମାନେ ଆକ୍ରମଣ କରିବା ସହ ଘରକୁ ଢେଲା ପଥର ମାରିଲେ ।
ତେବେ ଉଭୟ ପକ୍ଷଙ୍କ କଥାରେ ତାଳ ମେଳ ନଥିବା ବେଳେ କ’ଣ ପାଇଁ ପ୍ରକୃତରେ ମହାଭାରତ ହେଲା ଏନେଇ ପୋଲିସ ଖୋଳତାଡ଼ କରୁଥିବା ଜଣାପଡିଛି । ଉତ୍ତମ ସ୍ୱାଇଁ ଥାନାରେ ଅଭିଯୋଗ କରିଥିବା ବେଳେ ମଦ ଦୋକାନର ସେଲସମ୍ୟାନ ମଧ୍ୟ ଏକ ଅଭିଯୋଗ କରିଥିବା ଜଣାପଡ଼ିଛି । ତେବେ ଘଟଣା ଉଗ୍ରରୂପ ନେବା ଆଶଙ୍କା ଥିବାରୁ କାଳେ ମଦ ଦୋକାନ ଭଙ୍ଗାରୁଜା ଓ ଲୁଟ ହେବ ଏହି ଆଶଙ୍କାରେ ଦୁଇଦିନ ଧରି ଦୋକାନରେ ତାଲା ଝୁଲୁଛି ।
