ଭୁବନେଶ୍ୱର : ଭଡା ଦେଇପାରିଲେନି ବୋଲି ୮ ବର୍ଷର ଝିଅକୁ ନେଇଗଲେ ଘର ମାଲିକ । ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଫେରାଇ ଦେବାକୁ ବାପା-ମାଆ ଯେତେ ଗୁହାରୀ କଲେ ମଧ୍ୟ କର୍ଣ୍ଣପାତ କରୁନାହାଁନ୍ତି ଘର ମାଲିକ । ଝିଅକୁ ଫେରାଇ ଆଣିବାକୁ ଦୀର୍ଘ ୧୦ ଦିନ ହେବ ଥାନାରୁ ଆରମ୍ଭ କରି ଡିସିପି ଅଫିସ୍କୁ ଡୌଡୁଛନ୍ତି ଦମ୍ପତ୍ତି । ଆମ ଦୁଃଖ ଶୁଣ ବୋଲି ଯେତେ କାକୁତିମିନତି ହେଲେ ମଧ୍ୟ ଶୁଣୁନାଁନ୍ତି ପୋଲିସ୍ । ନ୍ୟାୟ ପାଇଁ କାନ୍ଦୁଛନ୍ତି ବାପା-ମାଆ । ଏହି ଖବର ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଭିଯୋଗ ପାଇ ଚାଇଲ୍ଡଲାଇନ୍ କର୍ତ୍ତୃପକ୍ଷ ତନାଘନା ଆରମ୍ଭ କରିଦେଇଛନ୍ତି । ହେଲେ ଘର ମାଲିକ ଆଉ ମାଲିକାଣୀ ଝିଅକୁ ନେଇ କେଉଁଆଡେ ଚମ୍ପଟ ମାରିଥିବା ସୂଚନା । ସୂଚନାମୁତାବକ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର ସନ୍ତୋଷ ପ୍ରଧାନ ୮ ବର୍ଷର ଝିଅ ସହ ପଳାଶୁଣି କେନାଲବନ୍ଧ ଆଖଣ୍ଡଳମଣୀ ବସ୍ତିରେ ବାବୁଲି ବିଶୋଇ ଓ କୁନି ବିଶୋଇଙ୍କ ଘର ଭଡା ନେଇ ରହିଆସୁଥିଲେ । ସ୍ତ୍ରୀ ମନ୍ଦାକିନୀଙ୍କ ସହ ଝଗଡା ହେବାରୁ ସେ ତାଙ୍କ ବାପ ଘରେ ରହୁଥିଲେ । ସନ୍ତୋଷ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ।
କାମକୁ ଯିବାବେଳେ ଝିଅକୁ ବାବୁଲି ଘରେ ଛାଡିଦେଇ ଯାଅନ୍ତି । ଦିନେ ସେ କାମରୁ ଫେରି ଝିଅକୁ ଆଣିବାକୁ ଯାଇଥିଲେ ହେଲେ ସେ ଝିଅକୁ ଫେରାଇନଥିଲେ । ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ଘର ଭଡା ଦେଇନାହୁଁ । ଭଡା ପରିଶୋଧ କଲେ ଝିଅକୁ ନେବୁ ବୋଲି ଘର ମାଲିକ ବାବୁଲି କହିଥିଲେ । ସ୍ତ୍ରୀ ଏ ବିଷୟରେ ଜାଣିବା ପରେ ଉଭୟ ମାଲିକ ଘରେ ପହଞ୍ଚି ଝିଅକୁ ଫେରାଇଦେବାକୁ ଗୁହାରୀ କରିଥିଲେ ହେଁ ମାଲିକ ତାଙ୍କୁ ଗାଳିଗୁଲଜ କରି ବିଦା କରିଦେଇଥିଲା । ଦୁଇ ଦିନ ତଳେ ଝିଅର ଜନ୍ମ ଦିନ ଗଲା ହେଲେ ଝିଅକୁ ଦେଖିପାରିଲେନି ଦମ୍ପତ୍ତି । ଏବେ ଝିଅକୁ ଘର ମାଲିକ ଠାରୁ ଫେରାଇଆଣିବାକୁ ଥାନାର ଦ୍ୱାରସ୍ଥ ବାପା-ମା ।
