ଟଙ୍କା ପାଇଁ ଭୁଲିଗଲେ ହିତାହିତ ଜ୍ଞାନ, ଅବିବାହିତ ମହିଳାଙ୍କ ବାପ ସାଜିଲେ ସ୍ବାମୀ

ଆରଡି : ସମ୍ପତ୍ତି ପାଇଁ ସର୍ମ୍ପକୀୟଙ୍କ ବଡ ଚଞ୍ଚକତା । ଟଙ୍କା ପାଇଁ ଭୁଲିଗଲେ ହିତାହିତ ଜ୍ଞାନ, ଅବିବାହିତ ମହିଳାଙ୍କ ବାପ ସାଜିଲେ ସ୍ବାମୀ । ଏକଥା ଯେ କେହି ବି ଶୁଣିଲେ ଅଡୁଆ ଲାଗିବ । ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନସ୍ଥ ଆରଡି ରାଜସ୍ବ ନିରୀକ୍ଷକ ଅଧିକାରୀଙ୍କ ତଦନ୍ତରେ ଏପରି ଜଣାପଡ଼ିଛି ।

ଆରଡି ଗ୍ରାମର ସ୍ବର୍ଗତ ପ୍ରହ୍ଲାଦ ମିଶ୍ରଙ୍କ ବଡ ଝିଅ ମେଘମାଳା ମିଶ୍ର ଅବିବାହିତ ଥିଲେ । ସେ ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦୀର୍ଘବର୍ଷ ଧରି ରହିବା ସହ ୨୦୨୧ ମସିହା ଜାନୁଆରୀରେ ଅବସର ନେଇଥିଲେ । ଅବସର ନେବାର ମାତ୍ର ୩ ମାସ ମଧ୍ୟରେ ଅର୍ଥାତ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ନାଁରେ ବ୍ୟାଙ୍କ ସମେତ ବିଭିନ୍ନ ସ୍ଥାନରେ ପ୍ରାୟ ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ସୂଚନା ଅଧିକାର ବଳରେ ଅଭିଯୋଗକାରୀ ତଥା ମୃତ ମେଘମାଳାଙ୍କ ସାନ ଭଉଣୀ ଶୈଳବାଳା ପଣ୍ଡା କହିଛନ୍ତି । ମେଘମାଳାଙ୍କର ଅନ୍ୟ ଏକ ସାନଭଉଣୀ ସୁଧାଂଶୁବାଳା ମିଶ୍ର ଚାନ୍ଦବାଲି ତହସିଲରୁ ଆରଡି ଆର.ଆଇଙ୍କ ଦ୍ବାରା ମିଥ୍ୟା ତଦନ୍ତ କରି ଜାଲ ଉତ୍ତରାଧିକାରୀ ପ୍ରମାଣପତ୍ର ବାହାର କରିବା ସହ ମେଘମାଳାଙ୍କ ବାପାଙ୍କୁ ସ୍ବାମୀ ଦର୍ଶାଇଥିଲେ । ଏପରି ସୂଚନା ଅଧିକାର ବଳରେ ରେକର୍ଡ ବାହାର କରିଥିବା ସବ୍ୟସାଚୀ ପଣ୍ଡା ସତ୍ୟତା ଲୋକ ଲୋଚନକୁ ଆଣିଛନ୍ତି । ଏପରି ଘଟଣା ଲୋକ ଲୋଚନକୁ ଆସିବା ପରେ ଏକାଧିକ ଉତ୍ତରାଧିକାରୀ ପ୍ରମାଣପତ୍ର ତରବରିଆ ଭାବେ ଚାନ୍ଦବାଲି ତହସିଲରୁ ବାହାରିଥିବା ସବ୍ୟସାଚୀ କହିଛନ୍ତି । ଗୋଟିଏ ପ୍ରମାଣପତ୍ର ୨୦୨୧ ଅପ୍ରେଲ ୨୪ ରେ ବାହାରିଥିବା ବେଳେ ଅନ୍ୟଟି ୨୦୨୨ ଜାନୁଆରୀ ୨୪ରେ ବାହାରିଛି । ଗୋଟିଏ ପ୍ରମାଣପତ୍ରରେ ବାପ ସ୍ବାମୀ ଥିବା ବେଳେ ସମସ୍ତ ଭଉଣୀଙ୍କ ନାଁ ନଥିବା କହିଛନ୍ତି ଶୈଳବାଳା ।

ଶୈଳବାଳାଙ୍କ କହିବା ଅନୁଯାୟୀ ପ୍ରହ୍ଲାଦ ମିଶ୍ରଙ୍କର ୬ ଝିଅ, ଜଣେ ମାନସିକ ବିକୃତ କାରଣରୁ ଦୀର୍ଘ ବର୍ଷ ହେବ ଆରପାରିକୁ ଚାଲିଯାଇଥିଲେ । ଏପରିକି ୨ ଜଣ ବିବାହ କରିଥିବା ବେଳେ ଅନ୍ୟ ୩ ଜଣ ଅବିବାହିତ ରହିଥିଲେ । ଅବିବାହିତା ତଥା ଘରର ବଡ ଝିଅ ମେଘମାଳା ୨୦୧୫ରେ ବଦଳି ହୋଇ ନିଜ ଗାଁ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ ।

୨୦୨୧ରେ ଚାକିରିରୁ ଅବସର ନେବା ପରେ କୌଣସି ଏକ ରୋଗରେ ପୀଡିତ ହୋଇ ୨୦୨୧ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ଧନସମ୍ପତିରେ କାହାରିଙ୍କୁ ଉତ୍ତରାଧିକାରୀ ରଖିନଥିଲେ । ହେଲେ ପରିବାରର କିଛି ସଦସ୍ୟ ମେଘମାଳାଙ୍କ ନାଁରେ ଥିବା ଲକ୍ଷାଧିକ ଟଙ୍କାର ଧନ, ସମ୍ପତ୍ତି ଲୋଭରେ ଏକାଧିକ ମୃତ୍ୟୁ ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଅତି ଚଞ୍ଚକତା ସହ ହାତେଇ ଜମି ଓ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗକାରିଣୀ ଶୈଳବାଳା ପଣ୍ଡା କହିଛନ୍ତି । ସେ ଜିଲାପାଳ, ତହସିଲଦାରଙ୍କ ଠାରୁ ଆରମ୍ଭ କରି ସମସ୍ତ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ।

ଅନ୍ୟପଟେ ପରିବାର ଲୋକ ଲୋଭଗ୍ରସ୍ତ ହୋଇ ଝିଅର ବାପକୁ ସ୍ବାମୀ ସଜେଇବା ସମାଜ ପାଇଁ ଅତି ନିନ୍ଦନୀୟ ବୋଲି ଗ୍ରାମବାସୀ କହିଛନ୍ତି । ଏପରି ଚଞ୍ଚକତା କରି ମିଥ୍ୟା ପ୍ରମାଣପତ୍ର ବାହାର କରି ଅବିବାହିତ ଝିଅର ମୃତ୍ୟୁ ପରେ ବାପକୁ ସ୍ବାମୀ ସଜାଇଥିବା ଅଧିକାରୀ ହୁଅନ୍ତୁ କିମ୍ବା ପରିବାର ଲୋକ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଘଟଣା ସମ୍ପର୍କରେ ଆରଡି ଆର.ଆଇ ଦେବାଶିଷ ରାୟଙ୍କୁ ପଚାରିବାରୁ କାଗଜପତ୍ରରେ ତ୍ରୁଟି ହୋଇଥିବା ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *