ଶ୍ରୀମନ୍ଦିର ପ୍ରଶାସନ ଓ ଲୋକନାଥ ପ୍ରଶାସନର ଆନ୍ତରିକତା ଅଭାବରୁ ଗତ ୪୦ ବର୍ଷ ଧରି ପାଳନ ହୋଇନି ଶମ୍ଭୁ ଏକାଦଶୀ

ପୁରୀ : ଶ୍ରୀମନ୍ଦିରର ଏକ ଅନନ୍ୟ ପରମ୍ପରା ହେଉଛି ଶମ୍ଭୁ ଏକାଦଶୀ ନୀତି । ଏହି ଦିନ ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ‌ମୋହନଙ୍କ ସହ ପ୍ରଭୁ ଲୋକନାଥଙ୍କ ଭେଟ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଲୋକନାଥଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଗୋଟିଏ ପାଲିଙ୍କିରେ ବସି ପୂଜା ପାଆନ୍ତି । ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ଲୋକନାଥ ପ୍ରଶାସନର ଆନ୍ତରିକତା ଅଭାବରୁ ଗତ ୪୦ ବର୍ଷ ‌ଧରି ଏହି ବିରଳ ପରମ୍ପରା ଅଟକି ରହିଛି । ସୋମବାର ଦିନ ବି ‌ଶମ୍ଭୁ ଏକାଦଶୀରେ ଏହି ନୀତି ସମ୍ପନ୍ନ ହୋଇପାରିନି ।

ଏ ସଂପର୍କରେ ଲୋକନାଥ ମନ୍ଦିର ସେବକ ନିଯୋଗ ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ ସହ ବାରମ୍ବାର ଆଲୋଚନା କରି ସାରିଲାଣି । ବାରମ୍ବାର ଚିଠି ବି ଲେଖି ଏହି ବିରଳ ନୀତିକୁ କରିବାକୁ ନିବେଦନ କରି ଆସୁଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ଏହାକୁ ଶ୍ରୀମନ୍ଦିର ପ୍ରଶାସନ କି ଲୋକନାଥ ମନ୍ଦିର ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ବି ଦେଖାଦେଇଛି । କେବଳ ‌ଏହି ନୀତି ନୁହେଁ, ରଥରେ ମହାପ୍ରଭୁଙ୍କ ନିକଟରେ ସଂକୁଡ଼ି ଭୋଗ ହେବାର ପରମ୍ପରା ରହିଛି । ଶ୍ରୀମନ୍ଦିର ପ୍ରଶାସନର ଆନ୍ତରିକତା ଅଭାବରୁ ଗତ ୬୦ ବର୍ଷ ହେଲାଣି ଏହି ନୀତି ବି ବନ୍ଦ ପଡ଼ିଛି ।

ଯେଉଁ ଶୁକ୍ଳପକ୍ଷ ସୋମବାରରେ ଏକାଦଶୀ ପଡ଼େ, ସେହିଦିନ ଶମ୍ଭୁ ଏକାଦଶୀ ଭାବେ ପାଳନ କରାଯାଏ । ପ୍ରଥା ଓ ପରମ୍ପରା ଅନୁଯାୟୀ, ଏହି ଦିନ ଦ୍ବିପ୍ରହର ଧୂପ ପରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ପାଲିଙ୍କିରେ ବିଜେ ହୋଇ ଲୋକନାଥଙ୍କ ମନ୍ଦିରକୁ ଯାତ୍ରା କରନ୍ତି । ମଦନମୋହନ ପହଞ୍ଚିବା ଆଗରୁ ପ୍ରଭୁ ଲୋକନାଥ ସ୍ବାଗତ ପାଇଁ ତାଙ୍କ ମନ୍ଦିରରେ ଥିବା ବୈକୁଣ୍ଠ କୂଅ ନିକଟରେ ଅପେକ୍ଷା କରି ରହିଥାନ୍ତି । ମଦନମୋହନ ଲୋକନାଥ ମନ୍ଦିରରେ ପହଞ୍ଚିବା ପରେ ବନ୍ଦାପନା ପୂର୍ବକ ତାଙ୍କୁ ‌ପାଛୋଟି ନିଆଯାଏ । ପରେ ନାଥଘର ଭିତରେ ହରିହର ଭେଟ ନୀତି ସଂପନ୍ନ ହୋଇଥାଏ । ଏହାପରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ଲୋକନାଥଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଗୋଟିଏ ପାଲିଙ୍କିରେ ବିଜେ ହୋଇ ପୂଜାସ୍ଥାନକୁ ଯାଆନ୍ତି । ଏହି ସମୟରେ କେବଳ ଶ୍ରୀମନ୍ଦିର ସେବାୟତମାନେ ସମସ୍ତ ସେବାନୀତି ସମ୍ପନ୍ନ କରିଥାନ୍ତି । କେବଳ ଶୁଖିଲା ଭୋଗ ଠାକୁରଙ୍କ ନିକଟରେ ପୂଜା ହୋଇଥାଏ । ଶମ୍ଭୁ ଏକାଦଶୀ ହେଉଛି ଗୋଟିଏ ଦିନ ଯେଉଁଦିନ କି ଲୋକନାଥ ମନ୍ଦିରରେ କେବଳ ଶ୍ରୀମନ୍ଦିର‌ ସେବାୟତଙ୍କ ଅଧିକାର ଥାଏ । ପୂଜାପଣ୍ଡା, ଗରାବଡ଼ୁ, ଛତରିଆ, କାହାଳିଆ ପ୍ରମୁଖ ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି ।

ଶେଷଥର ପାଇଁ ଏହି ନୀତି ୧୯୮୨ ମସିହାରେ ହୋଇଥିଲା । ସେବେଠୁ ବିଭିନ୍ନ ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ଓ ଲୋକନାଥ ମନ୍ଦିର ପ୍ରଶାସନ ଏହି ବିରଳ ନୀତିକୁ ବନ୍ଦ କରିଦେଇଛି । ମଦନମୋହନଙ୍କୁ ଲୋକନାଥ ମନ୍ଦିର ନେବା ବଦଳରେ ଦୋଷ ଲୁଚାଇବା ପାଇଁ କେବଳ ଶ୍ରୀମନ୍ଦିର କଳାହାଟ ଦ୍ବାର ନିକଟରେ ଏହି ନୀତି ସାରି ଦିଆଯାଉଛି । ଏ ସମ୍ପର୍କରେ ଲୋକନାଥ ସେବାୟତ ନିଯୋଗ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ସାରିଲାଣି । ପୂର୍ବ ପ୍ରଥା ପରମ୍ପରାକୁ ବଜାୟ ରଖିବାକୁ ଲିଖିତ ଓ ମୌଖିକ ଭାବେ ଜଣାଇ ଆସିଲାଣି । ଲୋକନାଥ ମନ୍ଦିର ପ୍ରଶାସନକୁ ବି ନିଯୋଗ ବାରମ୍ବାର କହି ଆସୁଛି । ତିନି ବର୍ଷ ତଳେ ଏ ସମ୍ପର୍କରେ ଏକ ବୈଠକ ବସିଥିଲା । ପୁନର୍ବାର ଏହି ନୀତି ଆରମ୍ଭ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା । କିନ୍ତୁ ଲୋକନାଥ ମନ୍ଦିର ପ୍ରଶାସନର ଆନ୍ତରିକତା ଅଭାବରୁ ଏଥିରେ କୌଣସି ଅଗ୍ରଗତି ଦେଖାଦେଇନି ।‌

Leave a Reply

Your email address will not be published. Required fields are marked *