ଥାନାରୁ ନିଶା ମାଫିଆ ଚମ୍ପଟ୍‌ ଘଟଣା : ଏସ୍‌ଆଇଙ୍କ ସହ ୩ କର୍ମଚାରୀ ନିଲମ୍ବିତ

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ହାଜତରୁ କୁଖ୍ୟାତ ନିଶା ମାଫିଆ ମୁକ୍‌ତାର ଖାଁ ଚମ୍ପଟ୍‌ ମାରିବା ଘଟଣାରେ ଜଣେ ସବ୍‌ଇନ୍‌ସପେକ୍ଟରଙ୍କ ସହ ଅନ୍ୟ ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ; ଏସ୍‌ଆଇ ପ୍ରିୟଦର୍ଶିନୀ ଖଟୁଆ, ସେଣ୍ଟ୍ରି ଦାୟିତ୍ବରେ ଥିବା କନେଷ୍ଟବଳ ସେକ୍‌ ମଇଉଦ୍ଦିନ୍‌ ଏବଂ ଓଏପିଏଫ୍‌ କର୍ମଚାରୀ ରବୀନ୍ଦ୍ର କୁମାର ହାଁସଦା ।

୧୮ ତାରିଖ ସନ୍ଧ୍ୟାରେ ଜଳେଶ୍ବର ପୁଲିସ ସେକବାଡ଼ ଗାଁର ମୁକ୍‌ତାର ଖାଁଙ୍କୁ ବ୍ରାଉନ୍‌ସୁଗାର ସହ ଗିରଫ କରିଥିଲା । ପଚରାଉଚରା ପାଇଁ ତାଙ୍କୁ ଥାନାକୁ ଅଣାଯାଇଥିବା ବେଳେ ୧୯ ତାରିଖ ବିଳମ୍ବିତ ରାତିରେ ଥାନା କର୍ମଚାରୀଙ୍କୁ ଚକ୍‌ମା ଦେଖାଇ ଚମ୍ପଟ୍‌ ମାରିଥିଲା ମୁକ୍‌ତାର । ଅନ୍ୟପକ୍ଷରେ, ଥାନା ହାଜତରୁ ଜଣେ ଅଭିଯୁକ୍ତ ଖସିଯିବା ଘଟଣାରେ ପୁଲିସର ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠିଥିଲା । ଗତକାଲି ସନ୍ଧ୍ୟାରେ ବାଲେଶ୍ବର ଅତିରିକ୍ତ ଏସ୍‌ପି ଅମରେଶ ପାଣିଗ୍ରାହୀ ଜଳେଶ୍ବର ଥାନା ଆସି ଘଟଣା ବାବଦରେ ପଚାରି ବୁଝିଥିଲେ । ଦାୟିତ୍ବରେ ଅବହେଳା ପାଇଁ ଥାନାର ଡାଇରି ଚାର୍ଜ ଅଫିସରଙ୍କ ସହ ମୋଟ ୩ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏ ସଂକ୍ରାନ୍ତରେ ଚିଠି ନଂ ୧୫୫୬/୨୦.୬.୨୦୨୨ରେ ନିର୍ଦ୍ଦେଶନାମା ଜାରି ହୋଇଛି । ନିଶା ମାଫିଆ ମୁକ୍‌ତାର ଥାନାରୁ ଚମ୍ପଟ ମାରିବା ସମୟର ଦୃଶ୍ୟ ସିସିଟିଭିରେ ରେକର୍ଡିଂ ହୋଇଥିବାବେଳେ ତାକୁ ଗିରଫ କରିବା ପାଇଁ ଜଳେଶ୍ବର ଥାନା ଆଇଆଇସି ରୋଜାଲିନ ବେହେରାଙ୍କ ନିର୍ଦ୍ଦେଶରେ ପୁଲିସ ଟିମ୍‌ ଧରପଗଡ଼ ଚଳାଇଛି ।

Leave a Reply

Your email address will not be published. Required fields are marked *