ବରଗଡ଼ : ଜିଲ୍ଲାରେ ମିଲର୍ସଙ୍କ ଔଧତ୍ୟ ସମସ୍ତଙ୍କୁ ଜଣା । ବିନା ମିଲର୍ସଙ୍କ ଇଚ୍ଛାରେ ଧାନ କିଣା ହୁଏନି । ଏପରିକି ମଣ୍ଡିରେ ଧାନର ପାହାଡ଼ ସୃଷ୍ଟି ହେଲେ ବି ମିଲର୍ସଙ୍କ ଉପରେ ଚାପ ପକାଇବାକୁ ପ୍ରଶାସନ ପଛଘୁଞ୍ଚା ମାରେ । ମିଲର୍ସଙ୍କ ଉପରେ ହାତ ମାରିବାକୁ ଯୋଗାଣ ବିଭାଗର ବଳ ନାହିଁ । ଜିଲ୍ଲାରେ ସୃଷ୍ଟି ହେଉଥିବା ଧାନ କିଣା ବିଭ୍ରାଟ ପାଇଁ ମିଲର୍ସମାନେ ଦାୟୀ ବୋଲି କାହାରିକୁ ଅଛପା ନାହିଁ । ଧାନ କିଣା ବାବଦକୁ ମିଲର୍ସ ମାଲାମାଲ୍ ହେଉଥିବା ବେଳେ ଚାଷୀ କଂଗାଳ । କଥା ଏତିକିରେ ସରିନାହିଁ । ଜିଲ୍ଲାର ମିଲର୍ସମାନେ କୋଟି କୋଟି ଟଙ୍କାର ଜଳକର ଫାଙ୍କୁଥିବା ଜଣାପଡ଼ିଛି ।
ଜିଲ୍ଲାରେ ବର୍ତମାନ ୧୨୭ଟି ଧାନ ମିଲ୍ ରହିଛି । ବରଗଡ଼ ବ୍ଲକ ପରିସୀମାରେ ସର୍ବାଧିକ ୫୫ଟି ରାଇସ୍ ମିଲ୍ ରହିଛି । ଏହା ପଛକୁ ଅତାବିରାରେ ୩୩ଟି ମିଲ୍ ରହିଛି । ଅମ୍ବାଭୋନା ଏବଂ ଝାରବନ୍ଧ ବ୍ଲକକୁ ବାଦ୍ ଦେଲେ ଅନ୍ୟ ସବୁ ବ୍ଲକରେ ରାଇସ୍ ମିଲ୍ ରହିଛି । ବରପାଲିରେ ୯, ଭଟଲିରେ ୩, ଭେଡ଼େନରେ ୧୦, ବିଜେପୁରରେ ୨, ପାଇକମାଳରେ ୫, ପଦ୍ମପୁରରେ ୪, ସୋହେଲାରେ ୫ଟି ମିଲ୍ ରହିଛି । କିନ୍ତୁ ଏଥିରୁ ଅଧିକାଂଶ ମିଲ୍ ଜଳକର ବର୍ଷ ବର୍ଷ ହେଲା ପୈଠ କରୁନାହାନ୍ତି । ପାଖାପାଖି ଶହେରୁ ଅଧିକ ମିଲ୍ ଏହି ତାଲିକାରେ ଅଛନ୍ତି । କେନାଲ୍ ଡିଭିଜନ୍ ଏହି ପରିପ୍ରେକ୍ଷୀରେ ବାରମ୍ବାର ନୋଟିସ୍ ମଧ୍ୟ ଜାରି କରୁଛି । ତୁରନ୍ତ ଟିକସ୍ ନଦେଲେ ଲାଇସେନ୍ସ ରଦ୍ଦ କରିବାକୁ ମଧ୍ୟ ଚେତାବନୀ ଦିଆଯାଉଛି । କିନ୍ତୁ ଏହାକୁ ମିଲର୍ମାନେ ପରବାଏ କରୁନାହାନ୍ତି । ସୂଚନା ଅନୁଯାୟୀ, ୨୦୦୨-୦୩ ମସିହାରେ ଜଳସ˚ପଦ ବିଭାଗ ନିୟମିତ ଜଳକର ଆଦାୟ ପାଇଁ ନିଷ୍ପତ୍ତି ନେଇଥିଲା । ସେହି ଦିନରୁ ଜଳକର ଆଦାୟ ପାଇଁ ଜିଲ୍ଲାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସୂଚନା ଦିଆଯାଇଛି ।
କିଏ ଦୈନିକ କେତେ ପାଣି ବ୍ୟବହାର କରୁଛି, ସେନେଇ ସବିଶେଷ ତଥ୍ୟ ଦେବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେଶାନାମା ସତ୍ବେ କେହି ବି ଜଳକର ଦେଉନାହାନ୍ତି । ଫଳରେ ଟିକସ ବାବଦକୁ କୋଟି କୋଟି ଟଙ୍କା ବକେୟା ପଡ଼ିଥିବା ବରଗଡ଼ କେନାଲ୍ ଡିଭିଜନ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ହଜାରେ ଲିଟର୍ ପାଣି ପାଇଁ ଜଳକର ୩.୪୦ ଟଙ୍କା ରହିଛି । ଶିଳ୍ପାନୁଷ୍ଠାନ ପାଇଁ ଏହା ୬.୮୦ ଟଙ୍କା ଧାର୍ଯ୍ୟ ହୋଇଛି । ଭୂତଳ ଜଳସ୍ତର କ୍ଷେତ୍ରରେ ହଜାରେ ଲିଟର ପାଇଁ ୭.୪୮ ଟଙ୍କା ଧାର୍ଯ୍ୟ ରହିଛି । କିନ୍ତୁ ନିୟମିତ ଭାବେ ଟିକସ୍ ଦାଖଲ ହେଉନଥିବାରୁ ଏହାର ପରିମାଣ କୋଟି କୋଟି ଟଙ୍କାକୁ ଟପି ଯାଇଛି । ଜଳକର ଫାଙ୍କୁଥିବା ତାଲିକାରେ ଗୁଡ଼ାଏ ଲଘୁ ଉଦ୍ୟୋଗ, ସ୍କୁଲ ଏବଂ ନାମୀଦାମୀ ହୋଟେଲ ତଥା ରେଷ୍ଟୁରାଣ୍ଟ ମଧ୍ୟ ରହିଥିବା ଜଣାପଡ଼ିଛି । ଏସବୁ ସ୍ଥାନରେ ଡିପ୍ ବୋରୱେଲ୍ ଖୋଳି ଦୈନିକ ଲକ୍ଷାଧିକ ଲିଟର୍ ପାଣି ଉତ୍ତୋଳନ କରାଯାଉଛି । କିନ୍ତୁ ଜଳକର ଦେଲା ବେଳକୁ ଏମାନେ ପଛଘୁଞ୍ଚା ଦେଉଛନ୍ତି । ମାତ୍ରାଧିକ ଡିପ୍ ବୋରୱେଲ୍ ଖନନ ଯୋଗୁ ଜିଲ୍ଲା ବ୍ୟାପୀ ଭୂତଳ ଜଳସ୍ତର ଖସିବାକୁ ଲାଗିଛି । ଏସବୁ ଅସୁବିଧା ସତ୍ବେ ଜଳକର ଆଦାୟ ଉପରେ କାହାରି ନିଘା ନାହିଁ ।
