ନନ୍ଦନକାନନ : ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି । ନନ୍ଦନକାନନ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଥିବାବେଳେ ଏକାଧିକ ଫେରାର ଥିବା ଜଣାପଡ଼ିଛି । ଗିରଫ ଯୁବକମାନେ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁ, କାହ୍ନୁ ମହାପାତ୍ର ଓ ଅମନ ପାଟ୍ଟସାହାଣୀ । ଏମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସଫାରୀ କର୍ମଚାରୀ ।
ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁରର ୨୬ ଜଣ ପର୍ଯ୍ୟଟକ ରବିବାର ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରୀରେ ବୁଲିବା ପାଇଁ ଅପରାହ୍ଣରେ କାଉଣ୍ଟରରେ ପହଞ୍ଚି ଟିକଟ କାଟି ଧାଡ଼ିରେ ଛିଡ଼ା ହୋଇଥିଲେ । ମାତ୍ର ସେମାନଙ୍କୁ ବୁଲିବା ପାଇଁ ସୁଯୋଗ ମିଳିନଥିଲା । ଏହି ଘଟଣାକୁ ନେଇ ସଫାରୀ କାଉଣ୍ଟରରେ ଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ପର୍ଯ୍ୟଟକଙ୍କୁ କର୍ମଚାରୀ ଠେଲାପେଲା କରିଥିଲେ । ସେମାନେ ଏହାକୁ ବିରୋଧ କରିବାରୁ ପ୍ରାୟ ୫୦ରୁ ଅଧିକ ବ୍ୟାଟେରି ଗାଡ଼ି ଓ ସଫାରୀ କର୍ମଚାରୀ ଏକାଠି ହୋଇ ପର୍ଯ୍ୟଟକଙ୍କୁ ବାଡ଼ି ଓ ଷ୍ଟିଲ୍ ରଡ୍ରେ ମାରପିଟ କରି ରକ୍ତାକ୍ତ କରିଥିଲେ । ଏଥିରେ ପର୍ଯ୍ୟଟକ ହିମାଂଶୁ ଗୁପ୍ତା, ହରିଶ ଗୁପ୍ତା, ଅନୁ ଗୁପ୍ତା, ରଣକ ଗୁପ୍ତା ପ୍ରମୁଖଙ୍କ ଶରୀରରେ କ୍ଷତ ସୃଷ୍ଟି ହୋଇଥିଲା । ଅନ୍ୟପକ୍ଷରେ ଘଟଣାର ଯାଞ୍ଚ କରାଯାଉଥିବା କହିଛନ୍ତି ନନ୍ଦନକାନନ ଉପ ନିର୍ଦେଶକ ଡ. ସଞ୍ଜିତ କୁମାର । ଆକ୍ରମଣ ଘଟଣାରେ ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ତଦନ୍ତ ରିପୋର୍ଟ ମଗାଯାଇଛି । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା ବିଭାଗୀୟ ଅଧିକାରୀଙ୍କ ପ୍ରଶାସନିକ ସ୍ଥାଣୁତାକୁ ଅଙ୍ଗୁଳି ନିର୍ଦେଶ କରୁଛି । ରବିବାର ସଫାରୀ ଓ ବ୍ୟାଟେରିଚାଳିତ ଠିକା କର୍ମଚାରୀ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ପ୍ରାଣୀ ଉଦ୍ୟାନର ଛବିକୁ ନିନ୍ଦିତ କରିଛି । ଏଭଳି ଘଟଣା ଥରେ ନୁହେଁ ପ୍ରାୟ ପ୍ରତି ମାସରେ ୨ ରୁ ୪ ଥର ଘଟୁଥିଲେ ବି ଉଚ୍ଚ ଅଧିକାରୀଙ୍କ ଚେତା ପଶୁନାହିଁ । ଦିନକୁ ଦିନ ପ୍ରାଣୀ ଉଦ୍ୟାନରେ ବିଭିନ୍ନ ଠିକାସଂସ୍ଥା କର୍ମଚାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିଲେ ହେଁ ସେଭଳି କଠୋର ପଦକ୍ଷେପ ନିଆଯାଉନାହିଁ ।
ଅନ୍ୟପକ୍ଷେ ଟେଣ୍ଡର ନେବା ପାଇଁ ପ୍ରତିଯୋଗିତା ହେଉଥିବାରୁ ଠିକା ସଂସ୍ଥା ଲାଭ ଆଶାରେ ଅଧିକ ଦାମ୍ ଦେଇ ଟେଣ୍ଡର ନେଉଛନ୍ତି । ପରେ କ୍ଷତି ଆଶଙ୍କା କରି ଅଧିକ ଟଙ୍କାରେ ଟିକଟ ବିକ୍ରି କରି ପର୍ଯ୍ୟଟକଙ୍କୁ ନିରାଶ କରୁଛନ୍ତି । ସ୍ଥଳବିଶେଷରେ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି । ଏସବୁ ସତ୍ତ୍ବେ ପ୍ରାଣୀଉଦ୍ୟାନ ପକ୍ଷରୁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ଉଦ୍ୟାନରେ ବିଭିନ୍ନ ବିଭାଗ ପାଇଁ ଯେଉଁ ନିୟମ ରହିଛି ତା’ର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ପ୍ରଶାସନ ଏସବୁ ଜାଣି ମଧ୍ୟ ନିରବ ରହିଛି । ଏ ନେଇ ଉପନିର୍ଦେଶକ କହିଛନ୍ତି, ପର୍ଯ୍ୟଟକ ଆମ ପାଇଁ ଅତିଥି । ସେମାନଙ୍କୁ ଆକ୍ରମଣ ଅମାନୁଷିକ କାର୍ଯ୍ୟ ।
