ଭୁବନେଶ୍ୱର : ଅବହେଳିତ ଅବସ୍ଥାରେ ପଡିଛି ଉତ୍କଳ ବିଶ୍ବବିଦ୍ୟାଳୟ । କ୍ୟାମ୍ପସ ଭିତର ଜଙ୍ଗଲ ପାଲଟିଛି । ଓଡିଶାର ସର୍ବବୃହତ ବିଶ୍ବବିଦ୍ୟାଳୟର ଅବ୍ୟବସ୍ଥିତ ଅବସ୍ଥାରେ ପଡିଛି । ନର୍ଦ୍ଦମାର ଦୁଇ ପାର୍ଶ୍ବରେ ପଡିଛି କୁଢ କୁଢ ଅଳିଆ । ଅଦରକାରୀ ଗଛ କଟା ଯାଉନାହିଁ । ନର୍ଦ୍ଦମା ଉପରେ ରହିଛି ହୋଟେଲ । ଏହାକୁ ନେଇ ହୋଟେଲକୁ ଆସୁଥିବା ଗ୍ରାହକମାନଙ୍କ ଅଭିଯୋଗ ରହିଛି । ପ୍ରତିଦିନ ବିଶ୍ବବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନେ ଦୁର୍ଗନ୍ଧର ସାମ୍ନା କରୁଛନ୍ତି । ତେବେ ବର୍ଷା ଦିନ ଯୋଗୁଁ ରାସ୍ତାରେ ସଵୁ ସମୟରେ ନର୍ଦ୍ଦମା ପାଣି ଜମି ରହୁଛି । କ୍ୟାମ୍ପସର ଦୁଇ ପାର୍ଶ୍ବରୁ ଜଙ୍ଗଲ ସଫା ନହେବାରୁ ସେଠାରେ ବିଷାକ୍ତ ସାପ ବୁଲୁଛନ୍ତି ।
ବିଶ୍ବବିଦ୍ୟାଳୟର ପୁରୁଣା ଛାତ୍ରଙ୍କ କହିବା ଅନୁଯାୟୀ, ବିଶ୍ବବିଦ୍ୟାଳୟ ବାହାର ଚାରିପାଖ ସଫା କରିବାର ଦାୟିତ୍ବ ବିଏମସି ନେଇଛି । ମାତ୍ର ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ କ୍ୟାମ୍ପସ ଭିତର ଦାୟିତ୍ବ ଆଉଟସୋର୍ସିଂ ଜରିଆରେ ସଫେଇ କରୁଛନ୍ତି । କିନ୍ତୁ ବିଶ୍ବବିଦ୍ୟାଳୟ ପରିସର ସମ୍ପୁର୍ଣ୍ଣ ଭାବେ ସଫା ହୋଇପାରୁନାହିଁ । କ୍ୟାମ୍ପସ ଭିତର ଦେଇ ଯାଇଥିବା ନର୍ଦ୍ଦମା ଅବସ୍ଥା ଶୋଚନୀୟ ହୋଇପଡିଛି । ବନ୍ୟାଜଳ ନିଷ୍କାସନ ହୋଇପାରୁନି । ଯାହାକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ । ନିକଟରେ ଉତ୍କଳ ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ର ସଂଗଠନର ଦ୍ବିତୀୟ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ସ୍ବଚ୍ଛତା ପାଇଁ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ । ହେଲେ ତଥାପି ପରିସ୍ଥିତି ସୁଧୁରି ପାରିନି । ତେବେ ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ, କର୍ତ୍ତୁପକ୍ଷଙ୍କୁ ଭେଟି ଦାବିପତ୍ର ଦେବେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଏଥିସହ ସଫେଇ ଦାୟିତ୍ଵ ଭୁବନେଶ୍ବର ମହାନଗର ନିଗମକୁ ଦେବାକୁ ଦାବି କରିଛନ୍ତି ।
