ବୌଦ୍ଧ : ସମୟାନୁକ୍ରମେ ଆଜିର ସମାଜ ନିଜର ପାରମ୍ପରିକ ଚଳଣୀକୁ ବାଦଦେଇ ଆଧୁନିକ ସଭ୍ୟତାକୁ ଅନୁକରଣ କରିବାରେ ଲାଗିଛି । ତଦନୁଯାୟୀ ନିଜ ଦୈନନ୍ଦିନ ଚଳଣି ଓ ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟ ପାଇଁ ଅତ୍ୟାଧୁନିକ ସାମଗ୍ରୀର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଇଆସୁଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଅତ୍ୟାଧୁନିକ ଜୀବନ ଶୈଳୀ ଭିତରେ ବି ଆଜି ମଧ୍ୟ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପୂର୍ବ ପୁରୁଷାନୁକ୍ରମେ ବ୍ୟବହାର ହୋଇଆସୁଥିବା କୁଲା, ଭୁଗା, ଚଟେଇ, ହାତପଙ୍ଖା ଆଦି ବାଉଁଶରେ ତିଆରି ସାମଗ୍ରୀର ଚାହିଦା ଏବେ ମଧ୍ୟ ରହିଛି । କେବଳ ଘର କରଣା ପାଇଁ ନୁହେଁ ବିବାହ ବ୍ରତ ପୂଜା ପାର୍ବଣ ଆଦି ସମସ୍ତ କାର୍ଯ୍ୟରେ ଏହାର ଆବଶ୍ୟକତା ଦେଖାଦେଇଥାଏ । ସାଧାରଣ ଜୀବନରେ ବାଉଁଶରୁ ପ୍ରସ୍ତୁତି ସାମଗ୍ରୀର ଆବଶ୍ୟକତା ଥିବା ସତ୍ୱେ କାଳକ୍ରମେ ଜଙ୍ଗଲରୁ ବାଇଁଶ କାଟି ଅଣାଯିବା ଉପରେ ବନବିଭାଗର କଡା କଟକଣା ଯୋଗୁଁ ବାଉଁଶ କାରିଗର ଭାବରେ ଜଣାଶୁଣା ବେତରା ସମ୍ପ୍ରଦାୟର ଲୋକେ ଧିରେଧିରେ ନିଜର କୌଳିକ ବୃତ୍ତି ଛାଡି ପେଟ ପୋଷିବା ପାଇଁ ଅନ୍ୟ ବତ୍ତିକୁ ଆପଣେଇ ନେବାରେ ଲାଗିଥିବା ଲକ୍ଷ କରାଯାଉଛି । ଫଳରେ ଏକଦା ବୌଦ୍ଧ ଜିଲ୍ଲାରେ ଉତ୍ତମ ବାଉଁଶରେ ତିଆରି ସାମଗ୍ରୀଗୁଡିକ ପୋଡଶି କନ୍ଧମାଳ, ଅନୁଗୋଳ ଓ ନୟାଗଡ଼ ଆଦି ଜିଲ୍ଲାରେ ଆଦୃତ ହେଉଥିବା ବେଳେ ଏବେ ଜିଲ୍ଲାର ଆବଶ୍ୟକତା ଅନୁଯାଇ ମିଳିବା କଷ୍ଟକର ହୋଇପଡୁଛି । ଯେଉଁ କିଛି ଲୋକ ଲୁଚା ଛପାରେ ଜଙ୍ଗଲରୁ ବାଉଁଶ ଆଣି ଏହି କାମ କରୁଛନ୍ତି ଅନେକ ସମୟରେ ସେମାନେ ଧରା ପଡ଼ିଲେ ଅର୍ଥ ଜୋରିମାନା ସାଙ୍ଗକୁ ମୋକଦ୍ଦମାର ସମ୍ମୁଖିନ ହେଉଥିବାରୁ ଆଉକିଛି ବର୍ଷ ପରେ ଏହି ବୃତ୍ତି ସ୍ୱମ୍ପର୍ଣ୍ଣ ରୂପେ ଲୋପ ପାଇବାର ସମ୍ଭାବନା ଦେଖାଦେଇଛି ।
ଅନ୍ୟପଟେ ବାଉଁଶରୁ ତିଆରି ଯାହାକିଛି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାକୁ ବେପାରୀମାନେ ଅଳ୍ପ ଦରରେ କିଣିନେଇ ସହର ବଜାରରେ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ବୌଦ୍ଧ ସହରର ବାପୁଜିନଗର ସମେତ ହରଭଙ୍ଗା ବ୍ଲକର ଧଳପୁର, ତିଲେଶ୍ୱର, ହରଭଙ୍ଗା, ଭେଜିଗୋରା ବୌଦ୍ଧ ବ୍ଲକର ପଣ୍ଡକିମାଳ, ବଘିଆପଡ଼ା ଆଦି ଗ୍ରାମରେ ରହୁଥିବା ଶହ ଶହ ପରିବାର ସଦସ୍ୟ ଏବେ କାମଧନ୍ଦା ଅନ୍ୱେଷଣରେ ବାହାର ଜିଲ୍ଲା ଓ ରାଜ୍ୟକୁ ଚାଲିଯାଉଥିବା ଅନୁସନ୍ଧାନରୁ ଜଣାଯାଇଛି । ପ୍ରଶାସନ ଓ ବନବିଭାଗ ପକ୍ଷରୁ କର୍ପୋରେସନ ଜରିଆରେ ସେମାନଙ୍କୁ ବାଉଁଶ ଯୋଗାଇ ଦେବାପାଇଁ ସେମାନେ ସାମୁହିକ ଭାବେ ବହୁବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ରହିଥିବା ସେମାନେ କହନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନନେଲେ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାରେ ବାଉଁଶ କାରିଗରୀ ସ୍ୱମ୍ପୁର୍ଣ୍ଣ ବାବେ ବିଲୁପ୍ତ ହୋଇଯିବ ଏହାକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।
