କେରଳୀ ଯୁବକଙ୍କୁ ହତ୍ୟା ଘଟଣାରେ ୫ ଗିରଫ

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅଞ୍ଚଳରେ ଗତ ୩୦ ତାରିଖରେ ଜଣେ କେରଳୀ ଯୁବକ ଓ ତାଙ୍କ ସାଥୀଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ ଓ ଲୁଟ୍‌ ଘଟଣାରେ ପୁଲିସ ଦୁଇ ନାବାଳକ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଚାନ୍ଦିପୁର ଥାନା ତୁଳସୀପଦା ପୁରୁଣା ବାଲେଶ୍ୱର ଅଞ୍ଚଳର ସୁଧୀରଞ୍ଜନ ମାଝୀ ଓରଫ ସିକୁନ (୩୫), ଟାଉନ ଥାନା ଅଧୀନ ପୁରୁଣା ବାଲେଶ୍ବରର ନିରଞ୍ଜନ ସିଂ ପୁଅ ବାଙ୍କୁ ଓରଫ୍ ଅଭିଜିତ ସିଂ (୩୫)କୁ ଗତକାଲି ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା ।

ଆଜି ଆଉ ୩ ଜଣ ଅଭିଯୁକ୍ତ ଚାନ୍ଦିପୁର ଥାନା ରଣସାହି ଅଞ୍ଚଳର ରଞ୍ଜନ ମଲ୍ଲିକ ଓରଫ୍‌ ଚମଚମ୍‌ (୧୬), ରୁପ୍ସା ଥାନା କସିପଦା ଗ୍ରାମର ସଦାଶିବ ବଢ଼େଇ ଓରଫ ସଦା(୨୭) ଓ ଚାନ୍ଦିପୁର ଥାନା ରଣସାହି ଗ୍ରାମର ମଣିଶଙ୍କର ବେହେରା ଓରଫ ଭାଲୁ(୧୭)କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଆସନ୍ତା ଦିନରେ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ହିମାଂଶୁ କୁମାର ଲାଲ ଓ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ମେ ୩୦ ତାରିଖ ସକାଳେ ସେମିତ୍‌ ଦେବାସୀ ଓ ତାଙ୍କ ସହ ଥିବା ବନ୍ଧୁ ପ୍ରବୀଣଙ୍କୁ ଅଭିଯୁକ୍ତ ସିକୁନ, ବାଙ୍କୁ, ଚମଚମ୍‌, ସଦା, ଭାଲୁ ଓ ତାଙ୍କ ସହଯୋଗୀମାନେ ପୁରୁଣା ବାଲେଶ୍ବରର ତୁଳସୀପଦା ଠାରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ପ୍ରାଣାନ୍ତକ ଆକ୍ରମଣ ସହ ୧୫ ହଜାର ଟଙ୍କା ଲୁଟିନେଇଥିଲେ । ଏଥିରେ ସେମିତ୍‌ ଦେବସୀ ଗୁରୁତର ଆହତ ହୋଇ ବାଲେଶ୍ବର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଚାନ୍ଦିପୁର ଥାନାରେ ୫୫/୨୨ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା ।

Leave a Reply

Your email address will not be published. Required fields are marked *