ଗାଁକୁ ପୋଲ ଅଛି, ହେଲେ ରାସ୍ତା ନାହିଁ ; ବର୍ଷା ଦିନେ ବିଚ୍ଛିନ୍ନ ହେଉଛି ଦୁଇ ଗ୍ରାମ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଉଦୟପୁର ପଞ୍ଚାୟତର ଦୁଇ ପ୍ରମୁଖ କୋସଳାଙ୍ଗ ଏବଂ ଆଙ୍ଗିସିଙ୍ଗି ଗ୍ରାମରେ ରୁହନ୍ତି ଆଦିବାସୀ ସମୁଦାୟର ଲୋକ । ଏହି ଗ୍ରାମକୁ ଯିବା ପାଇଁ ଆଜିଯାଏଁ ରାସ୍ତା ଖଣ୍ଡେ ନାହିଁ । ଅଧାରୁ ଅଟକି ଯାଇଛି ରାସ୍ତା କାମ । ଏହି ଗ୍ରାମକୁ ଯିବାବେଳେ ଏକ ନାଳ ପଡ଼ୁଥିବାରୁ ନାଳ ପାର ହୋଇ ଯିବା ପାଇଁ ପୋଲଟିଏ ନିର୍ମାଣ ହୋଇଛି, କିନ୍ତୁ ରାସ୍ତା ସଂଯୋଗ ହୋଇନଥିବାରୁ ଏହା କୌଣସି କାମରେ ଲାଗୁନି । ଏବେ କିଛିଦିନ ହେବ ଲଗାଣ ବର୍ଷାରେ ପାଦଚଲା ରାସ୍ତା ସମ୍ପୂର୍ଣ୍ଣ ଭାବେ ବେହାଲ ହୋଇଯାଇଛି । ଆଗକୁ ଆସୁଥିବା ବର୍ଷା ଦିନରେ ଏହି ଦୁଇ ଗ୍ରାମ ବାହ୍ୟଜଗତରୁ ଏକ ପ୍ରକାରର ବିଚ୍ଛିନ୍ନ ହେବା ଏଥିରୁ ଅନୁମେୟ ।

ସୂଚନା ମୁତାବକ, ଉଦୟପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋସଳାଙ୍ଗ ଓ ଆଙ୍ଗିସିଙ୍ଗି ଆଦିବାସୀ ବହୁଳ ଗ୍ରାମ ହୋଇଥିବା ବେଳେ ଏଠାରେ ୩୦୦ ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଏମାନଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ତା । ଏହି ଗ୍ରାମକୁ ଯିବା ପାଇଁ ଦୁଇ କିଲୋମିଟର ଜଙ୍ଗଲ ରାସ୍ତା ପଡୁଥିବାରୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ କୌଣସି ପ୍ରକାରର ଅନୁମତି ମିଳିପାରୁନାହିଁ । ଏଥିପାଇଁ ବାରମ୍ବାର ସର୍ଭେ ହେଉଛି ଏବଂ ପ୍ରଶାସନିକ ଅଧିକାରୀମାନେ ଆସି ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇ ଚ।ଲିଯାଉଛନ୍ତି, କିନ୍ତୁ ତାହା ଫାଇଲର ନାଲିଫିତା ତଳେ ତାହା ଅଟକି ଯାଉଛି । ନିର୍ବାଚନ ସମୟରେ ଅନେକ ରାଜନେତା ଏହି ଦୁଇ ଗ୍ରାମକୁ ଯାଇ ବିକାଶର କଥା କହୁଥିବା ବେଳେ ସେସବୁ ଏବେ ପାଣିର ଗାର ସଦୃଶ ହୋଇଛି । ଏହି ଗ୍ରାମରେ କିଛି ଅଘଟଣ ଘଟିଲେ କେବଳ ମୃତ୍ୟୁକୁ ହିଁ ଅପେକ୍ଷା କରାଯାଇଥାଏ ବୋଲି ଗ୍ରାମବାସୀମାନେ କହିଛନ୍ତି । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ପୁଲିସ ଗାଡ଼ି ଗ୍ରାମରେ ପହଞ୍ଚିପାରେ ନାହିଁ । ସରକାରୀ ବାବୁମାନେ ଗାଁକୁ ଗଲେ ରାସ୍ତାର ଅବସ୍ଥା ଦେଖି ଯିବାକୁ ନାକ ଟେକନ୍ତି । ଗ୍ରାମରେ ବିଦ୍ୟୁତ ସେବା ଅଧା ସମୟ ବନ୍ଦ ରହୁଥିବା ବେଳେ ମୋବାଇଲ ସେବା କଥା ନ କହିବା ଭଲ । ଏହି ଗ୍ରାମକୁ ଯିବା ବାଟରେ ଏକ ନାଳ ପଡ଼ିଥାଏ । ଗତ ବର୍ଷ ଏହି ନାଳ ଉପରେ ପୋଲ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ରାସ୍ତା ସଂଯୋଗ ହୋଇନଥିବାରୁ ଏହା କୌଣସି କାମରେ ଲାଗୁନଥିବା ଦେଖିବାକୁ ମିଳିଛି ।

ଏବେ କିଛି ଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ଏହି ରାସ୍ତାର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିବା ବେଳେ ଆଗାମୀ ବର୍ଷା ଦିନରେ ଏହି ଦୁଇ ଗ୍ରାମ ପୂର୍ବ ବର୍ଷଗୁଡିକ ଭଳି ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସ୍ବାଭାବିକ । ତେବେ ଏହି ଗ୍ରାମକୁ ଯିବା ପାଇଁ ଜିଗିନିପଡ଼ା ଠାରୁ କୋସଳାଙ୍ଗ ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା ସଂରକ୍ଷିତ ଜଙ୍ଗଲ ପଡ଼ୁଡୁଥିବାରୁ ବର୍ଷେ ତଳେ ବନ ବିଭାଗ ପକ୍ଷରୁ ରାସ୍ତା ମାପ କରାଯାଇ ପଠାଯାଇଥିବା ବନ ବିଭାଗ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ହେଲେ ଏହି ରାସ୍ତା କେବେ ନିର୍ମାଣ ହେବ ତାହା ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି । ତେବେ ଏହି ଘଟଣା ପ୍ରତି ଉପରିସ୍ଥ ବିଭାଗୀୟ ଅଧିକାରୀମାନେ ବିଶେଷ ଭାବେ ଦୃଷ୍ଟି ଦେବା ସହ ଲୋକଙ୍କ ବହୁଦିନର ସମସ୍ୟା ଦୂର କରିବା ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *