ବଣାଇ : ଦୀର୍ଘ ଦଶ ଦିନରୁ ଅଧିକ ହେବ ବଣାଇ ବନଖଣ୍ଡର କୁଳିପୋଷ ଓ ବଣାଇ ରେଞ୍ଜରେ ଏକ ଗୋଟିକିଆ ଦନ୍ତାହାତୀର ଉପଦ୍ରବରେ ଅତିଷ୍ଠ ହୋଇ ଆଜି ଖୁଣ୍ଟଗାଁ ସରପଞ୍ଚ ଅଜୟ ନାଏକଙ୍କ ନେତୃତ୍ବରେ ଦୁଇଦଫା ଦାବୀ ନେଇ ପୋଇଗାଁ, ସୁଆରପାଲି, ଵେଲକୁଦର, ତାଳଢିପା, ରାଇକଳାପୋଷ ଇତ୍ୟାଦି ୫ଟି ଗ୍ରାମର କ୍ଷତିଗ୍ରସ୍ତ ଗ୍ରାମବାସୀ ଶେଷରେ ଆଜି ବଣାଇ ବନଖଣ୍ଡ କାର୍ଯ୍ୟାଳୟକୁ ଆସି ଘେରାଉ କରିଥିଲେ ।

ସୂଚନା ଅନୁସାରେ ଦୀର୍ଘ ଦିନ ଧରି ଏସବୁ ଗ୍ରାମରେ ରାତ୍ରି ସମୟରେ ଏକ ଦନ୍ତାହାତୀ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହିତ କୃଷି ଜାତ ଦ୍ରବ୍ୟକୁ ନଷ୍ଟ କରି ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ, ଲୋକେ ରାତି ଅନିଦ୍ରା ରହି ଶାନ୍ତିରେ ଶୋଇ ପାରୁନାହାନ୍ତି । ତେଣୁ ବନଖଣ୍ଡ ଅଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ ହାତୀକୁ ଜଙ୍ଗଲକୁ ଘଉଡାଇ ଗ୍ରାମବାସୀଙ୍କ ଧନଜୀବନ ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି । ବନଖଣ୍ଡ ଅଧିକାରୀ ଏହାକୁ ଉପଲବ୍ଧି କରି ବନ କର୍ମଚାରୀଙ୍କ ଦ୍ୱାରା କ୍ଷୟକ୍ଷତିର ଆକଳନ କରି ୩ ଦିନ ମଧ୍ୟରେ କ୍ଷତିପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
