ସମ୍ବଲପୁର : ହୀରାକୁଦ ଜଳଭଣ୍ତାରରେ ପ୍ରଦୂଷଣ ବଢିବାରେ ଲାଗିଲାଣି । ପ୍ରତି ବର୍ଷ ଶହ ଶହ ଟନ ଆବର୍ଜନା ଜଳଭଣ୍ତାରରେ ମିଶିବା ସହ ପାଣି ଦୂଷିତ ହେଉଛି । ଯାହାକୁ ନେଇ ଜାତୀୟ ମାନବାଧିକାର ଆୟୋଗ ରିପୋର୍ଟ ତଲବ କରିଛି । ସେପଟେ ଜଳଭଣ୍ତାର ପାଣିରେ ନିର୍ଭର କରୁଥିବା ଜିଲ୍ଲାବାସୀଙ୍କୁ ଚିନ୍ତା ବଢାଇବା ସହ ମତ୍ସ୍ୟ ଉତ୍ପାଦନ ହ୍ରାସ ପାଇଲାଣି ।
ଚିନ୍ତା ବଢାଇଲାଣି ହୀରାକୁଦ ଜଲଭଣ୍ତାର ପାଣି । ପ୍ରତିବର୍ଷ ଶହ ଶହ ଟନ ଆର୍ବଜନ ମିଶୁଛି ଜଳଭଣ୍ତାରରେ । ଧିରେ ଧିରେ ମତ୍ସ୍ୟ ପ୍ରଜାତି ହ୍ରାସ ମଧ୍ୟ ହେଲାଣି । ଜଳ ପ୍ରଦୂଷଣ ନେଇ ଜାତୀୟ ମାନବ ଆୟୋଗ ଚିନ୍ତା ପ୍ରକଟ କଲାଣି । ହୀରାକୁଦ ଜଳଭଣ୍ତାର ପାଣିରେ ପ୍ରତିବର୍ଷ ଏବେ ୮୦୦ ଟନରୁ ଉର୍ଦ୍ଧ୍ୱ ଆବର୍ଜନା ମିଶୁଛି । ଉପରମୁଣ୍ତରୁ ଆସୁଥିବା ପାଣି ସହ ଛତିଶଗଡ ଭିଲାଇର ଲୁହା ଓ ଇସ୍ପାତ, ରାୟପୁର ଦୁର୍ଗ ସିମେଣ୍ଟ, ରାଜନନ୍ଦ ଗାଁ କପଡା, ବିଲାସପୁର କାଗଜ ଓ କୋର୍ବରା ରାସାୟନିକ କାରାଖାନାରୁ ପ୍ରତିଦିନ ନିର୍ଗତ ଶିଳ୍ପ ଆବର୍ଜନା ମହାନଦୀରେ ଆସି ଜଳଭଣ୍ତାରରେ ମିଶୁଛି ।
ଓଡିଶାର ଝାରସୁଗୁଡାର ବେଦାନ୍ତ କମ୍ପାନୀ ଆବର୍ଜନା ଭେଡେନ ନଦୀ ଓ ଏମସିଏଲ କୋଇଲା ଖଣି ଆବର୍ଜନା ଇପ ନଦୀରେ ଆସି ଜଳଭଣ୍ତାରରେ ମିଶୁଛି । ମହାନଦୀ ଅବବାହିକା ଥିବା ୪୪ ସହର ଓ ୨୭ ଗାଁ ସହ ଜଳଭଣ୍ତାର ଚାରି ପଟେ ଥିବା ୨୪ଟି ସ୍ୱଞ୍ଜ ଲୁହା କମ୍ପାନୀ, ୩ଟି ସ୍ମେଲଟର, ୧୮ଟି ପାଓ୍ଵାର ପ୍ଲାନ୍ଟ, ଗୋଟିଏ ସିମେଣ୍ଟ କାରାଖାନା, ୧୫ ଖଣି, ୪୮ ରାଇସ ମିଲ ଓ ୨୮ଟି କ୍ରସରରୁ ପ୍ରତିଦିନ ୩ ଲକ୍ଷ ୪୫ ହଜାର ଲିଟର ବିଶାକ୍ତ ଆବର୍ଜନା ମିଶୁଛି । ୫୫ କିଲୋମିଟ ଦୀର୍ଘ ଓ ୭୪୩ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ଜଳଭଣ୍ତାରରେ ୧୦୦୦ କିଲୋ ବିଭିନ୍ନ ପ୍ରକାର ଗୁଣ୍ତ ପବନରେ ଆସି ପଡୁଛି । ସମ୍ବଲପୁର ଓ ଝାରସୁଗୁଡାରେ ଥିବା ବିଭିନ୍ନ କମ୍ପାନୀର ପ୍ରତିବର୍ଷ ୪.୫୮ ନିୟୁଟନ କଠିନ ତରଳ ଆବର୍ଜନା ସିଧା ହୀରାକୁଦ ଜଳ ଭଣ୍ତାରରେ ମିଶି ପ୍ରଦୂଷିତ କରୁଛି । ଜଳଭଣ୍ତାର ପାଣି ନିର୍ଭର କରୁଥିବା ଜିଲ୍ଲାବାସୀଙ୍କ ପ୍ରଦୂଷଣ ପାଣି ଅଧିକ ଚିନ୍ତା ବଢାଇଛି ।
ପାଣି ପ୍ରଦୂଷଣ ନେଇ ଜାତୀୟ ମାନବ ଆୟୋଗ ଚିନ୍ତା ପ୍ରକଟ କରିବା ସହ ସୁପ୍ରିମ କୋଟରେ ଅଭିଯୋଗ ଅନୁସାରେ ଜଳଭଣ୍ତାର ଜଳ ପ୍ରଦୂଷଣ ପ୍ରତିକାର ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ଦର୍ଶାଇବା ନେଇ ମୁଖ୍ୟ ସଚିବଙ୍କୁ ଚିଠି ହୋଇଛି । କେନ୍ଦ୍ରୀୟ ପ୍ରଦୃଷଣ ବୋଡ ରିପୋଟ ଅନୁସାରେ ହୀରାକୁଦ ଜଳଭଣ୍ତାରକୁ ପ୍ରତିବର୍ଷ ୮୦୦ ଟନ ଆବର୍ଜନା ପ୍ରବେଶ କରୁଛି ।
ମହାନଦୀ ୮୩ ହଜାର ୪୦୦ ବର୍ଗ କିଲୋମିଟର ଅବବାହିକାରେ ଅଂଚଳରେ ଥିବା ଜନବସତିରୁ ନିର୍ଗତ ଦୂଷିତ ଜଳ ଓ ଶିଳ୍ପ ଆବର୍ଜନା ପାଣିରେ ସିସା, କ୍ରୋମିୟମ, କାଡମିଅମ, ଜିଙ୍କ ଓ ପାରଦ, କାର୍ବୋନେଟ, ଲୁହା, ମାଙ୍ଗାନିଜ ତମ୍ବା ଓ ଫ୍ଲୋରାଇଡ ଅଂଶ ହୀରାକୁଦ ଜଳଭଣ୍ତାରରେ ମିଶୁଥିବା ବିଭିନ୍ନ ପରିକ୍ଷାରେ ଜଣାପଡିଛି । ଏହାର ତୁରନ୍ତ ପ୍ରତିକାର ପାଇଁ ପଦକ୍ଷେପ ନନେଲେ ଭବିଷ୍ୟତରେ ଜଳଭଣ୍ତାର ଚାରିପଟର ଜନବସତିରେ ଫ୍ଲୋରାଇଟ ବଡ ବିପଦ ସୃଷ୍ଟି କରିବ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ବୋଡ ସର୍ତକ କରିଛି । ଏଭଳି ସ୍ଥଳରେ ରାଜ୍ୟ ପ୍ରଦୂଷଣ ବିଭାଗ ଶିଳ୍ପାନୁଷ୍ଠାନ ହେଉ କି ସହରମାନଙ୍କ ଉପରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିଛନ୍ତି ବିଶେଷଜ୍ଞ ।
ଜଳ ପ୍ରଦୂଷଣ ପରେ ମତ୍ସ୍ୟ ପ୍ରଜାତି ମଧ୍ୟ ହ୍ରାସ ହେଲେଣି । ହୀରାକୁଦ ବନ୍ଧ ନିର୍ମାଣ ସମୟରେ ୧୮୩ ପ୍ରଜାତିର ମାଛ ଥିବାବେଳେ, ଏବେ ୬୨ ପ୍ରଜାତିର ଅଛନ୍ତି । ୫୦ ବର୍ଷ ଭିତରେ ୧୪୦ ପ୍ରଜାତିର ମାଛ ଲୋପ ପାଇଲେଣି । ପୁର୍ବରୁ ମୁଣ୍ତ ପିଛା ୩୪୭ କିଲୋ ମାଛ ଉତ୍ପାଦନ କରୁଥିବାବେଳେ, ୨୦ କିଲୋକୁ ହ୍ରାସ ପାଇଥିବା କେନ୍ଦ୍ରୀୟ ଆନ୍ତଦେଶୀୟ ମତ୍ସ୍ୟ ଗବେଷଣା କେନ୍ଦ୍ରର ରିପୋର୍ଟରୁ ଜଣାପଡିଛି ।
